ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରବି ପୂର୍ବରୁ ଦେଖାଦେଲାଣି ଅବ୍ୟବସ୍ଥା, ପଶ୍ଚିମ ଓଡ଼ିଶାରେ ବ୍ୟାପିଗଲାଣି ନକଲି ବିହନ

ବରଗଡ଼,୧୩/୧୧ :ଚଳିତବର୍ଷର ଖରିଫ ଚାଷ ଉତ୍ପାଦନ ବିକ୍ରି ଆରମ୍ଭ ସୁଦ୍ଧା ହୋଇନଥିଲେ ମଧ୍ୟ ଆଗାମୀ ରବିଚାଷ ପାