ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରେସ୍ତୋରାଁରେ ଦୋସା ଖାଇବାକୁ ପହଞ୍ଚିଲେ ଯୁବତୀ, ଦୋସାରୁ ବାହାରିଲା ୮ଟି ଅସରପା

ନୂଆଦିଲ୍ଲୀ ୧୮/୦୩ : ସାଧାରଣତଃ ବଡ଼ ହୋଟେଲ୍‌ ଓ ରେସ୍ତୋରାଁକୁ ଖାଇବାକୁ ଯିବା ସମୟରେ ଖାଦ୍ୟ ସ୍ୱାଦିଷ୍ଟ ହେବା ସହିତ ପରିଚ୍ଛନ୍ନତାର ସହ ପ୍ରସ୍ତୁତ ହୋଇଥିବା ଆଶା କରାଯାଏ । ତେବେ ଦିଲ୍ଲୀର ଜଣେ ଯୁବତୀ ଏକ ବଡ଼ ରେସ୍ତୋରାଁରେ ଖାଇବାର ଭୟଙ୍କର ଅଭିଜ୍ଞତାକୁ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଶେୟାର କରିଛନ୍ତି । ସେଥିରେ ସେ ତାଙ୍କର ଦୋସାରୁ ଗୋଟିଏ ଦୁଇଟି ନୁହେଁ, ୮ଟି ମଲା ଅସରପା ବାହାରିଥିବା ପ୍ରକାଶ କରିଛନ୍ତି । 

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଭିଡିଓ ଅନୁସାରେ, ଇଶାନି ନାମ୍ନୀ ଯୁବତୀଜଣକ ଚଳିତମାସ ୭ ତାରିଖରେ ନିଜର ଜଣେ ବନ୍ଧୁଙ୍କ ସହିତ ଦିଲ୍ଲୀର ଏକ ଲୋକପ୍ରିୟ ରେସ୍ତୋଁରାକୁ ଯାଇଥିଲେ । କନ୍ନଟ ପ୍ଲେସ୍‌ରେ ଥିବା ସେହି ରେସ୍ତୋରାଁର ନାମ ହେଉଛି ମାଡ୍ରାସ କଫି ହାଉସ୍‌ । ଇଶାନି ନିରାମିଶାଷୀ ହୋଇଥିବାବେଳେ ସେଠାରେ ଦୁଇଟି ସାଧା ଦୋସା ଲାଗି ବରାଦ ଦେଇଥିଲେ । ତେବେ ସେଥିରୁ ଟିକେ ଖାଇବା ପରେ ଦୋସାରେ କଳା କଳା ଚିହ୍ନ ଥିବା ଦେଖିବାକୁ ପାଇଥିଲେ । ଭଲଭାବେ ଦେଖିବା ପରେ ସେହି ଚିହ୍ନ ସବୁ ଅସରପା ହୋଇଥିବା ଜଣାପଡ଼ିଲା । ଦୋସାରୁ ଗୋଟିଏ, ଦୁଇଟି ନୁହଁ, ୮ଟି ମଲା ଅସରପା ବାହାରିଲା । ଏହାପରେ ନିଜ ବନ୍ଧୁଙ୍କୁ ସେ ତୁରନ୍ତ ତାର ଭିଡିଓ ରେକର୍ଡ କରିବାକୁ କହିଲେ । 




ତେବେ ସେମାନେ ଭିଡିଓ କରୁଥିବାବେଳେ ରେସ୍ତୋରାଁ କର୍ମଚାରୀମାନେ ସେମାନଙ୍କୁ ବାଧା ଦେଇଥିଲେ । ପ୍ଲେଟ୍‌କୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ । ଭିଡିଓ ସୁଟ୍‌ କରିବା ବଦଳରେ ରେସ୍ତୋରାଁର ମାଲିକ ତାଙ୍କୁ କ୍ଷତିପୂରଣ ଦେବାକୁ ବି କହିଥିଲେ । କିନ୍ତୁ ଇଶାନି ନିଜ ଜିଦ୍‌ରେ ଅଟଳ ରହିଥିଲେ । ଏପରିକି ସେ ରେସ୍ତୋରାଁର ରୋଷେଇ ଘର ବୁଲି ଦେଖିଥିଲେ । ରୋଷେଇ ଘରର ଅବସ୍ଥା ତଦ୍ରୁପ ଥିଲା । ତାର ଅଧା ଅଂଶରେ ଛାତ ବି ନଥିଲା । ପରେ ଇଶାନି ଏକ ସ୍ଥାନୀୟ ପୁଲିସ ଷ୍ଟେସନ୍‌ରେ ଏ ନେଇ ଅଭିଯୋଗ କରିବା ସହିତ ସୋସିଆଲ୍‌ ମିଡିଆରେ ଭିଡିଓକୁ ଶେୟାର କରିଛନ୍ତି । ଭିଡିଓର କ୍ୟାପସନ୍‌ରେ ନିଜର ଭୟାବହ ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରି ସେ ଲେଖିଛନ୍ତି, ପ୍ରତି ଗୁରୁବାରରେ ସେହି ରେସ୍ତୋରାଁକୁ ଘଣ୍ଟାକୁ ପ୍ରାୟ ୩୦ ଜଣ ଗ୍ରାହକ ଆସିଥାନ୍ତି । ଏଭଳିସ୍ଥଳରେ ରେସ୍ତୋରାଁ କର୍ତ୍ତୁପକ୍ଷ ଖାଦ୍ୟର ମାନ ନେଇ ଅତ୍ୟନ୍ତ ସତର୍କ ରହିବା କଥା । କାରଣ ପରିଚ୍ଛନ୍ନତା ଓ ଖାଦ୍ୟ ନିରାପତ୍ତା ସମସ୍ତଙ୍କର ଅଧିକାର । ସେପଟେ ଇଶାନିଙ୍କର ଅଭିଯୋଗ ନେଇ ପୁଲିସ ପକ୍ଷରୁ ତାଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶ୍ରୁତି ବି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.