ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁଶୁଡ଼ିଲା ୨୫ ବର୍ଷର ସରକାର; ଅଢ଼େଇ ଦଶନ୍ଧୀ ଧରି କ୍ଷମତାସୀନ ବିଜେଡ଼ିର ହୋଇଛି ପରାଜୟ; ଜାଣନ୍ତୁ କେଉଁଠି କିଏ ଜିତିଲେ?

ଭୁବନେଶ୍ବର,୦୪/୦୬: ୨୦୨୪ ସାଧାରଣ ନିର୍ବାଚନ ଏବଂ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭାର ଫଳାଫଳ ପର୍ଯ୍ୟାୟ କ୍ରମେ ଆସୁଛି। ତେବେ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଅଢ଼େଇ ଦଶନ୍ଧୀ ଧରି ବାଜିମାତ୍‌ କରିଆସୁଥିବା ବିଜୁ ଜନତା ଦଳର ଦୁର୍ଗ ୨୦୨୪ ନିର୍ବାଚନରେ ଭୁଶୁଡ଼ିଛି। ବିଜେଡିର ବହୁ ହେଭିୱେଟ୍ ନେତା ପରାଜିତ ହୋଇଛନ୍ତି ଓ ଅନେକ ନେତାଙ୍କୁ ରାଜ୍ୟର ଭୋଟର କଡ଼ା ଜବାବ ଦେଇ‌‌ଥିବା ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି। ତେବେ ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ବିଧାନସଭା ନିର୍ବାଚନୀ ଫଳାଫଳ ଧାରା ଅନୁସାରେ  ବିଜେପି ୮୦ଟି ସିଟରେ ଆଗୁଆ ଥିବାବେଳେ ବିଜେଡି ମାତ୍ର ୪୭ଟି, କଂଗ୍ରେସ ୧୬ଟି, ସ୍ୱାଧୀନ ୩ଟି ଓ ସିପିଏମ୍ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ଥିବା ଦେଖିବାକୁ ମିଳିଛି। 

ବହୁଚର୍ଚ୍ଚିତ ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବିଜୟୀ ହୋଇଥିବା ବେଳେ ୨୦୧୯ରେ ବେଗୁନିଆରୁ ବିଜେଡିରୁ ବିଜୟୀ ହୋଇଥିବା ରାଜେନ୍ଦ୍ର ସାହୁଙ୍କୁ ପରାଜିତ କରିଛନ୍ତି । ଯଦିଓ ନିର୍ବାଚନ କମିଶନ ଏପର୍ଯ୍ୟନ୍ତ କୌଣସି ଆସନର ଫଳାଫଳକୁ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି, ତଥାପି ବିଭିନ୍ନ ନିର୍ବାଚନମଣ୍ଡଳୀରେ ଗଣତି ଶେଷରୁ ତମାମ ଫଳାଫଳ ସ୍ପଷ୍ଟ ହୋଇଛି । 

ପିସିସି ସଭାପତି ଶରତ ପଟ୍ଟନାୟକ ପରାଜିତ ହୋଇଥିବା ସୂଚନା ରହିଛି। ସେହିପରି ରାଉରକେଲା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ଓ ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପରାସ୍ତ ହୋଇଛନ୍ତି। ବଡ଼ଚଣାରୁ ବିଜେପି ପ୍ରାର୍ଥୀ ଅମର ନାୟକ ବିଜୟୀ ହୋଇଛନ୍ତି। ଏପଟେ ସମସ୍ତଙ୍କ ନଜର ଥିବା ଭୁବନେଶ୍ୱର-ଏକାମ୍ର ଆସନରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ହରାଇ ବିଜେପିର ବାବୁ ସିଂ ବିଜୟୀ ହୋଇଛନ୍ତି । ବୌଦ୍ଧରୁ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ହରାଇ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ହୋଇଛନ୍ତି ।  

ଅନୁଗୁଳରୁ ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ, ଜଗତସିଂହପୁର ଆସନରୁ ବିଜେପି ପ୍ରାର୍ଥୀ ଅମରେନ୍ଦ୍ର ଦାସ ବିଜୟୀ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ବିଜୟୀ ପ୍ରାର୍ଥୀମାନଙ୍କୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ । ଭଞ୍ଜନଗର ଆସନରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ପରାସ୍ତ କରିଛନ୍ତି। ସେପଟେ ଟିଟିଲାଗଡ଼ ଆସନରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି । କରଞ୍ଜିଆରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ ହୋଇଛନ୍ତି।

ମାହାଙ୍ଗା ଆସନରୁ ବିଜେଡିର ଅଙ୍କିତ ପ୍ରତାପ ଜେନା ପରାସ୍ତ ହୋଇଛନ୍ତି । ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କୁ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ପରାଜିତ କରିଛନ୍ତି ।ବିଜେଡିର ଗଡ଼ ଧର୍ମଶାଳାରୁ ବିଧାୟକ ପ୍ରଣବ ବଳବନ୍ତରାୟ ପରାଜିତ ହୋଇଛନ୍ତି । ସେଠାରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ପରାସ୍ତ କରିଛନ୍ତି ।  ଚିଲିକା ଆସନରୁ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ ଜିତିଛନ୍ତି । ସେହିପରି କଟକ ସଦର ଆସନରୁ ପୂର୍ବତନ ମନ୍ତ୍ରୀ ବିଜେଡିର ଚନ୍ଦ୍ରସାରଥୀ ବେହେରାଙ୍କୁ ହରାଇ ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ବିଜୟୀ ହୋଇଛନ୍ତି। କୋରାପୁଟରୁ ବିଜେଡି ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହରାଇ ବିଜେପିର ରଘୁରାମ ମାଛ ନିର୍ବାଚନ ଜିତିଛନ୍ତି । ଧାମନଗର ଆସନରୁ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଜୟୀ ହୋଇଛନ୍ତି। ସେହିପରି କଂଟାମାଳ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ମହୀଧର ରଣାଙ୍କୁ ପରାଜିତ କରିଛନ୍ତି। ଫୁଲବାଣୀ ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଉମାଚରଣ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ବିଜେଡିର ଜୟଶ୍ରୀ କହଁରଙ୍କୁ ପରାସ୍ତ କରିଛନ୍ତି।

ସେହିପରି ଘଷିପୁରାରୁ ବିଧାୟକ ବଦ୍ରିନାରାୟଣ ପାତ୍ର ପୁଣିଥରେ ବିଜୟୀ ହୋଇଛନ୍ତି । ସେଠାରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ପାଟକୁରାରୁ ବିଜୟ ମହାପାତ୍ରଙ୍କ ପୁଅ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟୀ ହୋଇଛନ୍ତି । ସେହିପରି ଯଶୀପୁରରୁ ବିଜେପି ବିଧାୟକ ଗଣେଶରାମ ସିଂ ଖୁଂଟିଆ, ଖଣ୍ଡପଡ଼ାରୁ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ବ୍ରଜରାଜନଗରରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଛନ୍ତି । ଚିତ୍ରକୋଣ୍ଡାରୁ ବିଜେଡିର ଲକ୍ଷ୍ମୀପ୍ରିୟା ନାୟକଙ୍କୁ ହରାଇ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ ହୋଇଛନ୍ତି । ସେପଟେ ରଘୁନାଥପାଲ୍ଲୀରୁ ବିଜେପିର ଦୁର୍ଗା ତନ୍ତୀ, ମାଲକାନଗିରିରୁ ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ, ବରିରୁ ବିଜେଡିର ବିଶ୍ୱରଞ୍ଜନ ମଲ୍ଲିକ, କୁଚିଣ୍ଡାରୁ ବିଜେପିର ରବି ନାଏକ, ଭୁବନେଶ୍ୱର ମଧ୍ୟରୁ ବିଜେଡିର ଅନନ୍ତ ନାରାୟଣ ଜେନା, ବାଙ୍କିରୁ ବିଜେଡିର ଦେବୀପ୍ରସାଦ ତ୍ରିପାଠୀ, ଦଶପଲ୍ଲାରୁ ବିଜେଡି ବିଧାୟକ ରମେଶ ବେହେରା, ଆଠମଲ୍ଲିକରୁ ବିଜେଡିର ନଳିନୀକାନ୍ତ ପ୍ରଧାନ, ଆଳିରୁ ମନ୍ତ୍ରୀ ପ୍ରତାପ ଦେବ ଓ ବିଂଝାରପୁରରୁ ପ୍ରମିଳା ମଲ୍ଲିକ ବିଜୟୀ ହୋଇଛନ୍ତି ।


 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.