ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ନୂଆ ଆପାର୍ଟମେଣ୍ଟ ପରିଚାଳନା ନିୟମରେ ବିଳମ୍ବ, ପଞ୍ଜୀକରଣ ଅପେକ୍ଷାରେ ୫ ହଜାର ଘର

ଭୁବନେଶ୍ୱର,୨୧/୧୧: ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୨୦୨୨ ମେ’ ମାସଠାରୁ ଘର  କିଣାବିକା ସମ୍ପର୍କିତ ପଞ୍ଜୀକରଣରେ ରୋକ ଲାଗିଛି ।  ଆସୋସିଏସନ ଅଫ୍‌ ଆଲଟି ନେଇ ରାଜ୍ୟରେ  ଚୂଡାନ୍ତ ଆଇନ ଲାଗୁ ହେବାରେ ବିଳମ୍ବ ହେଉଛି ।  ଫଳରେ ଗ୍ରାହକ ଫ୍ଲାଟର ପୋଜେସନ ବା ମାଲିକାନା  ପାଇପାରୁନାହାନ୍ତି । ଗତ ୧୮ ମାସ ହେବ ରାଜ୍ୟରେ  ଏଭଳି ପ୍ରାୟ ୫ ହଜାର ୟୁନିଟ ଘରର ପଞ୍ଜୀକରଣ  ଅଟକିଛି । ଫଳରେ ଘର ପାଇବାକୁ ହଜାର ହଜାର  ଗ୍ରାହକ ଅପେକ୍ଷା କରି ରହିଛନ୍ତି । ଫଳରେ ରାଜ୍ୟ  ରାଜକୋଷକୁ ୧୦୦୦ରୁ ୧୨୦୦ କୋଟିର ରାଜସ୍ୱ  ଆସିପାରିନି ବୋଲି ରିୟଲ ଇଷ୍ଟେଟ ଶିଳ୍ପ ପକ୍ଷରୁ  ସୂଚନା ମିଳିଛି । 

ସମସ୍ୟା ସମାଧାନ ଲାଗି ରାଜ୍ୟ ସରକାର  ଇତିମଧ୍ୟରେ ନୂତନ ନିୟମ ଆଣିବା ପ୍ରକ୍ରିୟା ଗ୍ରହଣ  କରିଛନ୍ତି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ  ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ  ୨୦୨୩ କାର୍ଯ୍ୟକାରୀ କରାଇବାକୁ ଯାଉଛି । ରେରା  ଆଇନ ଅନୁପାଳନ ପୂର୍ବକ ଆସୋସିଏସନ ଅଫ୍‌  ଆଲଟି ବ୍ୟବସ୍ଥାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ।  ରାଜ୍ୟ ବାସଗୃହ ଓ ସହରୀ ବିକାଶ ବିଭାଗ ପକ୍ଷରୁ  ଅକ୍ଟୋବରରେ ଏ ନେଇ ଡ୍ରାଫ୍ଟ ନିୟମ ଜାରି  କରାଯାଇଥିଲା । ନଭେମ୍ବର ୧୨ ଯାଏ ଅଂଶୀଦାରଙ୍କ  ମତାମତ ଲୋଡ଼ାଯାଇଥିଲା । ଏହାର ଅବଧି  ରବିବାର ଶେଷ ହୋଇଛି । ଚୂଡାନ୍ତ ଆଇନ ଉପରେ  ଏବେ ସମସ୍ତଙ୍କ ନଜର । ନୂଆ ଆଇନ ଆସିଲା ପରେ ଆପାର୍ଟମେଣ୍ଟ  ପଞ୍ଜୀକରଣ ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବ ।  ଫଳରେ ଲୋକେ ଘର ପାଇବା ସହଜ ହେବ ।  

ନୂଆ ଆଇନରେ ସରକାର ଏ ନେଇ ନିୟାମକ  କର୍ତ୍ତୃପକ୍ଷଙ୍କୁ ନିଯୁକ୍ତ କରିବେ । ସମ୍ପୂର୍ଣ୍ଣ ପ୍ରକ୍ରିୟା  ସାରି ଆଇନ କାର୍ଯ୍ୟକାରୀ କରାଇବାକୁ ୩ରୁ ୪  ମାସ ସମୟ ଲାଗିପାରେ । ତେବେ ନୂଆ ଆଇନ  ତ୍ୱରିତ କାର୍ଯ୍ୟକାରୀ ହେଉ ବୋଲି ଶିଳ୍ପ ବିଶେଷଜ୍ଞ  କହିଛନ୍ତି । ଏହା ସହ ଆଇନର ବିଭିନ୍ନ ଦିଗକୁ  ନେଇ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି ।

