ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟାଟୁ ପାଇଁ ବାୟା ଯୁବପିଢ଼ି: ଖାମଖିଆଲୀ ଯୋଗୁଁ ଏଡ୍‌ସ, ସଂକ୍ରମଣର ଭୟ

ଭୁବନେଶ୍ୱର ୧୦/୦୬: ଟାଟୁ ପ୍ରେମରେ ଏବେ ଯୁବପିଢ଼ି ପାଗଳ । ସେମାନେ ଟାଟୁ ମାୟାରେ ଏତେ ବାୟା ହୋଇଯାଇଛନ୍ତି ଯେ, ସ୍ୱାସ୍ଥ୍ୟଗତ ଦିଗ ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି । ଟାଟୁ କଲାବେଳେ ସ୍ୱଚ୍ଛତାକୁ ଦୃଷ୍ଟି ନ ଦେବା ଫଳରେ ଏଡ୍‌ସ ଭଳି ମାରାତ୍ମକ ରୋଗ ହେବା ସହ ଚର୍ମ ସଂକ୍ରମଣ ହେଉଛି ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଏବେ ଯୁବକଯୁବତୀମାନେ ହାତ, ପିଠି, ଛାତି ଓ ବେକରେ ରଙ୍ଗବେରଙ୍ଗର ଟାଟୁ କରୁଛନ୍ତି । ଏମାନଙ୍କ ଏପରି ଟାଟୁ କ୍ରେଜ୍‌ ଦେଖି ରାଜଧାନୀରେ ମାଳମାଳ ଟାଟୁ ଦୋକାନ ଖୋଲିଛି । ତେବେ ଶସ୍ତାରେ ଟାଟୁ କରିବା ପାଇଁ ରାସ୍ତାଘାଟରେ କଲିକତି ଟାଟୁ ବାଲାଙ୍କ ଭିଡ଼ ଜମୁଛି ଯାହାକି ମାରାତ୍ମକ ସାବ୍ୟସ୍ତ ହେବାରେ ଲାଗିଥିବା ଡାକ୍ତରମାନେ କହିଛନ୍ତି । 

ଏବେ ବିଭିନ୍ନ ଟାଟୁ ପାର୍ଲରରେ ୫ ଶହ ଟଙ୍କାରୁ ନେଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଟାଟୁ ଉପଲବ୍ଧ । ହେଲେ ଏତେ ଟଙ୍କା ଖର୍ଚ୍ଚ କରି ଟାଟୁ କରିବା ଅପେକ୍ଷା ଶସ୍ତାରେ ଟାଟୁ କରିବାକୁ ଯୁବକଯୁବତୀ ଅଧିକ ପସନ୍ଦ କରୁଛନ୍ତି । ବିଶେଷକରି ବିଭିନ୍ନ ଦେବଦେବୀ, ନାଁ ଓ ସେଲିବ୍ରିଟିଙ୍କ ଫଟୋ ଶରୀରରେ ଆଙ୍କିବାକୁ ଟାଟୁ ଦୋକାନରେ ଭିଡ଼ ଜମୁଛି । ସେଥିପାଇଁ ୧ ନମ୍ବର ମାର୍କେଟ ବିଲ୍ଡିଂ ସମେତ ବିଭିନ୍ନ ମେଳା ମହୋତ୍ସବରେ ଅସ୍ଥାୟୀ ଟାଟୁ ଦୋକାନ ଖୋଲୁଛି । ଅସ୍ଥାୟୀ ଦୋକାନ ଖୋଲୁଥିବା ଏହି ବାହାର ରାଜ୍ୟର ଟାଟୁ ବ୍ୟବସାୟୀଙ୍କ ପାଖକୁ ଯୁବକଯୁବତୀ ଧାଉଁଛନ୍ତି ।

