ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

"ପ୍ରଶ୍ନ'ରୁ "ପ୍ରଜ୍ଞା' ପର୍ଯ୍ୟନ୍ତ

(ଶରତ ଚନ୍ଦ୍ର ଶତପଥୀ), ୧୭।୩: ପ୍ରାଥମିକ ଶିକ୍ଷାସ୍ତରରେ ପିଲାଟିକୁ ବାକ୍ୟ ଗଠନର ସରଳ ସୂତ୍ର ଶିଖିବାକୁ ପଡ଼ିଥାଏ । ଅଳ୍ପ କେତୋଟି ନିର୍ଦ୍ଦିଷ୍ଟ ଶବ୍ଦର ବାକ୍ୟ ମଧ୍ୟରେ ଯଥାସ୍ଥାନରେ ପ୍ରୟୋଗ ଦ୍ୱାରା କିପରି ପ୍ରଶ୍ନର ନିର୍ମାଣ କରାଯାଇଥାଏ, ସେହି କଳା କୌଶଳ ପିଲାଟିକୁ ଜାଣିବାକୁ ପଡ଼େ । ପ୍ରଶ୍ନବାକ୍ୟମାନଙ୍କର ଶେଷରେ ପ୍ରଶ୍ନବାଚକ ଚିହ୍ନର ପ୍ରୟୋଗ ସର୍ବଦା ଏକ ମୌଳିକ ବ୍ୟାକରଣଗତ ଆବଶ୍ୟକତା । ପ୍ରାଦେଶିକ ଭାଷା ଓଡ଼ିଆ ଏବଂ ଇଂରାଜୀ ଶିକ୍ଷାରେ ମଧ୍ୟ ଊଣା ଅଧିକେ ଏହି ନିୟମ ପ୍ରଚଳିତ । ପ୍ରଶ୍ନର ନିର୍ମାଣ/ପ୍ରୟୋଗ ସର୍ବଦା ସମସ୍ୟାର ସମାଧାନର ଉପାୟ/ଉତ୍ତର ଅବଗତ ହେବା ନିମିତ୍ତ କରାଯାଇଥାଏ । 

ଏବେ ପ୍ରଶ୍ନର ଉପଯୋଗିତା ସମ୍ବନ୍ଧରେ କିଛି ଜାଣିବା ନିହାତି ଦରକାର । ତା ନହେଲେ ପ୍ରଶ୍ନ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ଆମକୁ ଅଜଣା ରହିଯିବ । ପ୍ରଶ୍ନ ଗଢ଼ିବାର ଗୁରୁତ୍ୱ ନବୁଝିଲେ ପ୍ରଶ୍ନ ପ୍ରସ୍ତୁତି ସହ ଜଡ଼ିତ ଦାୟିତ୍ୱବୋଧ ଆମେ ହୃଦୟଙ୍ଗମ କରିବାକୁ ସକ୍ଷମ ହୋଇନପାରୁ । ପ୍ରଶ୍ନ ଗଠନ ଏବଂ ତାହାର ବ୍ୟବହାର କେବଳ ମଣିଷ ପ୍ରଜାତି ହିଁ କରିଥାଏ । ସମୁଦାୟ ସୃଷ୍ଟିରେ କେବଳ ମଣିଷକୁ ବୌଦ୍ଧିକ କ୍ଷମତା ମିଳିଛି । ସେ ଚିନ୍ତା କରିପାରେ, ଅନୁସନ୍ଧାନ କରିପାରେ ଏବଂ ଅନୁସନ୍ଧିତ୍ସାର ଦିଗ/ପରିସର ପରିବର୍ତ୍ତନ କରି ନୂତନ ତଥ୍ୟ/ସତ୍ୟ ଉଦ୍‌ଘାଟନ ଦ୍ୱାରା ଆପଣାର ଜ୍ଞାନ ଭଣ୍ଡାରର ସମୃଦ୍ଧି ଘଟାଇପାରେ । ମଣିଷ ବ୍ୟତୀତ ଅନ୍ୟ କୌଣସି ଜୀବନ୍ତ ପ୍ରାଣୀ ନିଜର ପରିସ୍ଥିତି, ପରିବେଶକୁ ଅନୁଶୀଳନ କରିବାକୁ ସମର୍ଥ ନୁହେଁ । ସମୁଦାୟ ଜୀବଜଗତ କେବଳ ଆପଣାର ସହଜାତ ପ୍ରକୃତି-ପ୍ରବୃତ୍ତି ଦ୍ୱାରା ନିୟନ୍ତ୍ରିତ । କେବଳ ମଣିଷ ଆପଣାର ଉପଲବ୍ଧି ଓ ସଞ୍ଚିତ ଜ୍ଞାନର ସଦୁପଯୋଗ/ପ୍ରୟୋଗ ଦ୍ୱାରା ବିଚାର- ଅନୁଶୀଳନ କରିପାରେ । ସେଥିନିମନ୍ତେ ପ୍ରଶ୍ନ କରିପାରିବାର କ୍ଷମତା ମଣିଷ ପ୍ରଜାତିର ଶ୍ରେଷ୍ଠ ପରିଚୟ । ଶିକ୍ଷା ମାଧ୍ୟମରେ ମାନବ ଶିଶୁ ପ୍ରଶ୍ନ ପଚାରିବାର ଧାରା ଶିଖିଥାଏ ଏବଂ ଦକ୍ଷତା ହାସଲ କରିଥାଏ । 

ପ୍ରଶ୍ନ ନିର୍ମାଣରେ ତ୍ରୁଟି ରହିଲେ, ବ୍ୟବହାର କରାଯାଇଥିବା ଶବ୍ଦ ଅଯୋଗ୍ୟ/ଅର୍ଥହୀନ ପ୍ରମାଣିତ ହେଲେ ପ୍ରଶ୍ନର ମହତ୍‌ ଉଦ୍ଦେଶ୍ୟ ପରାହତ ହେବା ସ୍ୱାଭାବିକ । ତେଣୁ ପ୍ରଶ୍ନର ନିର୍ମାଣ, ଶବ୍ଦ ସଂଯୋଜନା, ଆଭିମୁଖ୍ୟ ସ୍ଥିର, ଅଳଙ୍କରଣ ତଥା ସମୟ/କାଳ ସହ ସଂଯୋଗ ରକ୍ଷାକରି ବିଧିସମ୍ମତ ପ୍ରୟୋଗ ନିଶ୍ଚିତ ଭାବରେ ଏକ ଦୁରୂହ ବ୍ୟାପାର । ଅସଲ କଥା ହେଲା ପିଲାଟି ପ୍ରଶ୍ନ କରିବାର ସମସ୍ତ ଆୟୁଧ ଶିକ୍ଷାଗ୍ରହଣ କାଳରେ ଆପଣାର କରିପାରିବା ଆଶା କରାଯାଏ । ଏବେ ପ୍ରଶ୍ନ ନିର୍ମାଣରେ ବ୍ୟବହାର ହେଉଥିବା ଶବ୍ଦମାନଙ୍କୁ ବିଚାର କରାଯାଇପାରେ । ପ୍ରଶ୍ନ ବାକ୍ୟ ଗଢ଼ିବା ସମୟରେ ଓଡ଼ିଆରେ (ଇଂରାଜୀରେ) ସାଧାରଣତଃ ଆମେ ବ୍ୟବହାର କରୁଥିବା ଶବ୍ଦମାନେ ହେଲେ କିଏ, କାହାକୁ, କାହାଦ୍ୱାରା (ହୁ, ହୁମ), କି, କଅଣ (ହ୍ୱାଟ), କାହିଁକି (ହ୍ୱାଏ), କେବେ (ହ୍ୱେନ), କେଉଁଠାରେ, କେଉଁଠାରୁ (ହ୍ୱେୟାର / ହ୍ୱେୟାର ଫ୍ରମ), କିପରି (ହାଓ) । ବାକ୍ୟ ଶେଷରେ ପ୍ରଶ୍ନବାଚକ ଚିହ୍ନ ଅଙ୍କନ କରାଯାଇଥାଏ । 

ଇଂରାଜୀ ଭାଷାରେ କ୍ରିୟା/କାଳ ସୂଚକ ଶବ୍ଦମାନ (ଇଜ, ବସ, ୱେର, ହସ, ହାଡ ଇତ୍ୟାଦି) ବ୍ୟବହାର କରି ପ୍ରଶ୍ନ ବାକ୍ୟ ଗଠନ କରାଯାଇପାରେ । ଏହା ଅବଶ୍ୟ ଅଧ୍ୟୟନର ଉଚ୍ଚ ପର୍ଯ୍ୟାୟରେ ଶିକ୍ଷା ଦିଆଯାଏ । ସୁଗ୍ରାହୀ ବିଦ୍ୱାନମାନେ ସହଜରେ ବୁଝିପାରିବେ ଯେ, ପ୍ରଶ୍ନ ନିର୍ମାଣରେ ଶିକ୍ଷାର୍ଥୀ ଯେତେ ପରିମାଣରେ ଦକ୍ଷତା ହାସଲ କରିପାରେ ପରବର୍ତ୍ତୀ ଜୀବନରେ ସେ ସେତିକି ଅଧିକ ପରିମାଣରେ ସଫଳତା ଲାଭ କରିଥାଏ । ପ୍ରଶ୍ନ ନିର୍ମାଣ/ପ୍ରୟୋଗ ଦକ୍ଷତା ଆମ ଜୀବନ ପ୍ରତି ଆମ ଆଭିମୁଖ୍ୟ ସ୍ଥିର କରିପାରେ, ଅନ୍ତର୍ନିହିତ ଅସୀମ ବୌଦ୍ଧିକ କ୍ଷମତାର ସଫଳ ଉପଯୋଗ ନିମିତ୍ତ ପ୍ରଚୋଦିତ କରିପାରେ । କୁହାଯାଇପାରେ ଆମ ସଭ୍ୟତାର ବିକାଶ, ସାହିତ୍ୟ, ଦର୍ଶନ, ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ବିକାଶ, ଅଭିବୃଦ୍ଧି ଇତ୍ୟାଦି କେବଳ ଉଚିତ ଏବଂ ଶାଣିତ ପ୍ରଶ୍ନମାନଙ୍କର ସଫଳ ପ୍ରୟୋଗ ଏବଂ ସେହି ମାଧ୍ୟମକୁ ଆଧାର କରି ଠିକ୍‌ ଉତ୍ତର/ସମାଧାନ ଆବିଷ୍କାର ଦ୍ୱାରା ହିଁ ସମ୍ଭବ ହୋଇଛି । ପ୍ରଶ୍ନ ପଚାରିବା ମଣିଷର ଜନ୍ମସିଦ୍ଧ ଅଧିକାର । ଏହାହିଁ ଆମ ପ୍ରଜାତିର ସଂଜ୍ଞାବାଚକ ବିଶେଷ ଲକ୍ଷଣ । 

