ଭୁବନେଶ୍ବର,୩୦/୦୩: ଖଞ୍ଜଣି ଆଉ ମୃଦଙ୍ଗର ତାଳରେ ତାଙ୍କ ପାଟିରୁ ଅନର୍ଗଳ ବାହାରୁଥିଲା ପୂରାଣର ସାରକଥା। ଛନ୍ଦ ତାଳରେ ପୌରାଣିକ ରଚନାବଳୀ ଓ ଉତ୍କଳୀୟ କଳା ସଂସ୍କୃତିର ନିଚ୍ଛକ କାହାଣୀକୁ ସେ ପରିପ୍ରକାଶ କରୁଥିଲେ ସ୍ରୋତାଙ୍କ ଆଗରେ। ପ୍ରଥା ଓ ପରମ୍ପରାର କଥାକୁ ଆଗେଇ ନେବାରେ ସେ ଥିଲେ ଜଣେ ଧୁରିଣ ସାରଥି। ସଂକୀର୍ତ୍ତନ ଥିଲା ତାଙ୍କ ଜୀବନ ଓ ଜିବୀକା। ଓଡ଼ିଶାରେ ସଂକୀର୍ତ୍ତନ କଳାକୁ ଆଗେଇ ନେଇ ଏକ ଅଗ୍ରଣୀ ଭୁମିକା ନିଭାଇଥିବା ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ବାଇଗୁଣିଆ ଗାଁର ଶ୍ରୀ ମଦନ ମୋହନ ଦାଶଙ୍କର ମାର୍ଚ୍ଚ ୨୯ ତାରିଖ (ଶୁକ୍ରବାର) ରାତି ୧୦ଟାରେ ମହାପ୍ରୟାଣ ଘଟିଛି। ଦୀର୍ଘଦିନ ହେବ ସେ କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିଲେ।
୧୯୫୬ ମସିହାରେ ବାଇଗୁଣିଆ ଗାଁରେ ପିତା ଅରକ୍ଷିତ ଦାଶ ଓ ମାତା ତାରା ଦାଶଙ୍କ କୋଳ ମଣ୍ଡନ କରିଥିଲେ ମଦନମୋହନ। ପିଲାଟି ଦିନରୁ ଓଡ଼ିଶାର ପ୍ରଥା, ପରମ୍ପରା, ସଂସ୍କୃତି ଓ ଐତିହ୍ୟର ନାମାବଳୀକୁ ଜପି ଶେଷରେ ଜଣେ ଶ୍ରେଷ୍ଠ ଗାୟକର ପରିଚୟ ବହନ କରିଥିଲେ ସେ। ଅଗ୍ରଣୀ ସଂକୀର୍ତ୍ତନ ଗାୟକଙ୍କ ସହିତ ପୁରାଣଲୀଳାରେ ତର୍କ ହେଉ ବା ସଂକୀର୍ତ୍ତନର ସାରକଥାକୁ ସାବଳୀଳ ଭାବେ ଦର୍ଶକାଦୃତି କରିବା ହେଉ, ସବୁଥିରେ ସେ ଥିଲେ ଆଗଭବ ଓ ଅଭିଜ୍ଞ।
ସଂକୀର୍ତ୍ତନ ପରିବେଷଣ କରୁଥିବା ବେଳେ ମଦନ ମୋହନ
ମାଟି ପିଣ୍ଡୁଳାକୁ ପିଟି ପିଟି ପାତ୍ରରେ ପରିଣତ କରିବା ଭଳି ମଦନମୋହନ ତାଙ୍କ ଜୀବନ କାଳରେ ଅନେକ ଶିଷ୍ୟଙ୍କୁ ତାଙ୍କ ଚାଟଶାଳୀରେ ଦେଇଛନ୍ତି ସଂକୀର୍ତ୍ତନ ପରିବେଷଣ ଶିକ୍ଷା। ରାଜ୍ୟରେ ଓ ରାଜ୍ୟ ବାହାରେ ସଂକୀର୍ତ୍ତନର ପ୍ରଚାର ପ୍ରସାର ଏବଂ ଏହି କଳାକୁ ବଞ୍ଚାଇ ରଖିବାକୁ ଆଗଭର ହୋଇଥିବା କଳାକାର ମାନଙ୍କ ସୁରକ୍ଷା ପାଇଁ ସେ ଗଢ଼ିଥିଲେ ଉତ୍କଳ ସଂକୀର୍ତ୍ତନ ମହାସଂଘ। ଏବଂ ଏହାର ସମ୍ପାଦକ ଭାବେ ଅନେକ ଦିନ ହେବ ଗୁରୁଦାୟିତ୍ବ ତୁଲାଇଥିଲେ।
ଆଜି ଏଭଳି ଜଣେ ସାଧକଙ୍କୁ ହରାଇ କାନ୍ଦୁଛି ସଂକୀର୍ତ୍ତନ ଜଗତ। ଗୁରୁଙ୍କୁ ହରାଇ ଆଜି ଶିଷ୍ୟଟିଏ ବି ବାହୁନୁଛି ତାଙ୍କ ସହିତ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତର ସ୍ମୃତିକୁ। ମଦନମୋହନଙ୍କ ପରଲୋକରେ ଶୋକାକୁଳ ହୋଇପଡ଼ିଛି ଜନ୍ମମାଟି ବାଇଗୁଣିଆ। ପରିବାର ବର୍ଗଙ୍କ ସମେତ ବନ୍ଧୁ ପରିଜନ ପ୍ରିୟ ମଣିଷଙ୍କୁ ହରାଇ ଆଜି ମ୍ରିୟମାଣ। କୁହନ୍ତି କଳାକାରର ମୃତ୍ୟୁ ନଥାଏ...ସେ ଛାଡ଼ିଯାଇଥିବା ତାଙ୍କ ପରିଚୟ ଆଜି ତାଙ୍କୁ ଅମର କରି ରଖିବ ଜନମାନସରେ। ପ୍ରମେୟ ପରିବାର ତରଫରୁ ଏପରି ଜଣେ ଅମଳୀନ ପ୍ରତିଭାଙ୍କୁ ଶ୍ରଦ୍ଧାଞ୍ଜଳି।