ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ବାଡ଼ ଯଦି ଫସଲ ଖାଏ: ସନ୍ଦେଶଖାଲି

ଭୁବନେଶ୍ୱର ୧୯/୦୩: ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ, ଏହାର ଅର୍ଥ ଆମେ ଶାସ୍ତ୍ର ଅନୁସାରେ ଏଇଆ ବୁଝୁ- ଯେଉଁଠି ନାରୀଙ୍କୁ ପୂଜା କରାଯାଏ ବା ଉପଯୁକ୍ତ ସମ୍ମାନ ଦିଆଯାଏ, ସେଠାରେ ଦେବତା ବାସ କରନ୍ତି । ବୈଦିକ ଯୁଗରେ ନାରୀଜାତିଙ୍କ ପାଇଁ ତାହା ହୁଏତ ଏକ ସ୍ୱର୍ଣ୍ଣିମ ସମୟ ଥାଇପାରେ । ନହେଲେ ନର୍କର ଅବସ୍ଥା ଭୋଗୁଥିବା ସେହି ନାରୀଙ୍କ ପାଇଁ ଏହା ଏକ ଦିବାସ୍ୱପ୍ନ ନୁହେଁ ତ ଆଉ କ’ଣ? କୁହାଯାଏ, ଗୋଟେ ଦେଶ କି ରାଜ୍ୟ ସେତିକିବେଳେ ସମୃଦ୍ଧ ମନେହୁଏ, ଯେତେବେଳେ ସାମଗ୍ରିକ ଭାବେ ସେ ଦେଶର ନାରୀଶକ୍ତିର ଉନ୍ନତି ହୁଏ । କିନ୍ତୁ ଯେଉଁଠି ସାର୍ବଜନୀନ ଭାବେ ନାରୀମାନେ ଶୋଷିତ, ଲାଞ୍ଛିତ, ଅପମାନିତ ଓ ନିର୍ଯାତିତ ହୁଅନ୍ତି, ସେ ରାଜ୍ୟର ମାନକ କ’ଣ ହେବ? ବେଶୀ ନୁହେଁ, କଲିକତା ଠାରୁ ଅଢ଼େଇ କି ତିନିଘଣ୍ଟା ଭିତରର ରାସ୍ତା ହେବ ବର୍ତ୍ତମାନର ବହୁଚର୍ଚ୍ଚିତ ସନ୍ଦେଶଖାଲି ।

ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ଯେଉଁ ସନ୍ଦେଶଖାଲି ଆଗରୁ ପଶ୍ଚିମବଙ୍ଗର ଇକୋ ଟୁରିଜିମରେ ନିଜର ଅବଦାନ ପାଇଁ ପ୍ରସିଦ୍ଧି ଲାଭ କରିଥିଲା । ଯେଉଁଠି ପର୍ଯ୍ୟଟକମାନେ ହେନ୍ତାଳ ବନର ଅନୁପମ ସୌନ୍ଦର୍ଯ୍ୟ, ନୌକା ବିହାର, ପକ୍ଷୀ ବିହାର କରି ଅନେକ ଦେଶୀ ଓ ପ୍ରବାସୀ ପକ୍ଷୀଙ୍କ କଳରବ ଶୁଣି ରୋମାଞ୍ଚିତ ହେଉଥିଲେ । ସର୍ବୋପରି ସୁନ୍ଦରବନ ଅଭ୍ୟନ୍ତରରେ ଥିବା ସନ୍ଦେଶଖାଲିର ମୂଳ ଜନଜାତି ବାସିନ୍ଦାଙ୍କ ଜୀବନଚର୍ଯ୍ୟା ଦେଖି ଏବଂ ନୈସର୍ଗିକ ସୁଷମାରାଜିକୁ ଉପଭୋଗ କରି ନିଜକୁ ଧନ୍ୟ ମନେ କରୁଥିଲେ । ସେ ସନ୍ଦେଶଖାଲି ଆଜି ଦୁର୍ବୁତ୍ତଙ୍କ କବଳରେ ଅସ୍ଥିର ଓ ଉତ୍‌କ୍ଷିପ୍ତ । ସେ ମାଟିର ଲକ୍ଷ୍ମୀପ୍ରତିମାଙ୍କ ଲୁହ ଓ କୋହରେ ଅଧୀର, ଅଶାନ୍ତ । ଯାହା ଗଣମାଧ୍ୟମର ତଥ୍ୟ, ପ୍ରମାଣ ଓ ସାକ୍ଷାତକାରରୁ ଜଣାପଡ଼େ ସନ୍ଧ୍ୟାହେଲେ ସେଠାରେ ତାଟିକବାଟ ପଡ଼ିଯାଉଥିଲା, ଆଶଙ୍କାରେ ନିଦ ହଜିଯାଉଥିଲା ଯେ କେତେବେଳେ କାହା କବାଟ ଠକଠକ ହେବ । ଘର ଘର ବୁଲି ସ୍ତ୍ରୀଲୋକଙ୍କ ବୟସ ବୁଝିବା, କାହା ଘରେ କେତେଜଣ ଯୁବତୀ ଝିଅ ଓ ବୋହୂ ଅଛନ୍ତି ଟିପି ରଖିବା, ରାତିଅଧରେ ପାର୍ଟି ଅଫିସକୁ ଡାକିବା, ନଗଲେ ପରିବାରକୁ ମାରିଦେବାର ଧମକ ଦେବା, ପୋଲିସରେ ଅଭିଯୋଗ କଲେ ଅଭିଯୋଗ ନରଖିବା ଆଦି କି ଭୟଙ୍କର ପରିସ୍ଥିତି! ଏ ତ ମଧ୍ୟଯୁଗୀୟ ଶାସନକୁ ବଳିଗଲା ପରି ଅବସ୍ଥା । କିଛି ସ୍ତ୍ରୀଲୋକଙ୍କୁ ଅନେକ ଦିନ ଧରି ତୃପ୍ତ ନହେଲାଯାଏଁ ଗାୟବ କରି ରଖିବା, ସାଧାରଣ ନିରୀହ ଲୋକଙ୍କ ଜମିବାଡ଼ି, ସମ୍ପତ୍ତିକୁ କବଜା କରି ଅକ୍ତିଆର କରି ରଖିବା, ଏସବୁ କ’ଣ ସ୍ୱାଧୀନୋତ୍ତର ଗୋଟେ ଗଣତାନ୍ତ୍ରିକ ମୂଲ୍ୟବୋଧର ଡିଣ୍ଡିମ ପିଟୁଥିବା ରାଜ୍ୟରେ ସମ୍ଭବ? ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ଅନେକ ଦିନରୁ ସେ ସ୍ଥାନରେ ଗରିବ ଜନତାଙ୍କୁ ଯୋଗାଯାଉଥିବା କୋଟି କୋଟି ଟଙ୍କାର ରାସନର ହେରଫେର ଠାରୁ ଆରମ୍ଭ କରି ବର୍ତ୍ତମାନର ଯୌନ କେଳେଙ୍କାରୀ ପର୍ଯ୍ୟନ୍ତ ତଥ୍ୟ ପ୍ରମାଣ, ନିଶ୍ଚୟ ଦେଶର ସମସ୍ତଙ୍କ ନିମନ୍ତେ ଏକ ଚିନ୍ତା ଉଦ୍ରେକକାରୀ ପ୍ରସଙ୍ଗ ହେବ । ସ୍ଥାନୀୟ ପ୍ରଶାସନର ନାକତଳେ ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ଏସବୁ ଘଟଣା ଅନେକ ଦିନରୁ ଘଟିଆସୁଥିବା ସତ୍ତେ୍ୱ ପ୍ରଶାସନ କେମିତି ଅଗୋଚରରେ ରହିଲା? କିନ୍ତୁ ଏହା ସତ ଯେ "ଜାଣି ଅଜଣାଙ୍କୁ କ’ଣ କହିହେବ? ଯେଉଁଠି ଲୋକଙ୍କ ହା-ହୁତାଶ ସତ୍ତେ୍ୱ ପୋଲିସ ଓ ପ୍ରଶାସନ ସ୍ଥାଣୁ । ସେଠି ଜୋର ଯାର ମୂଲକ ତାର, ଦାୟରେ କେବଳ ଗୁଣ୍ଡାରାଜ ହିଁ ସମ୍ଭବ, ଯାହା ଏଠାରେ ଘଟିଛି ।

