ନୂଆଦିଲ୍ଲୀ,୧୯/୦୯: କିଚେନ୍ୱେର୍ ସାମଗ୍ରୀ କ୍ଷେତ୍ରରେ ଏକ ପ୍ରମୁଖ କମ୍ପାନି ଭାବେ ଜଣା ଟପର୍ୱେର୍ । କମ୍ପାନିର ଲଞ୍ଚ୍ ବକ୍ସ, ପାଣି ବୋତଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ଢ଼େର ରହିଥାଏ । ଏହାସହିତ ସାମଗ୍ରୀ ରଖିବା ପାଇଁ କମ୍ପାନିର ଏୟାର୍ଟାଇଟ୍ ପ୍ଲାଷ୍ଟିକ୍ କଣ୍ଟେନର ପ୍ରାୟ ସବୁ ଘରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏ କମ୍ପାନି ପ୍ରତିଯୋଗିତା ଦୌଡ଼ରେ ବହୁ ପଛରେ ପଡ଼ିଯାଇଛି । କମ୍ପାନି ଉପରେ ୭୦ କୋଟି ଡଲାର(ପାଖାପାଖି ୫୮୬୦ କୋଟି ଟଙ୍କା)ର ଋଣ ବୋଝ ରହିଛି ।
ବିକ୍ରିରେ ହ୍ରାସ ଏବଂ ଋଣ ପରିଶୋଧରେ ବିଫଳ ହେବା କାରଣରୁ କମ୍ପାନି ଏହାର କିଛି ସହାୟକ କମ୍ପାନିଗୁଡ଼ିକ ସହ ଆମେରିକାରେ ନିଜକୁ ଦେବାଳିଆ ଘୋଷିତ କରିବା ପାଇଁ ଆବେଦନ କରିଛି । ଟପର୍ୱେର୍ ଏକ ଆମେରିକୀୟ କମ୍ପାନି । ଏହା ୧୯୪୬ରେ ଆରମ୍ଭ ହୋଇଥିଲା। କିଚେନ୍ରେ ବ୍ୟବହାର ହେଉଥିବା ଭଳିକି ଭଳି ରଙ୍ଗର ବାସନକୁସନ ପାଇଁ ଟପର୍ୱେର୍ ଏକ ଲୋକପ୍ରିୟ ବ୍ରାଣ୍ଡ ରହିଆସିଛି । ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶରେ ଏହାର ପ୍ରଡକ୍ଟ ମିଳିଥାଏ । ତେବେ ଗତ କିଛି ବର୍ଷରେ ଏହି କମ୍ପାନିକୁ ତୀବ୍ର ପ୍ରତିଯୋଗିତାର ସାମ୍ନା କରିବାକୁ ପଡ଼ିଛି । ଉପଭୋକ୍ତାଙ୍କ ମଧ୍ୟରେ ଲୋକପ୍ରିୟତା ବଜାୟ ରଖିବାକୁ ଏହା ବିଫଳ ହୋଇଛି । ପ୍ରଡକ୍ଟ ବିକ୍ରିରେ ହ୍ରାସ ଯୋଗୁ କମ୍ପାନିକୁ ଅନେକ କ୍ଷତି ସହିବାକୁ ପଡ଼ିଛି । କମ୍ପାନିର ଅଧ୍ୟକ୍ଷ ତଥା ସିଇଓ ଲରି ଏନ୍ ଗୋଲ୍ଡମ୍ୟାନ୍ କହିଛନ୍ତି ଯେ, ଗତ କିଛି ବର୍ଷରେ କମ୍ପାନିର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି ।
କରୋନା ପରେ କଞ୍ଚାମାଲ ଦରରେ ବୃଦ୍ଧି ଆସିଛି । ଏହାସହିତ କମ୍ପାନିରେ କାର୍ଯ୍ୟ କରୁଥିବା ଲୋକଙ୍କ ପାରିଶ୍ରମିକ ମଧ୍ୟ ବଢ଼ିଛି । ଏହାବ୍ୟତୀତ ମାଲ ପରିବହନ ଖର୍ଚ୍ଚ ବି ବୃଦ୍ଧି ପାଇଛି । ଫଳରେ କମ୍ପାନି ପ୍ରଚୁର କ୍ଷତିର ସାମ୍ନା କରୁଛି । ଅଗଷ୍ଟରେ କମ୍ପାନି କହିଥିଲା ଯେ, ଏହା ନଗଦ ସମସ୍ୟାର ସାମ୍ନା କରୁଛି । ଏହାସହିତ କମ୍ପାନି ଏହାର ନିବେଶକଙ୍କୁ ବି ଅବଗତ କରାଇଛି ଯେ, ଏହା ଉପରେ ବିପୁଳ ଋଣବୋଝ ରହିଛି।