ନୂଆଦିଲ୍ଲୀ – ପାରାଅଲିମ୍ପିକ୍ସରେ ପଦକ ବିଜେତା ଆଥଲେଟ୍ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ରବିବାର ( ୧ ଅଗଷ୍ଟରେ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ୍ରେ ପଦକ ବିଜେତା ଖେଳାଳିଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ସୂଚନା ଆଧାରରେ, ଭାରତ ରବିବାର ସୁଦ୍ଧା ପ୍ୟାରିସ୍ ପାରାଅଲିମ୍ପିକ୍ସ ଖେଳରେ ମୋଟ ୫ଟି ପଦକ ଜିତିଛି। ଶୁଟର ଅବନୀ ଲେଖରା ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।
ଅବନୀ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ମହିଳା ବର୍ଗର ୧୦ ମିଟର ଏୟାର ରାଇଫଲ (ଏସଏଚ୍ ୧) ପର୍ଯ୍ୟାୟର ସ୍ୱର୍ଣ୍ଣ ପଦକ ଜିତିଛନ୍ତି , ସେପଟେ ଭାରତର ମୋନା ଅଗ୍ରୱାଲ ସେହି ସମାନ ପର୍ଯ୍ୟାୟରେ କାଂସ୍ୟ ପଦକ ଜିତି ଦିନକୁ ସ୍ମରଣୀୟ କରିପାରି ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଅଲିମ୍ପିକ୍ସ ଖେଳରେ ଏବେସୁଦ୍ଧା ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଏଥିରେ ମୋନା ଅଗ୍ରୱାଲ, ପ୍ରୀତି ପାଲ , ମନିଷ ନରୱାଲ ରୁବିନା ଫ୍ରାନ୍ସିସ୍ ସାମିଲ ଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଣ୍ଣ ପଦକ ବିଜେତା ଅବନୀ ଲେଖରାଙ୍କ ସହ କଥାବାର୍ତ୍ତା ହୋଇ ପାରି ନାହିଁ। ସେ ଏହି ସମୟରେ ପାରାଅଲିମ୍ପିକ୍ସ ଖେଳରେ ମିଶ୍ରିତ ୧୦ ମିଟର ଏୟାର ରାଇଫଲ ପ୍ରୋନ୍( ଏସଏଚ ୧) ପର୍ଯ୍ୟାୟରେ ଭାଗ ନେଉ ଥିଲେ।
ହେଲେ ମୋଦି ଅବନୀ ଲେଖରାଙ୍କୁ ଖେଳରେ ତାଙ୍କର ଆଗାମୀ ମୁକାବିଲାରେ ସଫଳତାର ଶୁଭକାମନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଦକ ବିଜେତା ଆଥଲେଟ୍ଙ୍କୁ ଶୁଭେଚ୍ଛା ଦେଇ କହିଛନ୍ତି ଯେ, ସେମାନେ ନିଜର ପ୍ରଦର୍ଶନରେ ଦେଶକୁ ଗୌରବାନ୍ୱିତ କରିଛନ୍ତି।