ମଧ୍ୟଯୁଗରେ ସମାଜକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନସମୂହ ମଣିଷର ପ୍ରଶ୍ନ ପଚାରିବାର ଅଧିକାରକୁ ଧର୍ମଦ୍ରୋହୀ କାର୍ଯ୍ୟ କହି ମଣିଷର ପ୍ରଗତି ଧାରାକୁ ଦୁର୍ଗତିର ଖତକୁଢ଼ରେ ପରିଣତ କରିଥିଲେ । ନବୋଦୟ ଯୁଗର ଆଗମନ ପରେ ଚତୁର୍ଦ୍ଦଶ ଶତାବ୍ଦୀରେ, ମଣିଷ ପୁନଶ୍ଚ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଶିଖିଲା । ମଣିଷ ସମସ୍ତଙ୍କୁ ଗରୀୟାନ ବ୍ୟକ୍ତିଗଣ ସେମାନଙ୍କ ଦ୍ୱାରା ପରିଚାଳିତ ପ୍ରତିଷ୍ଠିତ ଅନୁଷ୍ଠାନ ଇତ୍ୟାଦିକୁ, ସବୁ ପ୍ରଚଳିତ ନିୟମ ଓ ସମାଜ ବ୍ୟବସ୍ଥାକୁ, ଏପରିକି ଈଶ୍ୱରଙ୍କୁ ମଧ୍ୟ ପ୍ରଶ୍ନ କରିବାର ସାହସ ନିଜ ଭିତରେ ଖୋଜି ପାଇଲା । ସଂସ୍କାର ଦ୍ୱାରା ମଣିଷ ଜୀବନରେ ପରିବର୍ତ୍ତନ/ସୁଧାର ଆସିପାରିଲା । ଏହାକୁ ବୌଦ୍ଧିକ ଔଦ୍ଧତ୍ୟ କୁହାଯାଇନପାରେ । ଏହା ପ୍ରକୃତରେ ଥିଲା ମଣିଷର ଆତ୍ମଶୁଦ୍ଧିର ପ୍ରକରଣ, ବହୁଯୁଗ ପରେ ମଣିଷର ଆତ୍ମଦର୍ଶୀ ଆବିଷ୍କାର, ଆତ୍ମ ସଚେତନତାର ଲକ୍ଷଣ । 

ସେହି ସମୟରୁ ପ୍ରକୃତରେ ନୂତନ ଯୁଗ ଏବଂ ଆଧୁନିକ ମଣିଷର ପୁନର୍ଜନ୍ମ ନୂତନ ସଂସ୍କରଣ ଆରମ୍ଭ ହେଲା ବୋଲି କୁହାଯାଇଥାଏ । ଆମ ପରମ୍ପରାରେ ବିବିଧ "ପ୍ରଶ୍ନ' ସମ୍ବଳିତ ଉପାଖ୍ୟାନ ଉଭୟ ବିଚିତ୍ର ଏବଂ ବହୁଳ । ଯକ୍ଷ ପ୍ରଶ୍ନ, ବେତାଳ ବିକ୍ରମାଦିତ୍ୟ ପ୍ରଶ୍ନ, ଶୁଆ ପ୍ରଶ୍ନ, ହନୁମାନ ପ୍ରଶ୍ନ ଇତ୍ୟାଦିରୁ ଆରମ୍ଭ କରି ସଂସଦ, ସଚିବାଳୟ ପର୍ଯ୍ୟନ୍ତ ଅସୁମାରୀ ପ୍ରଶ୍ନର ଢେଉମାଳା ମେଖଳା ସାଜି ଆମକୁ ସର୍ବଦା ଘେରି ରଖିଛି । ଗବେଷଣା ସ୍ତରରେ କେବଳ ପ୍ରଶ୍ନ ହିଁ ବିଜ୍ଞାନୀମାନଙ୍କର ଆୟୁଧ ରୂପେ ବ୍ୟବହାର କରାଯାଏ । ଆଜି ଦିନରେ, ଜନତା ଯଦି ପ୍ରଶ୍ନ ନକରେ ତେବେ ସେ ଆପଣାର ମୂର୍ଖତା/ମନ୍ଦ ବୁଦ୍ଧିର ପ୍ରମାଣ ଦେବ ଏବଂ ଆପଣାର ଅଧିକାର