ଭୁବନେଶ୍ୱର,୧୯/୦୮: ଦିନକୁ ଦିନ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଏଥିରୁ ରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ଜରୁରି ପରାମର୍ଶ ଜାରି କରିଛନ୍ତି । ବଜ୍ରପାତ ସମୟରେ ଘର ବାହାରେ ଥିଲେ ଓ ସୁରକ୍ଷିତ ସ୍ଥାନରେ ନ ଥିଲେ ତୁରନ୍ତ ତଳକୁ ନଇଁ ପଡ଼ି ଆଣ୍ଠୁ ବଙ୍କା କରି ଆଗକୁ ଝୁଙ୍କି ବସି ପଡ଼ନ୍ତୁ । ଆଦୌ ଭୂମିରେ ଚିତ୍ ହୋଇ ଶୁଅନ୍ତୁ ନାହିଁ ।
ସେହିଭଳି ନଇଁ ପଡ଼ି ଆଗକୁ ଝୁଙ୍କି ବସିବା ସମୟରେ ଦୁଇ ଗୋଡ଼ର ଗୋଇଠି ଲଗାଇ ରଖନ୍ତୁ । ଦୁଇ ପାଦର ଆଙ୍ଗୁଠିର ତଳ ଅଂଶକୁ କେବଳ ଭୂମିରେ ସ୍ପର୍ଶ କରନ୍ତୁ । ହାତ ପାପୁଲି ଦ୍ୱାରା ଉଭୟ କାନକୁ ବନ୍ଦ କରି ଦିଅନ୍ତୁ । ଏଭଳି କରିବା ଦ୍ୱାରା ବୈଦ୍ୟୁତିକ ଝଟ୍କା କମ୍ ଲାଗେ । ଏଭଳି ମୁଦ୍ରାରେ ରହିଲେ ବୈଦ୍ୟୁତିକ ଝଟ୍କା ଗୋଡ଼ର ଗୋଟିଏ ଗୋଇଠିରୁ ଅନ୍ୟ ଗୋଇଠିକୁ ପ୍ରବାହିତ ହୁଏ ଓ ଶରୀରର ଅନ୍ୟ କୌଣସି ଅଙ୍ଗକୁ ପ୍ରବାହିତ ହୁଏନି। କାନ ବନ୍ଦ ରଖିଲେ ବଜ୍ରପାତରୁ ସୃଷ୍ଟି ହେଉଥିବା ପ୍ରଚଣ୍ଡ ଶବ୍ଦରୁ କାନକୁ ରକ୍ଷା ମିଳେ । ବଜ୍ରପାତ ସମୟରେ ପାଖରେ କୌଣସି ପକ୍କା ଘର ଭିତରକୁ ଚାଲିଯିବାକୁ ଏସ୍ଆରସି ପରାମର୍ଶ ଦେଇଛନ୍ତି । ମୋଟା ଚଦରର ଛାତ ଥିବା କାର ଓ ବସ୍ ଭଳି ଯାନ ମଧ୍ୟ ବଜ୍ରପାତରୁ ରକ୍ଷା ପାଇଁ ନିରାପଦ ।
ବଜ୍ରପାତ ସମୟରେ ଘର ଭିତରେ ଥିବା କାନ୍ଥ, ଝରକା ଓ କବାଟଠାରୁ ଦୂରରେ ରହନ୍ତୁ । ପାଖରେ ନିରାପଦ ଆଶ୍ରୟସ୍ଥଳୀ ନ ଥିଲେ ଖାଲୁଆ ଜାଗାରେ ଜାକିଜୁକି ହୋଇ ରହିଯାଆନ୍ତୁ । ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ କାଢ଼ି ଦିଅନ୍ତୁ । ଉଚ୍ଚ ଜାଗାରେ ନ ରହିବାକୁ ଚେଷ୍ଟା କରନ୍ତୁ । ଗଛ, ବିଦ୍ୟୁତ ତାର ଓ ଖୁଣ୍ଟଠାରୁ ଦୂରରେ ରହନ୍ତୁ । ପୋଖରୀ ବା ପାଣି ପାଖରେ ରହନ୍ତୁ ନାହିଁ । ପାଣି ଭିତରେ ବା ଡଙ୍ଗାରେ ଥିଲେ ତୁରନ୍ତ କୂଳକୁ ଚାଲି ଆସନ୍ତୁ । ବଜ୍ରପାତ ସମୟରେ ଗଛ ତଳେ ବା ବୁଦା ପାଖରେ ଆଶ୍ରୟ ନିଅନ୍ତୁ ନାହିଁ । ଘଡ଼ଘଡ଼ି ମାରିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ, ହାତରେ ମାଛ ଧରା ବନିଶି, ଲୁହା ବେଣ୍ଟ ଛତା ଓ ଲୁହା ଛଡ଼ ଧରନ୍ତୁ ନାହିଁ । ଲୁହା ଖମ୍ବ, ଲୁହା ଛଡ଼ ଓ ଲୁଗା ଶୁଖାଇବା ତାରଠାରୁ ଦୂରରେ ରହନ୍ତୁ । ଘଡ଼ଘଡ଼ି ମାରିବା ବେଳେ ସାଇକେଲ ଚଲାନ୍ତୁ ନାହିଁ କିମ୍ବା ଖୋଲା ଗାଡ଼ିରେ ବୁଲନ୍ତୁ ନାହିଁ । ଗୃହପାଳିତ ପଶୁଙ୍କୁ ଧାତବ ଚେନ୍ ବା ସେଭଳି କିଛି ପଦାର୍ଥରେ ବାନ୍ଧି ନ ରଖିବାକୁ ଏସ୍ଆରସି ପରାମର୍ଶ ଦେଇଛନ୍ତି ।