ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାହାକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି ? ମନ୍ତ୍ରୀପଦ ଉପରେ ତିନି ଡଜନ ବିଧାୟକଙ୍କ ଆଖି, ୮ କିମ୍ବା ୯ରେ ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୦୭/୦୬: ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏଯାଏ ସ୍ପଷ୍ଟ ହୋଇନି । ୨୪  ବର୍ଷ ପରେ ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀ ପାଇବାକୁ  ଯାଉଥିଲାବେଳେ କାହା ମୁଣ୍ଡରେ ଦଳ ମୁକୁଟ ପିନ୍ଧାଇବ  ତା’ ଉପରେ ସମସ୍ତଙ୍କ ଆଖି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କଠାରୁ ଆରମ୍ଭ କରି ବୈଜୟନ୍ତ ପଣ୍ଡା, କନକ  ବର୍ଦ୍ଧନ ସିଂହଦେଓ, ଜୟନାରାୟଣ ମିଶ୍ର, ସୁରେଶ  ପୂଜାରୀ ଓ ପ୍ରତାପ ଷଡ଼ଙ୍ଗୀଙ୍କ ନାଁକୁ ନେଇ ଚର୍ଚ୍ଚା  ଜୋର ଧରିଛି । ମାତ୍ର ସବୁକିଛି ନିର୍ଭର କରୁଛି ବିଜେପି  ସଂସଦୀୟ ବୋର୍ଡ ଉପରେ । ଏପଟେ କିନ୍ତୁ ବିଜେପି  ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ ତା’କୁ ନେଇ ଆରମ୍ଭ  ହୋଇଛି ଲବି ।   

ଦିଲ୍ଲୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ଓଡ଼ିଶାରେ ସରକାର ଗଠନ ନେଇ ବିଜେପି  ପ୍ରକ୍ରିୟା ଆରମ୍ଭ କରିଛି । ଶୁକ୍ରବାର କିମ୍ବା ଶନିବାର ବିଜେପି ସଂସଦୀୟ ବୋର୍ଡରେ ନୂଆ ମୁଖ୍ୟମନ୍ତ୍ରୀ  ସମ୍ପର୍କରେ ଆଲୋଚନା ହେବ । ଏ ବୈଠକରେ ଓଡ଼ିଶା ବିଜେପି ବିଧାୟକ ଦଳ ବୈଠକର ତାରିଖ  ଏବଂ ପର୍ଯ୍ୟବେକ୍ଷକଙ୍କ ନାମ ସ୍ଥିର କରାଯିବ । ଏହି  ପର୍ଯ୍ୟବେକ୍ଷକଙ୍କ ସହ ଦଳର ଓଡ଼ିଶା ପ୍ରଭାରୀ  ବିଜୟପାଲ୍‌ ସିଂହ ତୋମାର ଭୁବନେଶ୍ୱର ଆସିବାକୁ  ସ୍ଥିର ହୋଇଛି । ଆପାତତଃ ୮ କିମ୍ବା ୯ରେ ବିଧାୟକ  ଦଳ ବୈଠକ ବସି ବିଧାୟକ ଦଳ ନେତା ଚୟନ  କରାଯିବ । ଅନ୍ୟପକ୍ଷରେ ଆଜି ରାଜ୍ୟର ନବନିର୍ବାଚିତ  ବିଜେପି ଏମ୍‌ପିମାନେ ଦିଲ୍ଲୀରେ ପହଞ୍ଚିଛନ୍ତି ।  

ବିଜେପି ସରକାର କରିବାକୁ ଯାଉଥିବାରୁ  ମନ୍ତ୍ରୀପଦ ଉପରେ ବହୁ ହେଭିୱେଟ୍‌ଙ୍କ ଆଖି ରହିଛି । ପ୍ରାୟ ୩୦ରୁ ଅଧିକ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ  ପାଇବାକୁ ଉଦ୍ୟମ କରୁଛନ୍ତି । ଦଳ କେଉଁ ଆଧାରରେ  ମନ୍ତ୍ରୀପଦ ବାଣ୍ଟିବ ତାହା ସ୍ପଷ୍ଟ ହୋଇନି । ସବୁ ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ମିଳିପାରିବ ନାହିଁ । ମାତ୍ର  ଆଦିବାସୀ, ଯୁବ ଓ ମହିଳା ବର୍ଗର ପ୍ରତିନିଧିତ୍ୱ ନିଶ୍ଚୟ  ରହିବ । ଏହାକୁ ଦୃଷ୍ଟିରେ ରଖି କିଛି ବିଧାୟକ ନିଜ  ଦିଲ୍ଲୀ ଲବିକୁ ତେଜିଛନ୍ତି ।  