ସାବ୍ୟସ୍ତ ନକରିବା ଫଳରେ ନିଜେ କ୍ଷତି ସହିବ । ଖାସ୍‌ କରି ଶିକ୍ଷିତ ଲୋକମାନେ ଯଦି ସେମାନଙ୍କର ଚାରିପାଖରେ ଘଟିଯାଉଥିବା ନ୍ୟାୟ ଅନ୍ୟାୟ, ସତ ମିଛର କାର୍ଯ୍ୟକ୍ରମକୁ ପ୍ରଶ୍ନ ନକରି ନିରବ ରହିବାକୁ ଶ୍ରେୟ ମଣନ୍ତି, ତେବେ ତାହା ସେମାନଙ୍କର ବୌଦ୍ଧିକ ନପୁଂସକତାର ନିଃଶବ୍ଦ ପରିପ୍ରକାଶ ବ୍ୟତୀତ ଅନ୍ୟ କିଛି ହୋଇନପାରେ । ସେମାନଙ୍କର ଶିକ୍ଷା ଦୀକ୍ଷା ଯଦି ସମାଜର ପ୍ରତ୍ୟେକ ବର୍ଗର ଉପକାର କର୍ମରେ ପ୍ରୟୋଗ ନହେଲା ତେବେ ସେମାନଙ୍କର ଶିକ୍ଷାର ମୂଲ୍ୟ ରହିବ କି ? ବିଦ୍ୱାନ ବ୍ୟକ୍ତିର ଦାୟିତ୍ୱ ହେଲା ସତ୍ୟର ଏକନିଷ୍ଠ ଅନୁସନ୍ଧାନ ଏବଂ ସେ ଆହରଣ କରିଥିବା ଜ୍ଞାନ ବୁଦ୍ଧି, କଳା କୌଶଳ ସବୁର ଉତ୍ତମ ବିନିଯୋଗ କରି ସାମଗ୍ରିକ ସ୍ତରରେ ଜୀବନର ମାନ ବୃଦ୍ଧି କରିବା । ସମାଜ କେବେହେଲେ "ପାଠୁଆ ହୁଣ୍ଡା ହାଉଡା' ଲୋକକୁ ଆଦର ସମ୍ମାନ କରେନାହିଁ । ସବୁଠାରୁ ବଡ଼ କଥା ହେଲା, ଯେପର୍ଯ୍ୟନ୍ତ ଆମେ ପ୍ରଶ୍ନ ପଚାରି ଶିଖିନାହୁଁ, ସେପର୍ଯ୍ୟନ୍ତ ପ୍ରଚଳିତ ବ୍ୟବସ୍ଥାର ନିଗଡ଼ରୁ ଆମର ଉଦ୍ଧାର ସମ୍ଭବ ନୁହେଁ । ରୁଗ୍‌ଣ, ପୁରାତନ, ଅନୁପଯୋଗୀ ଜୀବନଧାରାର ପରିବର୍ତ୍ତନ ନହେଲେ ଆମେ ପତିତ, ଅବହେଳିତ, ନିଷ୍ପେଷିତ ଅବସ୍ଥାରେ ଚିରକାଳ ମାଟି ଅଣ୍ଡାଳୁଥିବା ସୁନିଶ୍ଚିତ । 

ଭୁଲିଯିବା ଉଚିତ ନୁହେଁ ଯେ "ପ୍ରଶ୍ନ' କରିବା ବୌଦ୍ଧିକ ସମର ଜୟ କରିବା ନିମିତ୍ତ ଉଦ୍ଦିଷ୍ଟ ଏକ ଅମୋଘ ଅସ୍ତ୍ର । ଏଠାରେ ହିଂସା, ଦ୍ୱେଷ, ରାଗ ରୋଷର କୌଣସି ଭୂମିକା ନାହିଁ । "ପ୍ରଶ୍ନ' ଦୁଇ ପ୍ରଜାତିର । ପ୍ରଥମ ପ୍ରକାରର ପ୍ରଶ୍ନ ଅନ୍ୟପ୍ରତି