ନୂଆଦିଲ୍ଲୀ- ଆଇଏଏସ , ଆଇପିଏସ୍ ବା ଅନ୍ୟ ଉଚ୍ଚ ପଦର ସରକାରୀ ଚାକିରି ପାଇବାକୁ ସବୁ ପ୍ରାର୍ଥୀଙ୍କର ସ୍ୱପ୍ନ ରହିଥାଏ। କିଛି ଲୋକ ଏଥିପାଇଁ ଦ୍ୱାଦଶ ଶ୍ରେଣୀ ପରେ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ଆଉ କିଛି ଲୋକ ନିଜେ କରୁଥିବା ଚାକିରି ଛାଡ଼ି ଆଇଏଏସ୍ ହେବାକୁ ସ୍ୱପ୍ନ ଦେଖିଥାନ୍ତି। ଆଉ ଏଥିରେ ପ୍ରସ୍ତୁତି ଆରମ୍ଭ କରନ୍ତି। ଲକ୍ଷ ଲକ୍ଷ ପ୍ରାର୍ଥୀଙ୍କୁ ମଧ୍ୟରୁ କେବଳ କିଛି ହିଁ ପ୍ରାର୍ଥୀ ଏହି କଠିନ ପରୀକ୍ଷାର ୩ଟି ପର୍ଯ୍ୟାୟକୁ ଅତିକ୍ରମ କରି ପାରନ୍ତି।
ୟୁପିଏସସିର ବାର୍ଷିକ ରିପୋର୍ଟ ୨୦୨୨-୨୩ ମୁତାବିକ , କେନ୍ଦ୍ର ଲୋକ ସେବା ଆୟୋଗର ସିଭିଲ ସେବା ପରୀକ୍ଷାର ପ୍ରଥମ ପ୍ରୟାସରେ କେବଳ ୮ ପ୍ରତିଶତ ପ୍ରାର୍ଥୀ ହିଁ ପାସ୍ ହୋଇଥାନ୍ତି। ଅନ୍ୟ ପ୍ରାର୍ଥୀ ପରୀକ୍ଷା ପରେ ଆଗାମୀ ପ୍ରୟାସର ପ୍ରସ୍ତୁତିରେ ଲାଗି ପଡ଼ନ୍ତି, ନୁହେଁତ ପରୀକ୍ଷା ଛାଡ଼ି ଦିଅନ୍ତି। ଏହା ବ୍ୟତୀତ ଏହି ୟୁପିଏସସି ପରୀକ୍ଷା ପାସ୍ କରୁଥିବା ଅଧିକାଂଶ ପ୍ରାର୍ଥୀଙ୍କର ବୟସ ୨୪ରୁ ୨୬ ବର୍ଷ ମଧ୍ୟରେ ହୋଇଥାଏ। ଏହି ବୟସର ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷଙ୍କର ସଫଳତା ହାର ୨୯.୪ ପ୍ରତିଶତ ଓ ମହିଳାଙ୍କ ହାର ୩୩.୩ ପ୍ରତିଶତ ରହିଛି। ୨୦୨୧ ମସିହାରେ ସାଧାରଣ ଶ୍ରେଣୀରୁ ଆସିଥିବା ୬୬୮ ପ୍ରାର୍ଥୀ ସିଭିଲ ସେବା ମୁଖ୍ୟ ପରୀକ୍ଷା ଦେଇଥିଲେ, ଏଥିରେ ୨୯୦ଜଣ ପ୍ରାର୍ଥୀ ପାସ୍ ହୋଇଥିଲେ। ସାଧାରଣ ବର୍ଗରେ ପରୀକ୍ଷା ଦେଇଥିବା ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷ ୪୦.୨୯ପ୍ରତିଶତ ଓ ମହିଳା ପ୍ରାର୍ଥୀ ୫୩.୪୩ ପ୍ରତିଶତ ସଫଳ ହୋଇଛନ୍ତି।
ଅନ୍ୟପଟେ, ୩୦ବର୍ଷ ବା ଏହା ଠାରୁ ଅଧିକ ବୟସର ପ୍ରାର୍ଥୀ ୧୪.୬ ପ୍ରତିଶତ ପୁରୁଷ ହିଁ ପରୀକ୍ଷାରେ ପାସ୍ କରି ପାରନ୍ତି ଏବଂ ୧୨.୪ ପ୍ରତିଶତ ମହିଳା ୟୁପିଏସସି କ୍ଲିୟର କରି ପାରନ୍ତି। ଏହାସହ ୟୁପିଏସସିର ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ପ୍ରାର୍ଥୀ ୩ୟ ଥର ଉକ୍ତ ପରୀକ୍ଷାରେ ସାମିଲ ହୋଇଥାନ୍ତି , ସେହି ପ୍ରାର୍ଥୀଙ୍କର ସଫଳତା ହାର ସବୁଠୁ ଅଧିକ ହୋଇଥାଏ। ଏହି ପ୍ରାର୍ଥୀ ସିଭିଲ ସେବାର ଉଭୟ ପର୍ଯ୍ୟାୟର ପରୀକ୍ଷାରେ ସବୁଠୁ ଭଲ ପ୍ରଦର୍ଶନ କରିଥାନ୍ତି।