ସ୍ୱାସ୍ଥ୍ୟଗତ କାରଣରୁ ଟାଟୁ ଆଙ୍କିବା ବେଳେ ଛୁଞ୍ଚି ବଦଳାଯିବା କଥା । ହେଲେ ତାହା ହେଉନି । ଗୋଟିଏ ଛୁଞ୍ଚିରେ ଅନେକ ଲୋକଙ୍କ ଶରୀରରେ ଟାଟୁ କରାଯାଉଛି । ଦେଖାଯାଉଛି ଯେ, ମେଳାରେ ଯେଉଁ ଟାଟୁ ହେଉଛି ତାହା ୨ଶହରୁ ୮ଶହ ଟଙ୍କା ମଧ୍ୟରେ ରହୁଛି । ଏହି ଟାଟୁ କଲାବେଳେ ଛୁଞ୍ଚି ପାଇଁ ଅଧିକ ୧୦୦ ଟଙ୍କା ଦାବି କରୁଛନ୍ତି ଦୋକାନୀ । କିନ୍ତୁ ଗ୍ରାହକ ତାହା ଦେବାକୁ ନାରାଜ । ତେଣୁ ଟାଟୁ ବାଲା ଗୋଟିଏ ଛୁଞ୍ଚିରେ କାମ ଚଳାଇ ଦେଉଛନ୍ତି । ଏହି ଶସ୍ତା ଟାଟୁରେ ରବର ଷ୍ଟାମ୍ପ ଇଙ୍କ୍‌ ବ୍ୟବହାର ହେଉଛି ଯାହାକି ମଣିଷ ଶରୀର ପାଇଁ କ୍ଷତିକାରକ । 

ଏ ସଂକ୍ରାନ୍ତରେ ଚନ୍ଦ୍ରଶେଖରପୁରସ୍ଥିତ ଟ୍ୱେଲ୍‌ୱେଥ୍‌ କାଲା ଟାଟୁ ଷ୍ଟୁଡିଓର କର୍ମଚାରୀମାନେ କହନ୍ତି, ଟାଟୁ ସର୍ବଦା ହାଇଜେନିକ ହେବା ଆବଶ୍ୟକ । ଟାଟୁ କଲା ବେଳେ ସେଥିରେ ଧୂଳି ପ୍ରବେଶ କରିବା କଥା ନୁହେଁ । କେଉଁ କଲର୍‌ ବ୍ୟବହାର କରାଯାଉଛି ତାହାର ତଥ୍ୟ ପ୍ୟାକେଟ୍‌ରେ ଉଲ୍ଲେଖ ରହିବା କଥା ହେଲେ ରାସ୍ତାକଡ଼ରେ ଯେଉଁମାନେ ଟାଟୁ କରୁଛନ୍ତି ସେମାନେ ଏଭଳି ପ୍ୟାକେଟ୍‌ ବ୍ୟବହାର କରୁନାହାନ୍ତି । ତେଣୁ ଟାଟୁ ବ୍ୟବସାୟୀମାନେ ଏହା ଉପରେ ଧ୍ୟାନ ଦେଇ ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଉଚିତ ବୋଲି ଖଣ୍ଡଗିରିସ୍ଥିତ ଲିଟୁ ନାଚୁରାଲ ପକ୍ଷରୁ କୁହାଯାଇଛି । ଏ ନେଇ ଚର୍ମ ରୋଗ ବିଶେଷଜ୍ଞ ଡା. ସୁମନ୍ତ ଦାସଙ୍କ କହିବା କଥା, ଟାଟୁ ବ୍ୟବସାୟୀମାନେ ସବୁବେଳେ ସ୍ୱଚ୍ଛତାକୁ ଧ୍ୟାନ ଦେବା କଥା । ଯଦି ସଂକ୍ରମଣ ହୁଏ ତେବେ ଏଡ୍‌ସ ଭଳି ମାରାତ୍ମକ ରୋଗ ହୋଇପାରେ । ସେହିପରି ଚର୍ମ ସଂକ୍ରମଣ ହେଲେ ଶରୀରରେ ଫଳିଯାଏ । ତେଣୁ ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.