ନୂଆଦିଲ୍ଲୀ,୨୪/୮: ହାତରେ କଳା ପଟି ଆଉ ମୁହଁରେ ମାସ୍କ ପିନ୍ଧି ଧାରଣାରେ ବସିଲେ ଏନ୍ସିପି ମୁଖିଆ ଶରଦ ପାଓ୍ୱାର। ମହାରାଷ୍ଟ୍ରର ବଦଲାପୁର ସ୍କୁଲରେ ଦୁଇ ପିଲାଙ୍କୁ ଦିଆଯାଇଥିବା ଯୌନ ନିର୍ଯାତନାକୁ ବିରୋଧ କରି ବସିଚନ୍ତି ଧାରଣାରେ । ତେବେ ଏହି ଘଟଣାକୁ ନେଇ ମହାବିକାଶ ଅଘାଡି ଆଜି ମହାରାଷ୍ଟ୍ର ବନ୍ଦ ଡାକରା ଦେଇଥିବା ବେଳେ ବମ୍ବେ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ଯାହାକୁ ନେଇ ପୁଣେରେ ଏମଭିଏ ଦଳ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଶରଦ ପାୱାର କଳାପଟି ପିନ୍ଧି ଦଳର ନେତା ତଥା କର୍ମୀଙ୍କ ସହ ଧାରଣାରେ ବସିଛନ୍ତି। ତାଙ୍କ ସହ ଝିଅ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଅଛନ୍ତି। ସେଠାରେ ଜନସଭାକୁ ସମ୍ବୋଧିତ କରି ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଶରଦ ପାଓ୍ୱାର। ସେ କହିଛନ୍ତି, 'ଆମେ ଏଠାରେ ଏକ ଦୁଃଖଦ ଓ ଚିନ୍ତାଜନକ ଘଟଣା ବିରୋଧରେ ଏକାଠି ହୋଇଛୁ। ମହାରାଷ୍ଟ୍ରରେ ପ୍ରତିଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ହେଉଥିବା ଖବର ଶୁଣିବାକୁ ମିଳୁଛି। ସରକାର ଏହି ଘଟଣାକୁ ଗୁରୁତର ସହ ନେତା ଉଚିତ। ଯେତେ ଯାଏ ଦୋଷୀଙ୍କୁ ଫାଶୀ ଦଣ୍ଡ ନ ମିଳିଛି ସେତେଯାଏ ଆମେ ବିରୋଧ ଜାରି ରଖିବୁ।' ସେପଟେ ଏନ୍ସିପି ନେତା ସୁପ୍ରିୟା ସୁଲେ ମଧ୍ୟ ବଦଲାପୁର ଘଟଣାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ସେପଟେ ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି, 'ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ମହା ବିକାଶ ଅଗାଡି ଆଜି ବନ୍ଦ ଡାକରା ଦେଇଥିଲା। ଏହା ନ କରିବାକୁ କୋର୍ଟ କହିଛନ୍ତି। ଆମେ କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ, କିନ୍ତୁ ଆମେ ବିରୋଧ କରିବୁ।