ନୂଆଦିଲ୍ଲୀ,୧୧/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଭିତ୍ତିଭୂମି ଉପରେ ଏହାର ପ୍ରାଧାନ୍ୟ ଜାରି ରଖିବ । ସଡ଼କ ପଥ ଏବଂ ରେଳପଥ ଭଳି କ୍ଷେତ୍ରରେ ପୁଞ୍ଜି ବ୍ୟୟ ବଢ଼ାଇବେ ନୂଆ ସରକାର । ଯଦିଓ ମନ୍ତ୍ରାଳୟଗୁଡ଼ିକ ସେମାନଙ୍କ ୧୦୦ ଦିନିଆ ଏଜେଣ୍ଡା ପ୍ରସ୍ତୁତ ରଖିଛନ୍ତି, ଭାରତୀୟ ରେଳ ଉଭୟ ଯାତ୍ରୀବାହୀ ଏବଂ ମାଲ୍ବାହୀ ଟ୍ରେନ୍ କ୍ଷେତ୍ରରେ ଏହାର କ୍ଷମତା ବଢ଼ାଇବା ପାଇଁ ପ୍ରାଥମିକତା ଦେଇପାରେ ।
ଏକ ରିପୋର୍ଟ ଅନୁସାରେ, ଆଗାମୀ ଦିନରେ ଭାରତୀୟ ରେଳପଥର ଫୋକସ୍ରେ ୪ଟି କ୍ଷେତ୍ର ରହିବ । ଅଧିକ ଯାତ୍ରୀ ଏବଂ କାର୍ଗୋ ପରିବହନ ପାଇଁ କ୍ଷମତା ବୃଦ୍ଧି ନେଇ କାର୍ଯ୍ୟ ହେବ । ୱେଟିଂ ଲିଷ୍ଟ୍ କମାଇବା ସହ ଆହୁରି ଅଧିକ ଟ୍ରେନ ଚଳାଚଳ ଉପରେ ଜୋର ଦିଆଯିବ । ବନ୍ଦେ ଭାରତ, ଅମୃତ ଭାରତ ଏବଂ ବନ୍ଦେ ମେଟ୍ରୋ ଟ୍ରେନ୍ର ଚଳାଚଳ ବୃଦ୍ଧି ଉପରେ ଗୁରୁତ୍ୱ ଦେବେ ନୂଆ ସରକାର । ଏହାସହିତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ରେଳ ନିରାପତ୍ତା ଏଜେଣ୍ଡାରେ ସର୍ବାଗ୍ରେ ରହିବ ।
ଯାତ୍ରୀ ପରିବହନର ଆଧୁନିକୀକରଣ କରାଯିବ । ଅମୃତ ଭାରତ ଜରିଆରେ ସାଧାରଣ ଲୋକଙ୍କ ରେଳଯାତ୍ରାକୁ ଆରାମଦାୟକ କରାଯିବ। ବନ୍ଦେ ଭାରତ ଟ୍ରେନ ଜରିଆରେ ପ୍ରିମିୟମ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇପାରେ । ସୂଚନାଯୋଗ୍ୟ, ବନ୍ଦେ ଭାରତ ଏକ୍ସପ୍ରେସ୍ର ଏକ ନୂଆ ସ୍ଲିପର ଭାରିଆଣ୍ଟ ବିଇଏମ୍ଏଲ୍ ଦ୍ୱାରା ନିର୍ମାଣ ହେଉଛି ଏବଂ ଏହା ଚଳିତ ବର୍ଷ ପ୍ରସ୍ତୁତ ହୋଇଯିବ ।
ପୂର୍ବରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ନୂଆ ସରକାରଙ୍କପାଇଁ ରେଳପଥ ଏକ ମହତ୍ୱାକାଂକ୍ଷୀ ୧୦୦ ଦିନିଆ ଏଜେଣ୍ଡା ବା ଯୋଜନା ପ୍ରସ୍ତୁତ କରିଛି । ଯାତ୍ରୀ ଅନୁଭୂତିକୁ ବଢ଼ାଇବା ସହ ରେଳ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଏହା ଉଦ୍ଦିଷ୍ଟ । ରେଳପଥର ଅନ୍ୟ ଏକ ପ୍ରମୁଖ ପ୍ରସ୍ତାବ ହେଲା, ଏକ ନୂଆ ୨୪ ଘଣ୍ଟିଆ ଟିକଟ ରିଫଣ୍ଡ ସ୍କିମ୍ । ଏହା ବର୍ତ୍ତିମାନର ୩ ଦିନିଆ ପ୍ରୋସେସ୍କୁ ହଟାଇ ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରିତ କରିବ । ଏହାସହିତ ମନ୍ତ୍ରାଳୟ ଏକ ବନ୍ଦେ ଭାରତ ସ୍ଲିପର ଟ୍ରେନ ଆଣିବାକୁ ଯାଉଛି । ଏହାସହିତ ଉଧମପୁର-ଶ୍ରୀନଗରବାରମୁଲା ରେଳ ସଂଯୋଗ ପ୍ରକଳ୍ପର ଅନ୍ତିମ ଷ୍ଟ୍ରେଚ୍କୁ ଏହା ସମାପ୍ତ କରିବ । ଏହାସହିତ ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଲ୍ୱେ ବ୍ରିଜ୍ ‘ଦ ପାମ୍ବନ ବ୍ରିଜ୍’ର ନିର୍ମାଣ ମଧ୍ୟ ପ୍ରସ୍ତାବରେ ଅଛି ।
ଯାତ୍ରୀ ସୁବିଧା ପାଇଁ ଭାରତୀୟ ରେଳ ଏକ ସାମୁହିକ ‘ସୁପର୍ ଆପ୍’ ବିକାଶ କରିବାକୁ ଚାହୁଁଛି । ଏହା ଟିକେଟିଂ ଏବଂ ଟ୍ରେନ୍ ଟ୍ରାକିଂ ସମେତ ଅନେକ ପ୍ରକାର ସେବା ପ୍ରଦାନ କରିବ । ଲୋକକୈନ୍ଦ୍ରିକ ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ମୋଦି ସରକାରଙ୍କ ଉଦ୍ୟମର ଏହା ଅଂଶବିଶେଷ