ତେଲ୍ ଆଭିଭ୍/ବିରୁଟ୍ ୨୫/୦୯: ଇସ୍ରାଏଲ୍ ଡିଫେନ୍ସ ଫୋର୍ସ (ଆଇଡିଏଫ୍) ସାଜିଛି ରକ୍ତମୁଖା । ସୋମବାରଠାରୁ ଲେବାନନ୍ ଉପରେ ଏହାର ଯୁଦ୍ଧ ଅଭିଯାନ ‘ନର୍ଦର୍ନ ଆରୋଜ୍’ ଚଳାଇଛି ବିନାଶଲୀଳା । ଦୁଇଦିନରେ ଏହା ହିଜ୍ବୁଲ୍ଲାର ୧୬୦୦ ସ୍ଥାନକୁ ଟାର୍ଗେଟ୍ କରି ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି । ଏହାଯୋଗୁ ମୃତ୍ୟୁ ସଂଖ୍ୟା ଆଜି ୫୫୮ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୯୦ ମହିଳା ଓ ୫୦ ପିଲା ରହିଛନ୍ତି । ଏ ପର୍ଯ୍ୟନ୍ତ ୧୮୩୫ ଲୋକ ଆହତ ହେଲେଣି । ଏହି ପ୍ରଚଣ୍ଡ ଆକ୍ରମଣରେ ଲେବାନନ୍ରେ ୧୦ ହଜାର ରକେଟ୍ ନଷ୍ଟ ହୋଇଥିବା ଆଇଡିଏଫ୍ ଦାବି କରିଛି ।
ଇସ୍ରାଏଲ୍-ଲେବାନନ୍ ମଧ୍ୟରେ ଏଭଳି ପ୍ରଚଣ୍ଡ ଯୁଦ୍ଧ ଶେଷଥର ପାଇଁ ୨୦୦୬ରେ ଦେଖିବାକୁ ମିଳିଥିଲା । ୧୮ ବର୍ଷ ପରେ ଲେବାନନ୍ ଉପରେ ଏହା ସବୁଠୁ ବଡ଼ ଘାତକ ଆକ୍ରମଣ । ୨୦୦୬ରେ ମାସ ମାସ ଧରି ଚାଲିଥିବା ଯୁଦ୍ଧରେ ଲେବାନନ୍ର ୧ ହଜାର ଲୋକ ପ୍ରାଣ ହରାଇଥିଲେ । ଇସ୍ରାଏଲ୍ ଏବେ ‘ନର୍ଦର୍ନ ଆରୋଜ୍’ ନାମରେ ଯୁଦ୍ଧ ଅଭିଯାନ ଚଳାଇ ଲେବାନନ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବାକୁ ବସିଛି । ହିଜ୍ବୁଲ୍ଲାକୁ ଟାର୍ଗେଟ୍ କରି ଏହା ଆକ୍ରମଣ କରୁଥିବା କହୁଥିବା ବେଳେ ଅନେକ ସାଧାରଣ ଲୋକ ଏହା ଯୋଗୁ ପ୍ରାଣ ହରାଉଛନ୍ତି । ମହିଳା ଓ ଶିଶୁଙ୍କୁ ବି ଏହା ତ୍ରାହି ଦେଉନାହିଁ । ରାଜଧାନୀ ବିରୁଟ୍ରେ ହୋଇଥିବା ହମ୍ଲାରେ ହିଜ୍ବୁଲ୍ଲାର ବରିଷ୍ଠ କମାଣ୍ଡର ଇବ୍ରାହିମ୍ କୁବାଇସି ନିପାତ ହୋଇଥିବା ଇସ୍ରାଏଲ୍ କହିଛି ।
ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ ଏହି ଯୁଦ୍ଧକୁ କଡ଼ା ନିନ୍ଦା କରିବା ସହ ଲେବାନନ୍କୁ ଦ୍ୱିତୀୟ ଗାଜା ଅଭିହିତ କରିଛନ୍ତି । ଅନ୍ୟପକ୍ଷରେ ଲେବାନନ୍ ପଟୁ ବଡ଼ ହମ୍ଲା ଆଶଙ୍କା କରି ଇସ୍ରାଏଲ୍ ସରକାର ଦେଶବ୍ୟାପୀ ଜରୁରି ପରିସ୍ଥିତି ଲାଗୁ କରିଛନ୍ତି । ଫୋନ୍ ଯୋଗେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କର ବୈଠକ ହୋଇଥିଲା । ସମସ୍ତେ ଜରୁରି ପରିସ୍ଥିତି ସପକ୍ଷରେ ଭୋଟ୍ ଦେଇଥିଲେ । ଇସ୍ରାଏଲ୍ର ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଲେବାନନ୍ର ଲୋକଙ୍କ ଉଦ୍ଦେଶ୍ୟରେ ମେସେଜ୍ ଜାରି କରି ହିଜ୍ବୁଲ୍ଲା ସହ ଚାଲିଥିବା ସଂଘର୍ଷ ଭିତରେ ନ ପଶିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହା ଇସ୍ରାଏଲ୍-ହିଜ୍ବୁଲ୍ଲା ମଧ୍ୟରେ ଯୁଦ୍ଧ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ପ୍ରଚଣ୍ଡ ଆକ୍ରମଣ ପୂର୍ବରୁ ଇସ୍ରାଏଲ୍ ସୋମବାର ପ୍ରଥମେ ଲେବାନନ୍ବାସୀଙ୍କୁ ବିଭିନ୍ନ ଜରିଆରେ ମେସେଜ୍ ଦେଇଥିଲା । ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ କହିଥିଲା । ଆଇଡିଏଫ୍ ମୁଖପାତ୍ର ରିୟର୍ ଆଡ୍ମିରାଲ୍ ଡାନିଏଲ୍ ହଗାରି ସୋସିଆଲ୍ ମିଡିଆ ଯୋଗେ ଭିଡିଓ ଜାରି କରି ଏହି ବାର୍ତ୍ତା ଦେଇଥିଲେ । ଯୁଦ୍ଧଭୂମିରୁ ଦୂରକୁ ଚାଲିଯିବା ପାଇଁ ସେ ଅପିଲ୍ କରିଥିଲେ । ଏହାପରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଦକ୍ଷିଣ ଲେବାନନ୍ରେ ଥିବା ନିଜ ଘର ଛାଡ଼ି ପଳାୟନ କରିଥିଲେ । ଏହାଯୋଗୁ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ଇସ୍ରାଏଲ୍ର କହିବା କଥା ହେଉଛି ଲୋକଙ୍କ ଆବାସସ୍ଥଳୀକୁ ହିଜ୍ବୁଲ୍ଲା ନିଜ ଆଡ୍ଡା ବନାଇଛି । ଏଠାରେ ଅସ୍ତ୍ରଶସ୍ତ୍ର ମହଜୁଦ ରଖୁଛି ।