ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାଷା ଗୋଟିଏ ଜାତିର ମୁକୁଟ, ଓଡ଼ିଆ ଜାତି, ଓଡ଼ିଆ ଭାଷାର ଭବିଷ୍ୟତ ଉଜ୍ଜଳ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୩/୦୨ : ଆରମ୍ଭ ହେଲା ଓଡ଼ିଆ ଭାଷାର ମହାକୁମ୍ଭ । ଓଡ଼ିଆ ଭାଷାର ମହୋତ୍ସବ। ଓଡ଼ିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ସମ୍ମିଳନୀରେ ଓ ସାରା ରାଜ୍ୟରେ ଏବଂ ଦେଶ ବିଦେଶରେ ଥିବା ସବୁ ଓଡ଼ିଆ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡ଼ିଆ ଭାଷାର ଏହି ମହୋତ୍ସବରେ ସାମିଲ ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ। ଓଡ଼ିଆ ଜାତିର ଭବିଷ୍ୟତ ବିକାଶ ରାସ୍ତାକୁ ଏହା ପ୍ରଶସ୍ତ କରିବ ବୋଲି ମତଦେଇ ଓଡ଼ିଆ ଜାତିର ଓ ଓଡ଼ିଆ ଭାଷାର ଭବିଷ୍ୟତ ଉଜ୍ଜଳ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ସଂସ୍କୃତି ଓ ବୈଷୟିକ ଜ୍ଞାନର ପ୍ରଭାବ ଭାଷା ଉପରେ ରହୁଛି। ତେଣୁ ଭାଷାର ସବୁ ଦିଗ ଉପରେ ଆଲୋଚନା ହେଉ। ଭଲ ସାହିତ୍ୟ ସୃଷ୍ଟି ଉପରେ ଓ ଓଡ଼ିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ ବୋଲି ସେ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସମ୍ମିଳନୀରେ ଆମେ ଆମ ଭାଷାର ଇତିହାସ ଜାଣିବା । ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା। ଓଡ଼ିଶା ଭାଷା ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହିଁ ଭବିଷ୍ୟତ। ଓଡ଼ିଆ ଭାଷାର ଉନ୍ନତି ପାଇଁ ଓଡ଼ିଆ ବିଶ୍ବବିଦ୍ୟାଳୟ ଖୋଲାଯାଇଛି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଓଡ଼ିଆ ଭାଷା ଶିକ୍ଷାକୁ ଉତ୍ସାହିତ କରାଯାଇଛି। ଅକ୍ଷର ଭୂମି, ଏ ସମ୍ମିଳନୀର ସ୍ମାରକୀ ଭାବେ ଓଡ଼ିଆ ଭାଷାର ଜୟଗାନ କରୁଛି । ଏହି ଅବସରରେ ଆଦିକବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହିତ ଓଡ଼ିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ, ସାହିତ୍ୟିକ ଓ କବିମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ସମ୍ମାନ ଜଣାଇ ଭାଷା ସମ୍ମିଳନୀକୁ ସମସ୍ତଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଓଡ଼ିଆ ଭାଷା ପାଇଁ ଏକାଠି ହୋଇଛୁ । ଦେଶ ବିଦେଶରେ ଥିବା ଓଡ଼ିଆମାନେ ମଧ୍ୟ ଏଥିରେ ଯୋଡି ହୋଇଛନ୍ତି । ବିଶିଷ୍ଟ ଲେଖକ ଓ ଗବେଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏହା ଏକ ଗୌରବର ସମୟ ବୋଲି ସେ କହିଥିଲେ।

ଆମେ ସମସ୍ତେ ଓଡ଼ିଆ । ଓଡ଼ିଆ ଆମ ଭାଷା ଓ ଆମ ପରିଚୟ ବୋଲି ମତ ପ୍ରକାଶ କରି ସେ କହିଲେ ଯେ ଭାଷା ଗୋଟିଏ ଜାତିର ମୁକୁଟ। ଏହା ଆମ ସମସ୍ତଙ୍କୁ ଏକତାର ମହାମନ୍ତ୍ର ଦେଇଥାଏ। ପରିଶେଷରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ବାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇ କହିଲେ ଯେ ଏହି ସମ୍ମିଳନୀ ହେଉଛି ଓଡ଼ିଆ ଅସ୍ମିତାର ପରିଚୟ। ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବା ଏବଂ ଆମ ଭାଷାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ କିଭଳି ଆଗକୁ ନେଇ ପାରିବା, ତା ହେଉଛି ଏହି ସମ୍ମିଳନୀର ଆଭିମୁଖ୍ୟ।

ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହି ସମ୍ମିଳନୀ ହେଉଛି ଏକ ଭାଷାର ପର୍ବ ଓ ଉତ୍ସବ। ଆଜି ଓଡ଼ିଶାରେ ରୂପାନ୍ତର ପ୍ରକ୍ରିୟା ଜାରି ରହିଛି । ରୂପାନ୍ତର ପ୍ରକ୍ରିୟାରେ ଭାଷାର ବହୁତ ବଡ ଭୂମିକା ରହିଛି । ସେଥିପାଇଁ ଆମ ଭାଷାର ଗୌରବ ବୃଦ୍ଧି ଓ ଜୟଗାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି । ଏହି ସମ୍ମିଳନୀର ପ୍ରସଙ୍ଗ ରହିଛି ଭାଷା ହିଁ ଭବିଷ୍ୟତ।  ଆଜି ଏହି ସମ୍ମିଳନୀରେ ୪ଟି ଦେଶର ଭାଷା ବିଶେଷଜ୍ଞଙ୍କ ସମେତ ୧୦୦ରୁ ଅଧିକ ବିଦ୍ବାନ ଏକତ୍ରିତ ହୋଇଛନ୍ତି । ବୈଷୟିକ ଜ୍ଞନକୌଶଳର ପ୍ରୟୋଗରେ ଆମ ଭାଷାର ଅଭିବୃଦ୍ଧି ପାଇଁ ସେମାନେ ଆମକୁ ଦିଗ୍‌ଦର୍ଶନ ଦେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥିଭାବେ ଯୋଗ ଦେଇ ସାଉଥ-ଇଷ୍ଟ ଏସିଆ ଷ୍ଟଡି ପ୍ରଫେସର ଆର୍ଲୋ ଗ୍ରୀଫିଥ୍ କହିଲେ ଯେ ମୁଁ ଓଡ଼ିଶାରେ ରହୁଛି, ଭାରତ ଭିତରେ ଓଡ଼ିଶା ମୋତେ ବହୁତ ଭଲ ଲାଗେ। ମୁଁ ଜଗନ୍ନାଥଙ୍କୁ ଭଲପାଏ ଓଡ଼ିଆ ଭାଷାକୁ ଭଲ ପାଏ ଏବଂ ଓଡ଼ିଆ ଭାଷାକୁ ବ୍ୟବହାର କରେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଭାଷାବିତ୍‌ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷାର ବିକାଶ ଉଦ୍ଦେଶ୍ୟରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରିଥିଲେ। ପୁରସ୍କାର ସ୍ବରୂପ ତାଙ୍କୁ ମାନପତ୍ର ଓ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦୁଇ ଓଡିଆ ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର, ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ ପ୍ରଫେସର ଆର୍ଲୋ ଗ୍ରୀଫିଥଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । 

ପ୍ରଥମ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମୁଁ ଦେଶବିଦେଶରେ ବହୁ ଜାଗାରେ ସମ୍ମାନିତ ହୋଇଛି । କିନ୍ତୁ ଆଜିକାର ସମ୍ମାନ ମୋ ଜୀବନର ସବୁଠାରୁ ବଡ ସମ୍ମାନ । ଏ ସମ୍ମାନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମ୍ମାନ ବୋଲି ସେ ପ୍ରକାଶ କରି ଧନ୍ୟବାଦ ଜଣାଇଥିଲେ । ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର କହିଥିଲେ ଯେ ଓଡ଼ିଆ ଭାଷାର ଭବିତ୍ୟତ ବହୁତ ଉଜ୍ଜଳ। ଭାଷା ସାହିତ୍ୟରେ କେବଳ ଆତ୍ମ ସନ୍ତୋଷ ପାଇଁ ନୁହେଁ, ପାଠକ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି। ଆଜିର ଏହି ସମ୍ମିଳନୀ ଓଡ଼ିଆ ଭାଷା ସାହିତ୍ୟର ଅଭିବୃଦ୍ଧି ପାଇଁ  ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ବାରା ଓଡ଼ିଆ ଭାଷା ଆହୁରି ଆଗକୁ ବଢିବ ବୋଲି ସେ ଆଶାପ୍ରକାଶ କହିଥିଲେ । 

ତାଙ୍କ ବକ୍ତବ୍ୟରେ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଉଲ୍ଲାସ ଦିନ, ପର୍ବର ଦିନ ଓ ଆନନ୍ଦର ଦିନ। ମାନବ ଜାତିର ବିସ୍ମୟକର ଉଦ୍ଭାବନ ହେଉଛି ଭାଷା । ହଜାର ହଜାର ବର୍ଷରେ ଭାଷାଟିଏ ଜନ୍ମ ନିଏ । କିନ୍ତୁ ଲିଖନ, ପଠନ ଓ ବ୍ୟବହାର ନ ହେଲେ, ଭାଷାଟିଏ ମରିଯାଏ । ମୁଖ୍ୟମନ୍ତ୍ରୀଙ୍କର ଏହି ସମ୍ମିଳନୀର ଆୟୋଜନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଭାଷାକୁ ଆହୁରି ପରିପୁଷ୍ଟ କରିବ। ଏହି ବିଶ୍ବ ଓଡ଼ିଆ ଭାଷା କୁମ୍ଭକୁ ଓଡିଆ ଭାଷା ସାହିତ୍ୟର ପୂର୍ଣ୍ଣ ଜାଗୃତି ପର୍ବ ଭାବରେ ସେ ବର୍ଣ୍ଣନା କରିଥିଲେ ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.