ନୂଆଦିଲ୍ଲୀ,୧୦/୦୯: ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଗ୍ରେଟର ନୋଏଡା ଷ୍ଟାଡିୟମରେ ଖେଳାଯାଇଥାଆନ୍ତା, କିନ୍ତୁ ବର୍ତ୍ତମାନ ଷ୍ଟାଡିୟମର କଦର୍ଯ୍ୟ ଅବସ୍ଥା ସାରା କ୍ରିକେଟ ଜଗତକୁ ଉଜାଗର କରିଛି। ରାତି ତମାମ ହୋଇଥିବା ବର୍ଷାରେ ଷ୍ଟାଡିୟମର ବିଶ୍ବସ୍ଥରୀୟ ସୁବିଧା ବାଧାପ୍ରାପ୍ତ ହୋଇଛି। ଏବେ ଖାଦ୍ୟପେୟର ସୁବିଧାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ରୋଷେୟା ଜଣକ ଓ୍ବାଶରୁମ୍ର ବେସିନରୁ କୌଣସି ଏକ ପାତ୍ରରେ ପାଣି ଭରୁଛନ୍ତି।
ଆଫଗାନିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ସମ୍ପୁର୍ଣ୍ଣ ଗ୍ରାଉଣ୍ଡ କର୍ମଚାରୀମାନେ କାର୍ଯ୍ୟ ବ୍ୟସ୍ତରେ ଅଛନ୍ତି। ଗୋଟିଏ ପଟେ ଷ୍ଟାଡିୟମ ଶୁଖାଇବା ଗ୍ରାଉଣ୍ଡ କର୍ମଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି।ତେବେ ସେପଟେ ରୋଷେୟା ଜଣକ ବର୍ତ୍ତମାନ ରୋଷେଇ ଘରର ବାସନକୁସନକୁ ଓ୍ବାଶରୁମ୍ରେ ଧୋଇବା ସହିତ ଏକ ପାତ୍ରରେ ଓ୍ବାଶରୁମ ପାଣି ନେଇ ଯାଉଥିବା ଫଟୋରେ ଦେଖିବାକୁ ମିଳିଛି। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ପ୍ରଥମରୁ ମଇଦାନର ସୁବିଧାକୁ ନେଇ ଆପତ୍ତି ଉଠାଇ ସାରିଛି। ସ୍ପୋର୍ଟସ ଟକ୍ ଅନୁଯାୟୀ ଜଣେ ଏସିବି ଅଧିକାରୀ କହିଛନ୍ତି, "ଏଠାରେ ସୁବିଧା ଭଳି କୌଣସି ଜିନିଷ ନାହିଁ। ଆମେ ଆଉ ଏଠାକୁ ଆସିବାକୁ ଚାହୁଁନାହୁଁ। ଏହା ବଦଳରେ ଆମେ ଲକ୍ଷ୍ନୌ ଗ୍ରାଉଣ୍ଡକୁ ପସନ୍ଦ କରିବୁ।" ଏହି ଏସିବି ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ମଇଦାନରେ ସାଧାରଣ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ଏଠାରେ ପରିଚାଳନା ଭଳି କୌଣସି ଜିନିଷ ନାହିଁ ଏବଂ ଖେଳାଳିମାନେ ମଧ୍ୟ ଏଠାକାର ଆୟୋଜନେ ଖୁସି ନୁହଁନ୍ତି।'
ଗତ ୧୦ ଦିନ ଧରି ଉତ୍ତର ଭାରତରେ ଲଗାତାର ବର୍ଷା ହେଉଛି। ଏଭଳି ପରିସ୍ଥିତିରେ ଗ୍ରେଟର ନୋଏଡାର ଷ୍ଟାଡିୟମ ସମ୍ପୁର୍ଣ୍ଣ ଭିଜିବା ସହିତ ମଇଦାନ ମଧ୍ୟ ଓଦା ରହିଛି। ପଡ଼ିଆ ଓଦା ଥିବାରୁ ପ୍ରଥମ ଦିନର ଖେଳ ଖେଳାଯାଇ ପାରିନଥିଲା। ଏପରିକି ଟସ୍ ମଧ୍ୟ ପକାଇବା ସମ୍ଭବ ନଥିଲା। ଦ୍ୱିତୀୟ ଦିନର ପୂର୍ବ ରାତିରେ ପୁଣି ପ୍ରବଳ ବର୍ଷା ହେବା କାରଣରୁ ଗ୍ରାଉଣ୍ଡ କର୍ମଚାରୀମାନେ ଦ୍ୱିତୀୟ ଦିନରେ ପିଚ୍ ଏବଂ ପଡ଼ି୍ଆ ଶୁଖାଇବାକୁ ଅସମର୍ଥ ହୋଇଥିଲେ। ଏହି କାରଣରୁ ଦ୍ୱିତୀୟ ଦିନକୁ ମଧ୍ୟ ବାତିଲ ଘୋଷଣା କରାଯାଇଛି। କହିରଖୁଛୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମ୍ୟାଚ୍ ର ଟସ୍ ମଧ୍ୟ ହୋଇନାହିଁ।