ପ୍ରମୁଖ ଖବର
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଶ୍ୱ ଜଳ ଦିବସ: ବ୍ରହ୍ମଗିରିର ୫୯ ଗ୍ରାମର ଭୂତଳ ଜଳରେ ଆଇରନ୍‌, ଫ୍ଲୋରାଇଡ୍‌, ୧୫ ବର୍ଷ ହେଲା ସରୁନି କୋଟିଏ ଟଙ୍କାର ମେଗା ପ୍ରକଳ୍ପ

ବ୍ରହ୍ମଗିରି,୨୨/୦୩: ଘରକୁ କୁଣିଆ ଆସିଲେ କିଣା ହୋଇ ଆସୁଛି ବୋତଲ ପାଣି । ଭୋଜିଭାତ ହେଲେ ଘାରୁଛି ଚିନ୍ତା । କ୍ଷାରଯୁକ୍ତ ପାଣିରେ ଖାଦ୍ୟଦ୍ରବ୍ୟ ସିଝୁ ନ ଥିବାରୁ ଦୂରଦୂରାନ୍ତରୁ ବୁହା  ହୋଇ ଆସୁଛି ଟ୍ୟାଙ୍କର ଜଳ । ଭୂତଳ ଜଳରେ ମାତ୍ରାଧିକ ମାରାତ୍ମକ ଫ୍ଲୋରାଇଡ୍‌ ଓ ଆଇରନ୍‌  ଏହାର କାରଣ ବୋଲି ଲୋକେ ଜାଣିଛନ୍ତି ।  ହେଲେ ବିକଳ୍ପ ନାହିଁ । ଏଭଳି ଦୂଷିତ ପାଣି  ପିଇ ମୃତ୍ୟୁମୁଖରେ ପଡୁଛନ୍ତି । ଦିନେ ନୁହେଁ କି  ଦୁଇଦିନ ବର୍ଷ ବର୍ଷ ଧରି ମୁନ୍ଦାଏ ବିଶୁଦ୍ଧ ଜଳ ପାଇଁ  ଡହଳବିକଳ ହେଉଛନ୍ତି ସମୁଦ୍ର ଉପକୂଳବର୍ତ୍ତୀ  ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ର ୭ ପଞ୍ଚାୟତ ଅଧୀନ  ୫୯ ଗ୍ରାମର ବାସିନ୍ଦା । ମେଗା ପାନୀୟ ଜଳଯୋଗାଣ  ପ୍ରକଳ୍ପର କଚ୍ଛପ ଗତି ଲକ୍ଷାଧିକ ଲୋକଙ୍କୁ ଦେଇଛି  ଏଭଳି ଜଳଯନ୍ତ୍ରଣା ।  ସମୁଦ୍ର ଉପକୂଳରେ ଘର । ଏହା ହିଁ  ବ୍ରହ୍ମଗିରିବାସୀଙ୍କ ପାଇଁ ଅଭିଶାପ ସାବ୍ୟସ୍ତ  ହୋଇଛି । ପର୍ଯ୍ୟଟନରେ ସମୃଦ୍ଧ ଏହି ଅଞ୍ଚଳରେ ରାତି ପାହିଲେ ପାଣି ଚିନ୍ତାରୁ ଆରମ୍ଭ ହେଉଛି  ଲୋକଙ୍କ ଦିନ । ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର  ୨୦ କିମି ଦୂରରେ ଅବସ୍ଥିତ ଅଞ୍ଚଳରେ ଏଭଳି  ଜଳସଙ୍କଟ ଉତ୍କଟ ହେବାରେ ଲାଗିଛି । ଦୂଷିତ  ପାଣିରୁ କିଡ୍‌ନୀ, କର୍କଟର ଭଳି ଦୁରାରୋଗ୍ୟ  ବ୍ୟାଧି ବ୍ୟାପୁଥିବାବେଳେ ବର୍ଷକୁ ବର୍ଷ ମୃତ୍ୟୁସଂଖ୍ୟା  ବଢ଼ିବାରେ ଲାଗିଛି । ବ୍ଲକ୍‌ର କୁସୁବେଣ୍ଟି,  ରାୟବିଧାର, ମଣପଡ଼ା, ବ୍ରାହ୍ମଣିଆ, କହଳପଦା,  ଧରଣୀକୁଦି, ବଡ଼ବେଣାକୁଦି ପଞ୍ଚାୟତର ୫୯  ଗ୍ରାମର ବାସିନ୍ଦାଙ୍କ ପାଇଁ ବିଶୁଦ୍ଧ ପାଣି ସ୍ୱପ୍ନ  ପାଲଟିଛି । ଏଥିରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି  ବ୍ରାହ୍ମଣିଆ ଓ କହଳପଦା ପଞ୍ଚାୟତବାସୀ । ଉକ୍ତ  ଦୁଇ ପଞ୍ଚାୟତରେ ପାଇପ୍‌ ପାଣି ବ୍ୟବସ୍ଥା ଆଦୌ  ନାହିଁ । ଭୂତଳ ଜଳ ପିଇବା ଯୋଗ୍ୟ ହୋଇପାରୁନି।  ନଳକୂପ, କୂଅ ଜଳ ଉତ୍ସ ପ୍ରଦୂଷିତ । ହେଲେ ବିକଳ୍ପ  ନ ଥିବାରୁ ଲୋକେ ଏହି ପାଣିକୁ ସାହାରା କରିବାକୁ  ବାଧ୍ୟ ହେଉଛନ୍ତି ।

