ନୂଆଦିଲ୍ଲୀ,୦୩/୧୧: ସୁପ୍ରିମକୋର୍ଟରେ ଚାଲିଥିବା କାର୍ଯ୍ୟକାଳ ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ଓ୍ବାଇ ଚନ୍ଦ୍ରଚୁଡ଼ ଜଣେ ଓକିଲଙ୍କ ଦ୍ବାରା ବାରମ୍ବାର ମାମଲା ସ୍ଥଗିତ ରଖି ତାରିଖ ପରିବର୍ତ୍ତନ କରିବା ଦାବିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯଦି ଆବଶ୍ୟକ ନହୁଏ ତେବେ ସ୍ଥଗିତ ନୋଟିସ ଦାଖଲ ନକରିବାକୁ ପ୍ରଧାନ ବିଚାରପତି ଓକିଲମାନଙ୍କୁ ଅନୁରୋଧ କରିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ସେ ଚାହୁଁ ନାହାଁନ୍ତି ଯେ କୋର୍ଟ ଏକ 'ତାରିଖ ପରେ ତାରିଖ' ଭଳି କୋର୍ଟ ନହେଉ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୁଡ଼, ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର “ଦାମିନୀ” ର ଏକ ଲୋକପ୍ରିୟ ସଂଳାପକୁ ଉଲ୍ଲେଖ କରିଥିଲେ ଯେଉଁଥିରେ ସେ କୋର୍ଟରେ ସ୍ଥଗିତାଦେଶ ଅଭ୍ୟାସକୁ ସମାଲୋଚନା କରିଥିଲେ। ଅଦାଲତରେ ନୂତନ ମାମଲା ଦାଖଲ ଏବଂ ତାଲିକାଭୁକ୍ତ ମଧ୍ୟରେ ସମୟ ବ୍ୟବଧାନ ହ୍ରାସ କରିବାରେ ଆଇନଜୀବୀଙ୍କ ଉଦ୍ୟମକୁ ପ୍ରଧାନ ବିଚାରପତି ସ୍ୱୀକାର କରିଛନ୍ତି। ତେବେ ଖଣ୍ଡପୀଠଙ୍କ ସମ୍ମୁଖରେ ମାମଲା ତାଲିକାଭୁକ୍ତ ହେବା ପରେ ମଧ୍ୟ ଆଇନଜୀବୀମାନେ ମାମଲାର ସ୍ଥଗିତାଦେଶ ଦାବି କରୁଛନ୍ତି ଏବଂ ଏହା ଦ୍ବାରା କୋର୍ଟର ନକାରାତ୍ମକ ପରିଚୟ ସୃଷ୍ଟି ହେଉଛି ବୋଲି ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଓକିଲଙ୍କ ତାରିଖ ପରେ ତାରିଖ ଦାବିକୁ ନେଇ ଅସନ୍ତୁଷ୍ଟ ସିଜେଆଇ:
ଦାଖଲ ହୋଇଥିବା ସ୍ଥଗିତ ନୋଟିସକୁ ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ଼ ସୂଚାଇ କହିଛନ୍ତି ଯେ, କେବଳ ନଭେମ୍ବର ୩ ପାଇଁ ୧୭୮ ଟି ତାଲିକାଭୁକ୍ତ ମାମଲା ବିଚାରାଧୀନ ଅଛି ଏବଂ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ମୋଟ ୩,୬୮୮ ଟି ନୋଟିସ ଦାଖଲ କରାଯାଇଛି। ପ୍ରଧାନ ବିଚାରପତି କୋର୍ଟରେ ବିଚାରାଧୀନ ମାମଲାକୁ ନେଇ ଚିନ୍ତିତ ଥିଲେ ଏବଂ ମାମଲା ଶୀଘ୍ର ସମାଧାନ ପାଇଁ ଅନେକ ପଦକ୍ଷେପ ମଧ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଯେତେବେଳେ ଓକିଲମାନେ ତାରିଖ ପରେ ତାରଖ ଘୁଞ୍ଚାଇବାକୁ ବାରମ୍ବାର ଦାବି କଲେ, ସେତେବେଳେ ପ୍ରଧାନ ବିଚାରପତି ରାଗିଯାଇ କହିଥିଲେ ଯେ ଏହା ମାମଲାର ସମାଧାନ ପ୍ରକ୍ରିୟାକୁ ମନ୍ଥର କରୁଛି।
ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଧାନ ବିଚାରପତି ଫିଲ୍ମ “ଦାମିନୀ” ର ଉଦାହରଣ ଦେଇଛନ୍ତି ଏବଂ ନ୍ୟାୟପାଳିକାରେ ତାରିଖ ପରେ ତାରିଖ ପରମ୍ପରାକୁ ଶେଷ କରିବାକୁ ଆଇନଜୀବୀଙ୍କ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଗତ ବର୍ଷ ମଧ୍ୟ ସେ ସମାନ କଥା କହିଥିଲେ ଏବଂ ଓକିଲମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଦାମିନୀ ସିନେମାରେ ସନ୍ନି ଦେଓଲଙ୍କ ଚରିତ୍ର, ଜଣେ ଓକିଲ, ଏକ ମାମଲାକୁ ନେଇ କୋର୍ଟରେ ବାରମ୍ବାର ସ୍ଥଗିତ ରଖାଯିବା ଏବଂ ତାରିଖ ପରେ ତାରିଖ ଦିଆଯିବା ସତ୍ତ୍ୱେ ନ୍ୟାୟ ପାଇ ନ ଥିବାରୁ ସେ ନିରାଶ ହୋଇଥିଲେ ଏବଂ 'ତାରିଖ୍ ପେ ତାରିଖ୍' ଡାଏଲଗ କହିଥିଲେ। ଏହି ସଂଳାପ ତାଙ୍କୁ ବେଶ୍ ଲୋକପ୍ରିୟ କରାଇଥିଲା। ସେହିଭଳି ଜଷ୍ଟିସ ଚନ୍ଦ୍ରଚୂଡ଼ କ୍ରମାଗତ ଭାବରେ ସ୍ଥଗିତାଦେଶ ଦାବି କରୁଥିବା ଓକିଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟରେ ଏକାଧିକ ସ୍ଥଗିତାଦେଶ ଅଭ୍ୟାସ ବଦଳାଇବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଏହି ଦାମିନୀ ଫିଲ୍ମର ଉଦାହରଣ ଦେଇଛନ୍ତି।
You can also read: ସୁଇଜରଲାଣ୍ଡରେ ଡଜନ୍କୁ ୫୬୪, ନ୍ୟୁଜିଲାଣ୍ଡରେ ୪୫୦ ଟଙ୍କା, ଭାରତରେ ୭୮ ଟଙ୍କା