ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ, କାହାର ଖୁସି ତ କିଏ ଟେନ୍‌ସନ୍...

ଭୁବନେଶ୍ୱର, ୨୩/୦୩ : ଓଃ... । ମେଣ୍ଟ ହେଲାନି, ମଣିଷ ବଞ୍ଚିଗଲା । ୧୪୭ ନିର୍ବାଚନମଣ୍ଡଳୀରେ ମାଳମାଳ ଟିକଟ ଆଶାୟୀ ଏବେ ଆଶ୍ୱସ୍ତ । ପୁଣି ତେଜିଛନ୍ତି ଟିକଟ ଲବି । କିଏ ବିଜେଡିରୁ, କିଏ ବିଜେପିରୁ । ନିଦ ହଜାଇ ଦେଇଥିଲା ମେଣ୍ଟ ଚର୍ଚ୍ଚା । ଟିକଟ ନପାଇବାର ଯନ୍ତ୍ରଣାରେ ଛଟପଟ ହେଉଥିଲେ ନେତା । ଖବର ଉଡ଼ୁଥିଲା- ମେଣ୍ଟ ହେଲେ ଲୋକସଭାରେ ବିଜେପି ବଡ଼ ଭାଇ ହୋଇଥାନ୍ତା ଓ ବିଧାନସଭାରେ ବିଜେଡି । ବିଧାନସଭାରେ ବିଜେଡି ଭାଗରେ ପଡ଼ିଥାନ୍ତା ୧୪୭ରୁ ୧୦୭ ଆସନ । ବିଜେପିକୁ ମିଳିଥାନ୍ତା ପ୍ରାୟ ୪୦ ଆସନ । ସେମିତି ଲୋକସଭାରେ ବିଜେପି ୧୩/୧୪ ଆସନ ନେଇ ସିଂହଭାଗ ପାଇଥାନ୍ତା । ବିଜେଡି ଭାଗରେ ରହିଥାନ୍ତା ୭/୮ । ଲୋକସଭା ଓ ବିଧାନସଭାକୁ ମିଶାଇଲେ ଉଭୟ ଦଳରୁ ମିଳିତ ପ୍ରାର୍ଥୀ ଭାବେ ୧୬୮ ଯୋଦ୍ଧା ମଇଦାନକୁ ଓହ୍ଲାଇଥାନ୍ତେ । ଠିକ୍‌ ସମାନ ସଂଖ୍ୟକ ପ୍ରାର୍ଥୀ ଲଢ଼େଇରୁ ବଳି ପଡ଼ିଥାଆନ୍ତେ । ଏମିତିକି ୨୦୧୯ରେ ଜିତିଥିବା ଅନେକ ବିଧାୟକ, ସାଂସଦ ବି ମଇଦାନରୁ ବାଦ୍‌ ପଡ଼ି ଯାଇଥାଆନ୍ତେ । 

ଏଇତ ଗଲା ସିଧା ହିସାବ । କିନ୍ତୁ, ୧୪୭ ଆସନ ପାଇଁ ଉଭୟ ଦଳର ମୋଟ ଆଶାୟୀଙ୍କ କଥା ହିସାବକୁ ନେଲେ, ଏ ସଂଖ୍ୟା ୫ଶହ ଟପିଯିବ । ମେଣ୍ଟ ନ ହେବା ଦ୍ୱାରା ଅନ୍ତତଃ ପକ୍ଷେ ୧୬୮ ନେତାଙ୍କ ପାଇଁ ସୁଯୋଗ ବଞ୍ଚି ରହିଛି । ମେଣ୍ଟରେ ପୂର୍ଣ୍ଣଛେଦ ପରେ ଆଶାୟୀମାନଙ୍କ ମରି ଯାଇଥିବା ଆଶା ପୁଣି ତେଜିଛି । ମେଣ୍ଟ ଚର୍ଚ୍ଚା ଆରମ୍ଭ ଦିନରୁ ଉଭୟ ଦଳର ଟିକଟ ଆଶାୟୀଙ୍କ ନିଦ ହଜି ଯାଇଥିଲା । ଟିକଟ ଲବିରେ ଏକରକମ ବ୍ରେକ୍‌ ଲାଗିଥିଲା । ବର୍ଷ ବର୍ଷ କାଳ ନିର୍ବାଚନମଣ୍ଡଳୀ ବୁଲି ଶ୍ରମ ଓ ଧନ ବୁହାଇ ଚାଲିଥିବା ନେତାଙ୍କ ଭାଳେଣି ପଡ଼ିଥିଲା । ଆସନ ରହିବ ନା ମେଣ୍ଟ ସହଯୋଗୀ ଦଳ ଭାଗ୍ୟକୁ ପଳାଇବ? ବିଶେଷ କରି ୧୦୦ ପାଖାପାଖି ଆସନରେ ବିଜେପି ଟିକଟ ଆଶାୟୀଙ୍କ ମୁଣ୍ଡ ଗୋଲ୍‌ ହୋଇଯାଇଥିଲା । କିଛି ନେତା ଶତ ପ୍ରତିଶତ ଟିକଟ ପାଇବା ପ୍ରତିଶ୍ରୁତିରେ ବିଜେଡି ଛାଡ଼ି ବିଜେପି ଓ ବିଜେପି ଛାଡ଼ି ବିଜେଡିକୁ ଆସିଥିଲେ । ମାତ୍ର ମେଣ୍ଟ ଚର୍ଚ୍ଚା ପରେ କ’ଣ କରିବେ ବୁଦ୍ଧିବାଟ ଦିଶୁନଥିଲା । ବିଜେପି ଟିକଟ ଆଶାୟୀ ଅନେଇ ରହିଥିଲେ ଦିଲ୍ଲୀ ନିଷ୍ପତ୍ତିକୁ । ମେଣ୍ଟ ଚର୍ଚ୍ଚାରେ ଯବନିକା ପଡ଼ିବା ପରେ ଆଶାୟୀ ପୂରା ଜୋଶରେ ସେଲିବ୍ରେସନ ମନାଇଛନ୍ତି । 