ନାରୀଙ୍କ ଇଜ୍ଜତ ମହତ ସଙ୍ଗେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଏ ବ୍ୟଭିଚାର ଖେଳ ଲୋକଲାଚନ ଆଢୁଆଳେ ହୁଏତ ଆହୁରି ଚାଲିଥାନ୍ତା, ଯଦି ଖୋଦ୍‌ ସେଇ ଅତ୍ୟାଚାରିତ ମହିଳାମାନେ ନିଜ ହାତରେ ଲାଠି ଓ ଝାଡୁ ଧରି ଜୀବନକୁ ପାଣି ଛଡେଇ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇନଥାନ୍ତେ । ଗତ ଫେବ୍ରୁଆରୀ ୧୨ ତାରିଖରେ ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ସି. ବି. ଆନନ୍ଦ ବୋଷଙ୍କ ଗସ୍ତ ସମୟରେ କାନ୍ଦିକାନ୍ଦି ଉଦ୍ଧାର କରିବାକୁ ଗୋଡ଼ହାତ ଧରୁଥିବା ମହିଳା ହୁଅନ୍ତୁ, କି ଜାତୀୟ ମହିଳା କମିଶନଙ୍କ ଫ୍ୟାକ୍ଟ-ଫାଇଣ୍ଡିଙ୍ଗ ଟିମ ଆଗରେ କୋହଭରା କଣ୍ଠରେ ମହିଳାମାନଙ୍କ ସାକ୍ଷ୍ୟଦେବା ଘଟଣା ହେଉ, ଏସବୁ କିଛି ଏକ ବିପଦସଙ୍କୁଳ ଶାସନ ବ୍ୟବସ୍ଥାକୁ ଦର୍ଶାଉଛି । ସେମିତି ଏଇ ଫେବ୍ରୁଆରୀ ୧୫ରେ ଜାତୀୟ ଅନୁସୂଚିତ ଜାତି ଆୟୋଗ ଓ ଫେବ୍ରୁଆରୀ ୨୪ରେ ଜାତୀୟ ମାନବାଧିକାର ଆୟୋଗଙ୍କ ପରିଦର୍ଶନ ସହ କ୍ଷୋଭଭରା ନକାରାତ୍ମକ ଟିପ୍‌ପଣୀ ସେ ରାଜ୍ୟରେ ଅରାଜକତାର ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ଆଶ୍ଚର୍ଯ୍ୟର କଥା, ଆଜିପର୍ଯ୍ୟନ୍ତ ଖୋଜି ପାଉନଥିବା ସନ୍ଦେଶଖାଲିର ମୁଖ୍ୟ ଅଭିଯୁକ୍ତ ଶେଖ୍‌ ଶାହାଜାହନ କୋର୍ଟର ହସ୍ତକ୍ଷେପ ପରେ ପରେ ହଠାତ୍‌ ପୋଲିସ ହାତରେ ଧରାପଡ଼ିବା ହାସ୍ୟାସ୍ପଦ ନୁହେଁ କି? ଜନସାଧାରଣଙ୍କ ଆକ୍ରୋଶରୁ ବର୍ତ୍ତିବାର ବଢ଼ିଆ ଉପାୟ । ଅନୁସନ୍ଧାନରୁ ଯାହା ଜଣାଯାଏ, ଏ ଘଟଣାର ମୁଖ୍ୟ ଆରୋପୀ ଶେଖ୍‌ ଶାହାଜାହନ ଜଣେ ଅବୈଧ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ । ଯାହାର ପୃଷ୍ଠପୋଷକତାରେ ସ୍ମଗଲିଙ୍ଗ, ଗୋ-ତସ୍କରୀ, ଯୁବତୀ ଚାଲାଣ ଓ ଲୋକଙ୍କ ଜମି ହଡ଼ପ ଆଦି ଅନେକ ବେନାମୀ ଧନ୍ଦା ସେଠାରେ ନିର୍ବିଘ୍ନରେ ଚାଲିଥିଲା । ଏହା ତ ଭାତହାଣ୍ଡିରୁ କେବଳ ଗୋଟିଏ । ତୁଷ୍ଟିକରଣ ରାଜନୀତି ଓ ଭୋଟବ୍ୟାଙ୍କ ପଲିଟିକ୍ସ ପାଇଁ, ସେ ଏକା ନୁହେଁ, ତା’ପରି ଅନେକ ବେନାମୀ ଅନୁପ୍ରବେଶକାରୀ ରାଜନୈତିକ ଶ୍ରେୟରେ ନିଜର ଅପରାଧିକ ସାମ୍ରାଜ୍ୟ ସେ ଆଖପାଖରେ ବିସ୍ତାର କରିଚାଲିଥିଲେ ଓ ଏବେ ବି ଚାଲିଛନ୍ତି ।

କହିବା ବାହୁଲ୍ୟ, ଏ ଧରାପଡ଼ିବା ଓ ଏଥିନିମନ୍ତେ ହେବାକୁ ଥିବା ରାଜ୍ୟ ପୋଲିସର ତଦନ୍ତ ଯେ କେତେଦୂର ନିରପେକ୍ଷ ହେବ, ତାହା ତ ସମୟ କହିବ । କିନ୍ତୁ ଏସବୁ ପ୍ରଚ୍ଛଦପଟ୍ଟ କେବଳ ଗୋଟିଏ ଆଡ଼କୁ ଦିଶାନିର୍ଦ୍ଦେଶ କରେ, ତାହା ହେଉଛି ରାଜନୈତିକ ଅପରାଧୀକରଣ ବା ଶାସନ ବ୍ୟବସ୍ଥା । ଅପରାଧୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯାପନ । ସ୍ଥାନୀୟ ଲୋକଙ୍କ ଦାରିଦ୍ର‌୍ୟତା ଓ ଅସହାୟତାର ସୁଯୋଗ ନେଇ ଶାସକ ଦଳର କିଛି ଗୁଣ୍ଡା ଏହି ବ୍ୟବସ୍ଥାଗତ ସାମାଜିକ, ଅର୍ଥନୈତିକ ତଥା ଯୌନ ଶୋଷଣର ଭିତ୍ତିଭୂମି ସେଠାରେ ପକେଇଛନ୍ତି । ଏହା ମଧ୍ୟ ଅବିଶ୍ୱସନୀୟ ସତ ଯେ, ଜଘନ୍ୟ ଅଭିଯୋଗ କରୁଥିବା ଏହି ସ୍ଥାନର ଅତ୍ୟାଚାରିତ ମହିଳାଗଣ, ସେହି ଶାସକ ଦଳର ସମର୍ଥକ ଓ କର୍ମୀ ଅଟନ୍ତି । କିନ୍ତୁ ଏମାନେ ଗୋଟିଏ ସମ୍ପ୍ରଦାୟର (ହିନ୍ଦୁ) । ନିଜ ମାଟିରେ ନିଜେ ଲାଞ୍ଛିତ ଏମାନେ, ଏହାଠାରୁ ବିଡ଼ମ୍ବନାର ବିଷୟ କ’ଣ ଥାଇପାରେ ।

ସେଠାର ଭୌଗୋଳିକ ଅବସ୍ଥିତିକୁ ଦେଖିଲେ ଜାଣିହେବ, ଏହା ସୁନ୍ଦରବନରେ ଅବସ୍ଥିତ ବାଙ୍ଗଲାଦେଶର ଏକ ସମୀପବର୍ତ୍ତୀ କ୍ଷେତ୍ର । ଏଥିରୁ ଅନୁମେୟ ଯେ, ସେ ଜାଗାରେ କେତେ ସଂଖ୍ୟାରେ ଅବୈଧ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ଅନୁପ୍ରବେଶ ଘଟିଥିବ ଓ ଲୋକଲୋଚନର ଆଢୁଆଳେ କେତେ ସଂଖ୍ୟାରେ ଏମାନଙ୍କୁ ଥଇଥାନ ବି କରାଯାଇନଥିବ? ଯାହାର ପରିଣାମ ଆଜି ଆମ ଆଖିଆଗରେ । ଏହି ଅବୈଧ ଅନୁପ୍ରବେଶ ଯୋଗୁ ଧୀରେ ଧୀରେ ସେହିସବୁ ସ୍ଥାନର ଜନ ପରିସଂଖ୍ୟାନ ସମୀକରଣ ବା ଡେମୋଗ୍ରାଫି ଷ୍ଟ୍ରକଚର ବି ବଦଳିବାକୁ ଲାଗିଲାଣି । ସେଠାର ପ୍ରଶାସନିକ ସ୍ଥାଣୁତା ଏବଂ ରାଜନୈତିକ ପ୍ରୋତ୍ସାହନରେ ଘଟୁଥିବା ଏ ଅନୁପ୍ରବେଶ ଆଜି ଏବଂ ଆଗାମୀ ଦିନ ପାଇଁ କେତେବଡ଼ ଭୟଙ୍କର ସମସ୍ୟା ସୃଷ୍ଟି କରିବାକୁ ଯାଉଛି, ଖୁବ୍‌ ଅଳ୍ପଦିନରେ ବୁଝିହେବ । ଅସଲ କଥା ହେଲା ସ୍ୱାଧୀନୋତ୍ତର ଭାରତର ପ୍ରାରମ୍ଭରେ ଯେଉଁ ବିଷମଞ୍ଜି ଜନତାଙ୍କ ଅଗୋଚରରେ ବୁଣାଯାଇଥିଲା, ଆଜି ତାହା ଧୀରେ ଧୀରେ ଫଳ ଦେବାକୁ ଆରମ୍ଭ କଲାଣି । ଆମେ ହୁଏତ ଆଜି ଏସବୁଥିରୁ ନିଜକୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ  ରଖି ସୁରକ୍ଷିତ ମନେକରୁଛେ, କିନ୍ତୁ କାଲି ଯେତେବେଳେ ଆମ ଘର ଆଗରେ ବି ସେହି ସମାନ ଉଦାହରଣ ଘଟିବ, ସେତେବେଳେ ବୋଧହୁଏ ଆମ ଚେତା ପଶିବ । ପରିସ୍ଥିତିକୁ ଆମେ ଆଖି ବୁଜି ବିଲେଇ ପରି କ୍ଷୀର ପିଇଲେ ଯେ ଦୁନିଆ ଅନ୍ଧାର ହୋଇଯାଏନି, ଏକଥା ଦେଶବାସୀ କେବେ ହେଜିବେ? ସାମ୍ପ୍ରତିକ ରାଜନୈତିକ ଅଧୋଗତିର ଅନ୍ୟତମ କାରଣ ସାଜିଥିବା ଏବଂ ଭାରତୀୟ ଜନଜୀବନକୁ ଅସୁରକ୍ଷାର ବଳୟକୁ ଠେଲି ଦେଉଥିବା, ଏ ବେଆଇନ ଅନୁପ୍ରବେଶକୁ ରୋକିବା ନିମନ୍ତେ କଠୋର ପଦକ୍ଷେପ ଗ୍ରହଣ କରାଯାଉ । ଏ ପରିପ୍ରେକ୍ଷୀରେ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ଅଛି ।

ଏହାକୁ ମଧ୍ୟ ଏଡ଼ାଇ ହେବନି ଯେ ସେ ସନ୍ଦେଶଖାଲି ହେଉ, କି ମଣିପୁର, ସେ ବ୍ୟକ୍ତିଗତ ସ୍ତରରେ ହେଉ ବା ସାମୂହିକ, କୌଣସି ହିଂସା ବା ବିଦ୍ୱେଷ ଜ୍ୱାଳାର ସହଜଲଭ୍ୟ ଶିକାର ହେଲା ନାରୀ । ଏସବୁ ଘଟଣାକୁ ନିରିଖେଇ ଦେଖିଲେ ମନେହୁଏ, ସେ ପାରିବାରିକ ସ୍ତରରେ ହେଉ ଅବା ସାମାଜିକ ସ୍ତରରେ, ସତେ ଯେମିତି ଜାତି ଧର୍ମ ନିର୍ବିଶେଷରେ ନାରୀକୁ ପ୍ରତାଡ଼ିତ କରିବାରେ ବୋଧେ ପୁରୁଷାର୍ଥ ଚରିତାର୍ଥ ହୁଏ । