ଭୁବନେଶ୍ବର,୩।୯: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ରବିବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନକୁ ଯାଇ ସୂର୍ଯ୍ୟ ପାତ୍ରଙ୍କୁ ଶେଷ ଦର୍ଶନ କରିଛନ୍ତି । ଶେଷ ଦର୍ଶନ ପରେ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏହା ପରେ ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀରକୁ ବିଜେଡି ପାର୍ଟି ଅଫିସ୍ ଶଙ୍ଖ ଭବନ ଓ ପରେ ବିଧାନସଭାକୁ ନିଆଯିବ । ସେଠାରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିବା ସହ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ।
ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓଡ଼ିଶା ରାଜନୀତି ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ… pic.twitter.com/FCe61RZ6an
— CMO Odisha (@CMO_Odisha) September 3, 2023
ଗତକାଲି ତାଙ୍କ ମୃତ୍ୟୁ ଖବର ପାଇବା ପରେ ଶୋକ ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବ୍ୟକ୍ତି ଶୋକ ବ୍ୟକ୍ତ କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି । ସୂର୍ଯ୍ୟପାତ୍ରଙ୍କୁ ଶେଷ ଦର୍ଶ ପାଇଁ ନୟାପଲ୍ଲୀସ୍ଥିତ ତାଙ୍କ ବାସଭବନରେ ଅନେକ ବ୍ୟକ୍ତିଙ୍କ ଭିଡ଼ ଜମିଛି ।