ଏମିତିରେ ଦେଖିଲେ ଦଳରେ ବହୁ ଅଭିଜ୍ଞ  ବିଧାୟକ ଅଛନ୍ତି । ବିଜେଡିରୁ ବହୁ ଅଭିଜ୍ଞ ଓ ପୁରୁଖା  ଲୋକ ମଧ୍ୟ ବିଜେପିକୁ ଆସି ଏଥର ବିଜୟୀ  ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ରେସରେ ଥିବା ଚେହେରାକୁ  ଛାଡ଼ିଦେଲେ ମୋହନ ଚରଣ ମାଝୀ, ରବିନାରାୟଣ  ନାୟକ, ସନାତନ ବିଜୁଳି, ପଦ୍ମଲୋଚନ ପଣ୍ଡା,  ପୃଥ୍ୱୀରାଜ ହରିଚନ୍ଦନ, କୃଷ୍ଣଚନ୍ଦ୍ର ପାତ୍ର, ମୁକେଶ  ମହାଲିଙ୍ଗ, ଭାସ୍କର ମଢ଼େଇ ପ୍ରମୁଖ ମନ୍ତ୍ରୀପଦ ପାଇଁ ଦାବିଦାର ଅଛନ୍ତି । ନବୀନଙ୍କୁ ହରାଇ ଜାଏଣ୍ଟ କିଲର  ପାଲଟିଥିବା ଲକ୍ଷ୍ମଣ ବାଗ, ସୂର୍ଯ୍ୟବଂଶୀ ସୁରଜ, ବାବୁ  ସିଂ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । 

ବିଜେଡିରୁ ଆସି ବିଜେତା ହୋଇଥିବା ପ୍ରଶାନ୍ତ  ଜଗଦ୍ଦେବ, ସିଦ୍ଧାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ  ଦୌଡ଼ରେ ଅଛନ୍ତି । ଦଳର ମହିଳା ବିଧାୟିକା ଭାବେ ଭେଟେରାନ ସୁରମା ପାଢ଼ୀ, ଉପାସନା ମହାପାତ୍ର, ପ୍ରଭାତି ପରିଡ଼ା, ସୀମାରାଣୀ ନାୟକ ଓ ଆଦିବାସୀ ମୁହଁ  ସଞ୍ଜଳି ମୁର୍ମୁ ମଧ୍ୟ ମନ୍ତ୍ରୀ ଲଡ଼ୁ ଖାଇବାକୁ ଅପେକ୍ଷା  କରିଛନ୍ତି । ଦଳ କିନ୍ତୁ କେଉଁମାନଙ୍କୁ ବାଛିବ ତାହାର  କେହି ଟେର୍‌ ପାଉନାହାନ୍ତି । ଏହାକୁ ଛାଡ଼ି ଦଳ ଦୁଇ  ଜଣ ଅଭିଜ୍ଞ ବିଧାୟକଙ୍କୁ ବାଚସ୍ପତି ଓ ମୁଖ୍ୟ ସଚେତକ ପଦ ପାଇଁ ବାଛିବ । ବିରୋଧୀଙ୍କ ସଂଖ୍ୟା ବେଶ ଓଜନିଆ ଥିବାରୁ ଦଳ ଏ ଦୁଇ ପଦ ପାଇଁ ସବୁ ଦିଗକୁ ବିଚାର କରି ଚେହେରା ଚୟନ କରିବ ।   

ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି, ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବ । ଆଗାମୀ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ  ହେବେ

  • PrameyaOdia
  • prameya
  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.