କଟକ,୦୬/୦୮: ବାତ୍ୟା ବା ତୋଫାନ ଭଳି ପ୍ରାକୃତିକ ଦୁର୍ବିପାକ ଜନିତ ପ୍ରତିକୂଳ ପରିସ୍ଥିତିର ସେ ମୁକାବିଲା କରିପାରିବ । ମାଟି ତଳେ ପୋତି ହୋଇ ରହିଥାଉ ବା ଭଙ୍ଗା ଘର ତଳେ ଚାପି ହୋଇ ରହିଥାଉ ମଣିଷ ଶରୀରରେ ଜୀବନ ଥାଉ ବା ମୃତ୍ୟୁ ହୋଇଥାଉ, ପବନରୁ ଗନ୍ଧ ବାରି ସେ ଖୋଜି ବାହାର କରିପାରିବ । ସେଥିପାଇଁ ତାର ନାଁ ‘ଷ୍ଟର୍ମ’ । କେରଳର ୱାୟନାଡ୍ ଭୂସ୍ଫଳନ ସ୍ଥଳରେ ଅନେକ ଲୋକ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କୁ ଠାବ କରିବା ପାଇଁ ଯାଇଥିବା ଓଡ଼ିଶା ପୁଲିସର ସ୍ୱତନ୍ତ୍ର ପ୍ରଶିକ୍ଷିତ ସନ୍ଧାନୀ କୁକୁର ଷ୍ଟର୍ମ ଏବେ ବେଶ ଚର୍ଚ୍ଚାରେ । ସୋମବାର ୱାୟନାଡ୍ ଭୂସ୍ଫଳନ ସ୍ଥଳରେ ପହଞ୍ଚିଛି ‘ଷ୍ଟର୍ମ’ ଡଗ୍ । ସେଠାରେ ପୂର୍ବରୁ ଉପସ୍ଥିତ ଅନ୍ୟ ସରକାରୀ ଏଜେନ୍ସି ସହିତ ମିଶି ଷ୍ଟର୍ମ ତାର ଅପରେସନ୍ ଆରମ୍ଭ କରିଥିବା କ୍ରାଇମବ୍ରାଞ୍ଚ୍ ସୂଚନା ଦେଇଛନ୍ତି।
୨୦୧୮ ମସିହା ସେପ୍ଟେମ୍ବର ମାସରେ ଷ୍ଟର୍ମର ଜନ୍ମ । ସେ ଉନ୍ନତ ମାନର ଜର୍ମାନ୍ ସେଫର୍ଡ୍ ପ୍ରଜାତିର । ଭୁବନେଶ୍ୱରର ଜଣେ ପଞ୍ଜିକୃତ କୁକୁର ପାଳକଙ୍କଠାରୁ ଷ୍ଟର୍ମକୁ ୨୦୧୯ ମସିହାରେ ରାଜ୍ୟ ପୁଲିସ କ୍ରାଇମ୍ବ୍ରାଞ୍ଚ୍ର କେ-୯ ସ୍କ୍ୱାଡ୍କୁ ଅଣାଯାଇଥିଲା । ସେତେବେଳେ ତାର ବୟସ ଥିଲା ମାତ୍ର ୫ ମାସ । ପରେ ତାର ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା । ରାଜ୍ୟରେ ବାରମ୍ବାର ହେଉଥିବା ପ୍ରାକୃତିକ ଦୁର୍ବିପାକ ବେଳେ ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ପାଇଁ ‘ଷ୍ଟର୍ମ’କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି । ମାଟିତଳୁ କିମ୍ବା ଭଙ୍ଗା କୋଠାବାଡ଼ି ତଳୁ ମଣିଷ ଶରୀରର ବାସ୍ନାକୁ ଶୁଙ୍ଘି ବାହାର କରିବା ପାଇଁ ପ୍ରାୟ ୯ ମାସ ପର୍ଯ୍ୟନ୍ତ ‘ଷ୍ଟର୍ମ’କୁ ପ୍ରଶିକ୍ଷଣ ଦିଆଯାଇଛି । ସେ ଓଡ଼ିଶା ପୁଲିସର ଏକମାତ୍ର କୁକୁର ବା ଶ୍ୱାନ ଯାହାର ପଞ୍ଜୀକରଣ ନମ୍ବର ଅଛି । ଚେନ୍ନାଇରେ ଥିବା କେନେଲ୍ କ୍ଲବ୍ ଅଫ୍ ଅଣ୍ଡିଆରେ ‘ଷ୍ଟର୍ମ’ର ନାଁ ପଞ୍ଜିକୃତ ହୋଇଛି । କିଛି ବର୍ଷ ହେବ ଦକ୍ଷିଣ ଓଡ଼ିଶାରେ ଖାସ୍ କରି ଗଜପତି ଜିଲ୍ଲାରେ ଛୋଟବଡ଼ ଭୂସ୍ଫଳନ ଭଳି ଘଟଣା ଘଟିଛି । ସେହିପରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାରମ୍ବାର ବାତ୍ୟାର ପ୍ରକୋପ ମଧ୍ୟ ରହୁଛି । ସେଥିପାଇଁ ‘ଷ୍ଟର୍ମ’ର ପ୍ରଶିକ୍ଷଣ ପରେ ଦକ୍ଷିଣ ଓଡ଼ିଶା ଜୋନ୍ ଅଞ୍ଚଳରେ ତାକୁ ଡ୍ୟୁଟି ଦିଆଯାଇଛି ।
ଷ୍ଟର୍ମର ବୟସ ଏବେ ପ୍ରାୟ ୬ ବର୍ଷ । ଆଉ ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ସେ ପୁଲିସ ବାହିନୀରେ ସେବା ପ୍ରଦାନ କରିପାରିବ । ୱାୟନାଡ୍ ଯିବା ପାଇଁ କେରଳ ପୁଲିସର ନିବେଦନକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଗ୍ରହଣ କରିଥିଲେ । ପରେ କ୍ରାଇମବ୍ରାଞ୍ଚ୍ ଏଡିଜି ଅରୁଣ ବୋଥ୍ରା ଓ ଆଇଜି ସେଫିନ୍ ଏହମ୍ମଦ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଉକ୍ତ ଟିମ୍ରେ ଅନୁଗୁଳ କେ-୯ ଡଗ୍ ସ୍କ୍ୱାଡ୍ରେ କାମ କରୁଥିବା ଏସ୍ଆଇ ଅନୁଜ ଟାଉଦିଆ, କଟକ କେ-୯ ସ୍କ୍ୱାଡ୍ର ଏଏସ୍ଆଇ ଡି.କେ. ବିଶ୍ୱାଳ, ଷ୍ଟର୍ମର ମୁଖ୍ୟ ପରିଚାଳକ (ମେନ୍ ହ୍ୟାଣ୍ଡଲର୍) ବ୍ରହ୍ମପୁର କେ-୯ ଟିମ୍ର ହେଡ୍ କନ୍ଷ୍ଟେବଳ ପ୍ରହଲ୍ଲାଦ ନାୟକ ଓ ସହ ପରିଚାଳକ (ହ୍ୟାଣ୍ଡଲର) ଭୁବନେଶ୍ୱର ଟିମ୍ର କନ୍ଷ୍ଟେବଲ୍ ପାର୍ଥସାରଥୀ ବେହେରା ରହିଛନ୍ତି ।