ଭୁବନେଶ୍ୱର,୦୯/୦୭: ମଞ୍ଚେଶ୍ୱର ଶ୍ରୀରାମ ନଗର ବସ୍ତିରେ ଜଣେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟିଛି । ଏକ ଭଡ଼ାଘରେ ନାବାଳିକାର ଝୁଲନ୍ତା ମୃତଦେହ ମିଳିଛି । ନାବାଳିକାର ବୟସ ୧୬ ବର୍ଷ । ସେ ଜଣେ ଦମ୍ପତିଙ୍କ ପାଖରେ କିଛି ମାସ ଧରି ଝିଅ ଭାବେ ରହୁଥିଲା । କିନ୍ତୁ ସମ୍ପୃକ୍ତ ଦମ୍ପତି ନାବାଳିକାକୁ ଘରେ ଖଟାଉଥିବା ନେଇ ଅଭିଯୋଗ ହୋଇଛି ।
ଦମ୍ପତିଙ୍କ କହିବା ମୁତାବକ,ନାବାଳିକାଟି ଆଜି ଦିନତମାମ ହସଖୁସିରେ ବୁଲାବୁଲି କରୁଥିଲା । ସନ୍ଧ୍ୟାରେ ତା’ ରୁମ୍କୁ ଯାଇ ଭିତରପଟୁ କବାଟ କିଳି ଦେଇଥିଲା । ସେ ରୁମ୍ରେ ଶୋଇପଡିଥିବ ବୋଲି ଭାବି କାହାରି ସନ୍ଦେହ ହେଲାନାହିଁ । ରାତି ସାଢ଼େ ୯ଟାରେ ଖାଇବା ପାଇଁ ନାବାଳିକାକୁ ଡାକିଥିଲେ ଦମ୍ପତି । କିନ୍ତୁ କବାଟ ନ ଖୋଲିବାରୁ ସେମାନେ ଝରକା ତାଡି ଭିତରକୁ ଦେଖିଥିଲେ । ସେତବେଳକୁ ନାବାଳିକାଟି ଏକ ଶାଢ଼ୀରେ ଝୁଲିପଡିଥିଲା । ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତନାଘନା କରିଛି । ନାବାଳିକାକୁ ହତ୍ୟା କରି ଟଙ୍ଗାଯାଇ ଆତ୍ମହତ୍ୟା ରୂପ ଦିଆଯାଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ବିଳମ୍ବିତ ରାତି ଯୋଗୁ ନାବାଳିକାର ଝୁଲନ୍ତା ମୃତଦେହ ଓହ୍ଲାଯାଇ ପାରିନାହିଁ । ପୁଲିସ ଉକ୍ତ ରୁମ୍କୁ ସିଲ କରିଦେଇଛି । ମଙ୍ଗଳବାର ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ନାବାଳିକାର ମୃତଦେହ ଉଦ୍ଧାର ହେବ।