ଉଲ୍ଲେଖଯୋଗ୍ୟ, ସମ୍ପୃକ୍ତ ପଞ୍ଚାୟତଗୁଡ଼ିକୁ  ବିଶୁଦ୍ଧ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ  ୨୦୦୯ରେ ମେଗା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ବହୁ ବିଳମ୍ବରେ  ୨୦୧୨ରେ ଏହାର କାମ ଆରମ୍ଭ ହୋଇଥିଲା । ବ୍ୟୟ  ଅଟକଳ ଥିଲା କୋଟିଏ ଟଙ୍କା । ଏହାରି ଭିତରେ  ପ୍ରକଳ୍ପକୁ ୧୫ ବର୍ଷ ପୂରିଲାଣି । ମୁଖ୍ୟ ପାଇପ୍‌  ବିଛା କାମ ଶେଷ ହୋଇଛି । ଟାଙ୍କି ମଧ୍ୟ ନିର୍ମାଣ  ସରିଛି । ହେଲେ ପାଣି ଯୋଗାଣ ହେବା ମାତ୍ରକେ  ପାଇପ୍‌ ଫାଟି ପାଣି ଭାସୁଛି । ପ୍ରକଳ୍ପ ନିର୍ମାଣରେ  ବ୍ୟାପକ ଦୁର୍ନୀତି, ଅର୍ଥ ହଡ଼ପ, ନିମ୍ନମାନର କାମ  ପାଇଁ ପ୍ରକଳ୍ପର ଭବିଷ୍ୟତ ଅନ୍ଧକାର ହୋଇଯାଇଛି ।  ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି ପାଣିଟାଙ୍କିରେ ।  ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିବା ପ୍ରକଳ୍ପର ପାଣି  ଟଙ୍କା ଭାଙ୍ଗିରୁଜି ଗଲାଣି । ଗ୍ରାମାଞ୍ଚଳରେ ନିର୍ମାଣ  ହୋଇଥିବା ଷ୍ଟାଣ୍ଡ୍‌ପୋଷ୍ଟ ଅଦୃଶ୍ୟ ହୋଇଗଲାଣି ।  ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ସର୍ବୋଚ୍ଚ  ଯନ୍ତ୍ରୀଙ୍କଠାରୁ ଆରମ୍ଭ ଜନପ୍ରତିନିଧି ଏବଂ ଉଚ୍ଚସ୍ତରୀୟ  କମିଟି ଭୁବନେଶ୍ୱର ଓ ପୁରୀରେ ବାରମ୍ବାର ପ୍ରକଳ୍ପ  କାର୍ଯ୍ୟର ସମୀକ୍ଷା କରି କରିସାରିଥିଲେ ହେଁ  ଫଳ ଶୂନ । 

ଅନ୍ୟପକ୍ଷରେ ବସୁଧା ଯୋଜନାରେ  ଭୋଲଟାଜ୍‌ କମ୍ପାନିକୁ ପାନୀୟ ଜଳଯୋଗାଣ ଦାୟିତ୍ୱ  ଦିଆଯାଇଛି । ତେବେ ସମୟସୀମା ଅତିକ୍ରାନ୍ତ ହୋଇସାରିଥିଲେ ହେଁ ପାଇପ୍‌ ବିଛା କାମ ଶେଷ  ହେଉନାହିଁ । ଏପଟେ ଖରାଦିନ ଆରମ୍ଭରୁ ଅନେକ  ସ୍ଥାନରେ ଉତ୍କଟ ଜଳସଙ୍କଟ ଦେଖାଦେଲାଣି ।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ  ବଢିବାରେ ଲାଗିଛି । ସମସ୍ୟାର ସମାଧାନ ନ  ହେଲେ ବ୍ରହ୍ମଗିରିବାସୀ ଆନ୍ଦୋଳନକୁ ଓହ୍ଲାଇବା  ସହ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ  ବୋଲି ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.