ଧରାକୋଟ ,୬।୧୧ ଧରାକୋଟ ବ୍ଲକ ଅନ୍ତର୍ଗତ ବଡଗଡ ଥାନା ଅଧୀନରେ ଥିବା ମଥୁରା ଗ୍ରାମର ସନିଦେବ ମନ୍ଦିର ନିକଟସ୍ଥ ହରଭଙ୍ଗି କେନାଲ ରୁ ଜଣକ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ମଛାକୋଟ ପଞ୍ଚାୟତ ଅଧିନସ୍ଥ କରାତଳି ଗ୍ରାମର ଲକ୍ଷ୍ମଣ ଗୌଡ଼ଙ୍କ ପୁତ୍ର ରବୀନ୍ଦ୍ର ଗୌଡ (୩୫) ।
ବଡଗଡ ଥାନା ରେ ମୃତ ରବୀନ୍ଦ୍ର ଙ୍କ ସ୍ତ୍ରୀ ରିନା ଗୌଡ଼ ଦେଇଥିବା ଏତଲା ଅନୁଯାୟୀ ରବିବାର ରବୀନ୍ଦ୍ର ସକାଳେ ନିଜର ଗାଈ ପଲ ଓ ଛେଳି ମାନଙ୍କୁ ଗମ୍ଭାରୀ ଗୁଡା ନିକଟସ୍ଥ କଇଁଫୁଲିଆ ପାହାଡ କୁ ଚରାଇବା ପାଇଁ ନେଇଥିଲେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକ ବ୍ୟସ୍ତ ହୋଇ ଭାଇ ଦେବେନ୍ଦ୍ର ଓ ପୁଅକୁ ଖୋଜିବା ପାଇଁ ପଠାଇ ଥିଲେ। ପାହଡ଼ ପାଖ କେନାଲ ହିଡରେ ରବୀନ୍ଦ୍ରଙ୍କ ତଲାରି, ଚପଲ,ଚଦର ଓ ବାଡି ପଡିଥିବା ବେଳେ ତାଙ୍କର ଖୋଜ ଖବର ପାଇ ନଥିଲେ । ଏକଥା ଗାଁରେ ଜଣାଇବା ପରେ ଗାଁ ଲୋକେ ମିଳିତ ଭାବରେ ଖୋଜା ଖୋଜି କରି ନପାଇବା ପରେ ବଡଗଡ ଥାନାରେ ଖବର ଦେଇଥିଲେ । ଏହା ପରେ ସନ୍ଦେହ କରି ହରଭଙ୍ଗୀ କାର୍ଯ୍ୟାଳୟର ପଦାଧିକାରୀ ଙ୍କୁ ଖବର ଦେଇ କେନାଲ ପାଣି ବନ୍ଦ କରିଥିଲେ। ଶନିଦେବ ମନ୍ଦିର ନିକଟସ୍ଥ କେନାଲ ଗେଟ ରେ ଏକ ମୃତ ଦେହ ଲାଗିଥିବା ଦେଖି ଥାନାକୁ ଖବର ଦେଇଥିଲେ। ରବୀନ୍ଦ୍ରଙ୍କ ଶବକୁ ପୋଲିସ ଜବତ କରି ବ୍ରହ୍ମପୁର ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି । ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଜାରି ରହିଚି। ହେଲେ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ବେଳେ ରବୀନ୍ଦ୍ର ର ମୁଣ୍ଡର ଉପର,କପାଳ ଓ ବେକ ପାଖରେ କଟା ଚିହ୍ନ ଥିବାରୁ ଏହା ହତ୍ୟା କାଣ୍ଡ ନା କେନାଲ ଭିତର ପଥର ରେ ଆଘାତ ଚିହ୍ନ ତାକୁ ନେଇ ସନ୍ଦେହ ଦେଖା ଦେଇଛି।