ବ୍ୟାଙ୍କ୍କ,୧୪/୦୫: ମଙ୍ଗଳବାରଠୁ ଆରମ୍ଭ ହେଉଛି ଥାଇଲାଣ୍ଡ୍ ଓପନ ସୁପର ୫୦୦ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଭାରତର ଷ୍ଟାର୍ ଖେଳାଳି ଏଚ୍ଏସ୍ ପ୍ରଣୟ, ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ ଏବଂ ମହିଳା ଡବଲ୍ସ ଯୋଡ଼ି ତନିଶା କ୍ରାଷ୍ଟୋ-ଅଶ୍ୱିନୀ ପୋନାପ୍ପା ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବେ । ଅନ୍ୟ ପଟରେ ଅଲିମ୍ପିକ୍ ଟିକେଟ୍ ହାସଲ କରିଥିବା ଲକ୍ଷ୍ୟ ସେନ୍ ଏବଂ ଅଭିଜ୍ଞ ମହିଳା ଖେଳାଳି ପିଭି ସିନ୍ଧୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି ।
ପୁରୁଷ ସିଙ୍ଗଲ୍ସରେ ପ୍ରଣୟଙ୍କୁ ପଞ୍ଚମ ସିଡ୍ ମାନ୍ୟତା ମିଳିଛି । ସେ କ୍ୱାଲିଫାୟର ଖେଳାଳିଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ମହିଳା ବର୍ଗରେ ମାଳବିକା ବାନ୍ସୋଦ, ଅସ୍ମିତା ଚଲିହା, ଆକର୍ଷୀ କଶ୍ୟପଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ପୁରୁଷ ଡବଲ୍ସରେ ସାତ୍ତ୍ୱିକ-ଚିରାଗ ଟପ୍ ସିଡ୍ ମାନ୍ୟତା ପାଇଛନ୍ତି । ଉଭୟ ପ୍ରଥମ ରାଉଣ୍ଡରେ ମାଲେସିଆ ଯୋଡ଼ିଙ୍କୁ ଭେଟିବେ । ଭାରତୀୟ ଯୋଡ଼ି ନିକଟରେ ଚୀନ, ଇଣ୍ଡୋନେସିଆ ଏବଂ କୋରିଆ ଖେଳାଳିଙ୍କ ବିପକ୍ଷରେ ସଂଘର୍ଷ କରିଥିଲେ । ସେମାନଙ୍କ ସର୍ଭିସ ଆଗରେ ଉଭୟଙ୍କ ରଣନୀତି ଫେଲ୍ ମାରିଥିଲା । ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଉଭୟ ଫର୍ମ ଫେରିପାଇବାକୁ ପ୍ରୟାସ କରିବେ । ମହିଳା ଡବଲ୍ସରେ ତନିଶା-ଅଶ୍ୱିନୀ ଯୋଡ଼ିଙ୍କୁ ଚତୁର୍ଥ ସିଡ୍ ମାନ୍ୟତା ମିଳିଛି । ଉଭୟ ପ୍ରଥମ ରାଉଣ୍ଡ୍ ବାଇ ପାଇଛନ୍ତି ।