ଚନ୍ଦ୍ରଶେଖରପୁର,୧୩ ।୯: ରାଜଧାନୀରୁ ଜଣେ ମହିଳା ବ୍ଲାକମେଲର ଧରାପଡ଼ିଛନ୍ତି । ଧରା ପଡ଼ିଥିବା ବ୍ଲାକମେଲର ଓଡ଼ିଶାର ନୁହେଁ । ସେ ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟରେ ମାୟାର ଜାଲ ବିଛାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି । ଦିଲ୍ଲୀ ସାଗରପୁର ଥାନାରେ ଅଭିଯୋଗ ପରେ ସେଠାକାର ପୁଲିସ ମଙ୍ଗଳବାର ସମ୍ପୃକ୍ତ ମହିଳା ବ୍ଲାକମେଲରଙ୍କୁ ପଟିଆର ଏକ ଲଜ୍ରୁ ଉଠାଇନେଇଛି । ତାଙ୍କ ନାମ ଶିବାନୀ ଶର୍ମା । ଘର ଦିଲ୍ଲୀ ତିଲକ ମାର୍ଗ ଅଞ୍ଚଳରେ । ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ ଶିବାନୀ ପଟିଆର ଜଣେ ବଡ଼ ବିଲ୍ଡରଙ୍କୁ ନିଜ ପ୍ରେମଜାଲରେ ଫସାଇଥିଲେ । ତାଙ୍କୁ ଦେଖା କରିବାକୁ ୩ ଦିନ ତଳେ ଭୁବନେଶ୍ୱରରେ ଆସି ରହୁଥିଲେ । ଦିଲ୍ଲୀ ସାଗରପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ସୁନିଲ୍ ସିଂ ତାଙ୍କ ଠକାମିର ଶିକାର ହୋଇଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ସେଠାକାର ପୁଲିସର ଏକ ଟିମ୍ ଶିବାନୀଙ୍କୁ ଧରିବାକୁ ଭୁବନେଶ୍ୱର ଆସିଥିଲା ।
ମିଳିଥିବା ସୂଚନା ମୁତାବକ ମହିଳା ବ୍ଲାକମେଲରଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ । କିନ୍ତୁ ସେ ନିଜକୁ ସବୁଠି ସଫ୍ଟୱେର ଇଞ୍ଜିନିୟର ବୋଲି ପରିଚୟ ଦିଅନ୍ତି । ସେ ଫେସବୁକ ଓ ଇନଷ୍ଟାଗ୍ରାମରେ ଶିକାର ଖୋଜନ୍ତି । ଅନ୍ୟ ରାଜ୍ୟର ବଡ଼ ବଡ ଧନୀ ଶ୍ରେଣୀୟ ବ୍ୟବସାୟୀ ଓ ବିଲ୍ଡରମାନଙ୍କୁ ଅଧିକ ପ୍ରାଥମିକତା ଦିଅନ୍ତି । ସେମାନଙ୍କ ସହ ସୋସିଆଲ ମିଡ଼ିଆରେ ବନ୍ଧୁତା କରି ସମ୍ପର୍କକୁ ଘନିଷ୍ଠ କରନ୍ତି । ପରେ ପ୍ରେମ ନିବେଦନ କରି ଭେଟିବାକୁ ଯାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି । ଏହାପରେ ଶିବାନୀଙ୍କ ଅସଲି କାରନାମା ଆରମ୍ଭ ହୁଏ । ସେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇବା ସହ ଭିଡିଓ ସୁଟିଂ କରିଦିଅନ୍ତି । ଏମିତି କି ସେ କୌଶଳ କ୍ରମେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନ୍ତବସ୍ତ୍ର ସାଙ୍ଗରେ ନେଇ ଆସନ୍ତି । କିଛି ଦିନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ ଆରମ୍ଭ କରିଦିଅନ୍ତି । ଦାବି ମୁତାବକ ଟଙ୍କା କିମ୍ବା ମୂଲ୍ୟର ସମ୍ପତ୍ତି ନ ଦେଲେ ବଳାତ୍କାର ମାମଲାରେ ଛନ୍ଦି ଦେବେ ବୋଲି ଧମକ ଦିଅନ୍ତି । ପ୍ରାୟ ଏକ ଡଜନ୍ରୁ ଉଦ୍ଧ୍ୱର୍ ମାମଲା ତାଙ୍କ ନାମରେ ରହିଥିବା ଦିଲ୍ଲୀ ପୁଲିସ ସୁତ୍ରରୁ ଜଣାପଡ଼ିଛି ।