ଆଗକୁ ସେଲ୍‌ଡିଡ ବେଳେ ରେରା ପଞ୍ଜୀକରଣ, ଅକ୍ୟୁପାନ୍ସି ପ୍ରମାଣପତ୍ର, ଆସୋସିଏସନ ଅଫ୍‌  ଆଲଟିର ପଞ୍ଜୀକରଣ ପ୍ରମାଣପତ୍ର, ନୂଆ ଆଇନ  ଅନୁସାରେ ପ୍ରକଳ୍ପର ଘୋଷଣାପତ୍ର ଦେବା  ବାଧ୍ୟତାମୂଳକ । ଏ କ୍ଷେତ୍ରରେ ଡେଭଲପରଙ୍କ ତ୍ରୁଟି ରହିଲେ ପଞ୍ଜୀକରଣ ହୋଇପାରିବନି । ଫଳରେ ଗ୍ରାହକ ଘର ପାଇବାରେ ସମସ୍ୟା ରହିବ । ଏହି  ଦିଗକୁ ଗୁରୁତ୍ୱ ଦେବାକୁ କହିଛନ୍ତି ବିଶେଷଜ୍ଞ ।  

ନୂଆ ନିୟମ ଅନୁସାରେ ରିୟଲ ଇଷ୍ଟେଟ ଓ  ଆପାର୍ଟମେଣ୍ଟ ପ୍ରକଳ୍ପରେ ଆସୋସିଏସନ ଅଫ୍‌  ଆଲଟି ଗଠନ କରିବା ବାଧ୍ୟତାମୂଳକ । ଏହି ଆସୋସିଏସନ ଆପାର୍ଟମେଣ୍ଟ ପ୍ରକଳ୍ପ ଓ ସମ୍ପତ୍ତିର  କମନ ଏରିଆ ଓ ସୁବିଧା ଦିଗରେ ଦେଖାଶୁଣା  କରିବ । କୌଣସି ପ୍ରକଳ୍ପରେ ୭ଟି ଆପାର୍ଟମେଣ୍ଟ  ବୁକିଂ କିମ୍ବା ୫୦% ଆପାର୍ଟମେଣ୍ଟ ହେବା ପରେ  ଆସୋସିଏସନ ଗଠନ ହୋଇପାରିବ । ପ୍ରକଳ୍ପର  ସମ୍ପୂର୍ଣ୍ଣ ଜମିକୁ କମନଏରିଆ ଭାବେ ବିଚାର  କରାଯିବ । ଏହା ଆସୋସିଏସନ ନାମରେ  ପଞ୍ଜୀକରଣ ହେବ । ଆସୋସିଏସନ ଅଫ୍‌ ଆଲଟିର ପଞ୍ଜୀକରଣ ନ ହେଲେ ଗ୍ରାହକଙ୍କୁ ଘର ଦେବା  ପ୍ରକ୍ରିୟାରେ ରୋକ ଲାଗିବ । 

ଏହି ପରିପ୍ରେକ୍ଷୀରେ ରେରା କର୍ମୀ ବିମଳେନ୍ଦୁ  ପ୍ରଧାନ କହିଛନ୍ତି, ନୂଆ ନିୟମ ଶୀଘ୍ର କାର୍ଯ୍ୟକାରୀ  ହେଲେ ପଞ୍ଜୀକରଣ ଆରମ୍ଭ ହୋଇଯିବ । ଆଗକୁ  ଆବଶ୍ୟକୀୟ ଦସ୍ତାବିଜ ଦେବା ବାଧ୍ୟତାମୂଳକ  ରହିବ । ଏହି ନିୟମ ଦ୍ୱାରା କ୍ରେତା ସହ ଶିଳ୍ପ  ମଧ୍ୟ ଲାଭବାନ ହେବ । ରିୟଲ ଇଷ୍ଟେଟ କମ୍ପାନି  କ୍ୟାପଡିଲର ସହପ୍ରତିଷ୍ଠାତା ତଥା ସିଇଓ ଶକ୍ତି  ମିଶ୍ର କହିଛନ୍ତି, ନୂଆ ନିୟମର କାର୍ଯ୍ୟକାରିତାକୁ  ଅପେକ୍ଷା । ଏହା ଆସିଲେ ଘର ପୋଜେସନ  ପାଇବା ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏହା  ରିୟଲ ଇଷ୍ଟେଟ କ୍ଷେତ୍ରର ଅଭିବୃଦ୍ଧିରେ ସହାୟକ  ହେବ ବୋଲି ଆଶାବାଦୀ । କ୍ରେଡାଇ ଓଡ଼ିଶା  ଫାଉଣ୍ଡେସନର ସାଧାରଣ ସମ୍ପାଦକ ଇଞ୍ଜିନିୟର  ଉମେଶ ପଟ୍ଟନାୟକ କହିଛନ୍ତି, ନୂଆ ନିୟମ  ଶୀଘ୍ର କାର୍ଯ୍ୟକାରୀ ହେବା ଆବଶ୍ୟକ । ଏ ନେଇ  ନିୟାମକ କର୍ତ୍ତୃପକ୍ଷ ନିଯୁକ୍ତି ସହ ମଡେଲ ସେଲ  ଡିଡ୍‌ ଫର୍ମାଟ ଆଣିବା ମଧ୍ୟ ଜରୁରୀ ।

Copyright © 2022 - Summa Real Media Private Limited. All Rights Reserved.