ନିକ୍ଷେପ ନିମିତ୍ତ ଉଦ୍ଦିଷ୍ଟ । ବ୍ୟକ୍ତି ଆପଣାର ଜ୍ଞାନ ତୃଷ୍ଣା ନିବାରଣ ଉଦ୍ଦେଶ୍ୟରେ ଅଥବା ଅଧିକାରର ସୁରକ୍ଷା ନିମିତ୍ତ, ରାଜା, ମନ୍ତ୍ରୀ, କଟୁଆଳ, ଯନ୍ତ୍ରୀ, ତନ୍ତ୍ରୀ, ଗୁରୁ, ଚେଲା, ବେପାରୀ, ନେତା, ଠକ, ସାଧୁ, ତସ୍କର, କବି, ରସିକ, ଜ୍ଞାନୀ, ବିଜ୍ଞାନୀ- ସମସ୍ତଙ୍କୁ ପ୍ରଶ୍ନ କରିପାରେ । ନେତା ଜଣକ "ଜନତାର ସେବା କରିବା ନିମିତ୍ତ କାହିଁକି ନିଜକୁ ଉପଯୁକ୍ତ ମନେ କରନ୍ତି' ଠାରୁ ଆରମ୍ଭ କରି "ଫୁଲରେ ରଙ୍ଗ କି ମହକ କାହିଁକି, କେମିତି, କେଉଁଠୁ, କିପରି ଆସେ' ପର୍ଯ୍ୟନ୍ତ ସବୁକଥା ପ୍ରଶ୍ନ ଦ୍ୱାରା ଅନୁଶୀଳନ କରାଯାଇପାରେ । ଏପରି କ୍ଷେତ୍ରରେ ପ୍ରଶ୍ନର ଚିତ୍ର, ଚରିତ୍ର, ପରିସର ବ୍ୟାପକ ହୋଇପାରେ । ଦ୍ୱିତୀୟ ବର୍ଗର ପ୍ରଶ୍ନମାନ ସର୍ବଦା ଅନ୍ତର୍ମୁଖୀ । ଏଠାରେ ପ୍ରଶ୍ନକର୍ତ୍ତା ନିଜକୁ ପ୍ରଶ୍ନ କରେ ଏବଂ ଉତ୍ତର ମଧ୍ୟ ନିଜ ଭିତରେ ପାଇବାକୁ ପ୍ରଯତ୍ନ କରିଥାଏ । 

ସେଥିନିମିତ୍ତ ସେ ଧ୍ୟାନ, ଯୋଗ କରିପାରେ, ତପଶ୍ଚରଣ ଉଦ୍ଦେଶ୍ୟରେ ସଂସାରତ୍ୟାଗୀ ସନ୍ନ୍ୟାସୀ ହୋଇପାରେ । ଏପରି ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତି ଉଦାର ହୁଏ, ନିଜକୁ ବିଶ୍ୱରେ ଏବଂ ସମଗ୍ର ବିଶ୍ୱକୁ ଆପଣା ଭିତରେ ଅନୁଭବ କରିପାରେ । ଉଚ୍ଚ, ନୀଚ, ସାନ, ବଡ଼, ଆପଣା, ପର ଭଳି କ୍ଷୁଦ୍ରତା, ହୀନମାନ୍ୟତା, ଅହଂଭାବ ତାଙ୍କୁ କଳୁଷିତ କରିନଥାଏ । ସବୁ ମଣିଷଙ୍କୁ ପ୍ରେମ କରୁଥିବା ଏହି ବିରଳ ବର୍ଗର ବ୍ୟକ୍ତିମାନେ ମାନବ ପ୍ରଜାତିର ଗର୍ବ ଓ ଗୌରବ, କାରଣ ସେହିମାନେ ହିଁ ପ୍ରକୃତରେ ମାନବବାଦୀ । ସେମାନେ ଉତ୍ତର ଖୋଜୁଥିବା ପ୍ରଶ୍ନମାନେ ଅନେକ କ୍ଷେତ୍ରରେ ଏହିପରି ହୋଇପାରନ୍ତି- ମୁଁ କିଏ? ମୁଁ ଏହି ସଂସାରକୁ କାହିଁକି କାହାଦ୍ୱାରା ପ୍ରେରିତ ହୋଇ ଆସିଛି? କେଉଁ ନୂତନ କିମ୍ବା ଅସମ୍ପୂର୍ଣ୍ଣ କର୍ମ କାର୍ଯ୍ୟ ସମ୍ପାଦନ ମୋ ନିମିତ୍ତ ବିଧିଦ୍ୱାରା ଉଦ୍ଦିଷ୍ଟ ରହିଛି? ସଂସାର ପ୍ରତି ଥିବା ଉତ୍ତରଦାୟିତ୍ୱ ମୁଁ ନୀତି ନିୟମ ଅନୁସାରେ ଧର୍ମ ସମର୍ଥିତ ଉପାୟରେ ପୂରଣ କରୁଛି ତ? ଯେବେ ପ୍ରଶ୍ନକର୍ତ୍ତା ଏପରି ପ୍ରଶ୍ନମାନଙ୍କର ସମୁଚିତ ଉତ୍ତର ପାଇବାକୁ ସମର୍ଥ ହେବ ତେବେ ସେ ମୋକ୍ଷପ୍ରାପ୍ତ ହେବ । ସୃଷ୍ଟିର ଗହନ ତତ୍ତ୍ୱ ବୁଝିସାରିବା ପରେ ଆଉ ପ୍ରଶ୍ନ ନଥାଏ । ଥାଏ କେବଳ ସ୍ୱୟଂସମ୍ପୂର୍ଣ୍ଣ ହେବାର ଅନନ୍ୟ ଅନୁଭୂତି । 

ଧୂଳିମାଟିର ପୃଥିବୀ ପାରିଜାତ ଫୁଲରେ ପରିପୂର୍ଣ୍ଣ ସ୍ୱର୍ଗର ନନ୍ଦନକାନନ ପାଲଟିଯାଏ । ଉପସଂହାରରେ କୁହାଯାଇପାରେ ଯେ, ପିଲାଟିକୁ ପ୍ରଶ୍ନ ନିର୍ମାଣର ଗୁରୁତ୍ୱ ଯଦି ବାଳକାଳରୁ ଶିକ୍ଷା ଦିଆଯାଏ ତେବେ ସେହି ପିଲା ବୟସ୍କ ହେବାପରେ ନିଜର ଲକ୍ଷ୍ୟ, ଆଭିମୁଖ୍ୟ, ବଞ୍ଚିବାର ଧାରା ତଥା ଅନ୍ୟମାନଙ୍କ ପ୍ରତି ରହିଥିବା ନୈତିକ ଦାୟିତ୍ୱ ଭଲକରି ବୁଝିପାରେ । ପ୍ରଶ୍ନ ଗଢ଼ିବାରେ ତ୍ରୁଟି ରହିଲେ ଜୀବନର ମହାନଦୀ ଶୁଷ୍କ ମରୁଭୂମିରେ ହଜିଯାଇଥିବା ଜଳଧାର ଭଳି ଅଦୃଶ୍ୟ ହୋଇଯିବ, ଏକଥା ଅନସ୍ୱୀକାର୍ଯ୍ୟ ଯେ ଆମ ପିଲାମାନଙ୍କର ଭବିଷ୍ୟତ ଗଢ଼ିବାର ଗୁରୁଦାୟିତ୍ୱ ଯେତିକି ଗୁରୁମାନଙ୍କର, ତାହାଠାରୁ ଅଧିକ ଗୁରୁଜନମାନଙ୍କର ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.