ସେହିପରି ୪୦ରୁ ଅଧିକ ଆସନରେ ବିଜେଡି ଟିକଟ ଆଶାୟୀ, ନେତା ଓ ବିଧାୟକଙ୍କ ମନରୁ ବି ବଡ଼ ବୋଝ ହଟିଛି । ଏବେ ଟିକଟ ପାଇଁ ତେଜିବ ମିଶନ ।  ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିବାରୁ କର୍ମୀ ଖୁସ । ହେଲେ କିଛି ନେତାଙ୍କ ମନ ପୂରା ଉଦାସ । ସବୁ ଆଶା ଧୂଳିସାତ୍‌ ହୋଇଗଲା । ଆଉ ବିଜୟ ସହଜ ନୁହେଁ, ଏଥର କାଠିକର ପାଠ ହେବ ଲଢ଼େଇ । ଏମିତି ଚିନ୍ତା ଘାରିଛି ବିଜେଡି ଓ ବିଜେପିର କିଛି ବଡ଼ ନେତାଙ୍କୁ ।   ମେଣ୍ଟ ହେବ... ଅଲବତ ହେବ । ଏମିତି ଧାରଣାରେ ବିଜେଡି ଓ ବିଜେପିର କିଛି ବଡ଼ ନେତା ପୂରା ଖୁସି ଥିଲେ । ଭାବିଥିଲେ, ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସହ ମେଣ୍ଟ ହେଲେ ବିଜୟ ସହଜ ହେବ । ଟକ୍କର ଦେବାକୁ ଆଉ କେହି ରହିବେନି । ନିଶ୍ଚିତ ବିଜୟକୁ ନେଇ ଅନେକ ନେତା ଯେମିତି ନାଭିରେ ତେଲ ପକାଇ ଶୋଇ ପଡ଼ିଥିଲେ । ଯେଉଁମାନେ ଗତ ଥର କଡ଼ା ସଂଘର୍ଷରେ ଜିତିଥିଲେ, ସେମାନେ ଏଥର ସହଜ ବିଜୟର ସ୍ୱପ୍ନ ଦେଖିବା ଆରମ୍ଭ କରି ଦେଇଥିଲେ । ଅନେକ ଭାବିଥିଲେ, ଆଉ ବେଶି ଟଙ୍କା ଉଡ଼ାଇବାକୁ ପଡ଼ିବନି । ଅପଣାଛାଏଁ ଭୋଟ ବର୍ଷା ହେବ । ବିରୋଧୀ ବି ଭୋଟ ଦେବେ । ବିଶେଷ କରି ବିଜେଡିର ବହୁ ବିଧାୟକ ଏଭଳି ଭାବିଭାବି ଭିତରେ ଭିତରେ ଖୁସିରେ କୁରୁଳୁଥିଲେ ।  ବିଜେପିର ଅଧିକାଂଶ ବିଧାୟକଙ୍କ ଶିବିରରେ ଖୁସିର ଲହରି ପଶି ଆସିଥିଲା । ମନେ ମନେ ଭାବୁଥିଲେ, ମେଣ୍ଟ ହେଲେ ଟିକଟ ତ ପକ୍କା, ବିଜୟ ବି ପକ୍କା । କେତେକଙ୍କ ମନରେ ମନ୍ତ୍ରୀ ପଦର ସ୍ୱପ୍ନ ବି ଜନ୍ମ ନେଇ ସାରିଥିଲା । ହେଲେ ଫୁସ୍‌... । ମେଣ୍ଟ ହେବନି । ଏବେ ପୁଣି ଲଢ଼େଇ ପାଇଁ କମର କଷିବାକୁ ହେବ ।


  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.