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟକୁ ଆଧାର କରି କିଛି ମାସ ତଳେ ଜଣାଶୁଣା ଖବରକାଗଜର ଏକ ରିପୋର୍ଟରୁ ଯାହା ଜଣାପଡ଼େ, ମହିଳାଙ୍କ ବିରୁଦ୍ଧରେ ଅପରାଧ ଓ ହିଂସାର ହାରରେ ୪% ଅଭିବୃଦ୍ଧି ଘଟିଛି ।

ମଣିପୁର କ୍ଷେତ୍ରରେ ହୁଲସ୍ତୁଲ କରି ଜାତୀୟ, ଅନ୍ତର୍ଜାତୀୟ ମେଡିଆ, ବୁଦ୍ଧିଜୀବୀ ଓ ବିରୋଧୀ ଯେପରି ମାସ ମାସ ଧରି ସରକାରଙ୍କୁ ଆଲୋଚନା ଓ ସମାଲୋଚନା ମାଧ୍ୟମରେ ଘେରିଥିଲେ, ଏ କ୍ଷେତ୍ରରେ କାହିଁକି ସେପରି କିଛି ଆଖିଦୃଶିଆ ପ୍ରତିବାଦର ଦୃଶ୍ୟ ତ ଦେଖିବାକୁ ମିଳୁନାହିଁ । ସବୁ ବିରୋଧୀଙ୍କ ପାଟିରେ ତାଲା । ସେମାନେ ବି ନାରୀ ଥିଲେ, ଏମାନେ ବି ନାରୀ । ଗାରିମାହାନି ଉଭୟଙ୍କ କ୍ଷେତ୍ରରେ ଘଟିଛି, ଅତ୍ୟାଚାରିତ ଉଭୟେ ହୋଇଛନ୍ତି । କିନ୍ତୁ ଦୃଷ୍ଟିଭଙ୍ଗୀରେ ଫରକ କାହିଁକି ଆସୁଛି? ଏହା ବୋଧେ ଆମ ରାଜନୈତିକ ଚିତ୍ର ଓ ଚରିତ୍ର ।

ବିଡ଼ମ୍ବନାର ବିଷୟ, କୌଣସି ପୁରୁଷ ନୁହେଁ, ଜଣେ ମହିଳା ଶାସନ ପ୍ରମୁଖ ଥିବା ରାଜ୍ୟରେ ଏବଂ ଜଣେ ମହିଳା ସ୍ଥାନୀୟ ସାଂସଦ ଥିବା କ୍ଷେତ୍ରରେ ସେଇ ସ୍ଥାନୀୟ (ସନ୍ଦେଶଖାଲି) ଅଞ୍ଚଳର ମହିଳାମାନେ ଦିନ ଦିନ ଧରି ଅତ୍ୟାଚାରିତ, ନିଷ୍ପେଷିତ ଏବଂ ନ୍ୟାୟ ପାଇଁ ଆକୁଳ ବିକଳ ହେଉଛନ୍ତି । ଏତେସବୁ କ୍ଷୋଭ ଅନର୍ଗଳ ବଖାଣିଦେଲା ପରେ ଟିକେ ଦମ୍‌ ନେଇ ସହଧର୍ମିଣୀଙ୍କୁ ଚାହିଁଲି । ଏପର୍ଯ୍ୟନ୍ତ ଚୁପ୍‌ଚାପ୍‌ ଶୁଣୁଥିବା ସହଧର୍ମିଣୀ, ଦୀର୍ଘଶ୍ୱାସ ସହ ବେଶୀ କିଛି ନକହି ଖାଲି ପଦେ କଥା ମୋ ଆଡ଼େ ଚାହିଁ କହିଲେ "ବାଡ଼ ଯଦି ଫସଲ ଖାଇବା ଆରମ୍ଭ କରେ, ତାହେଲେ ସେ ଫସଲକୁ ବଞ୍ଚେଇବ କିଏ?'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.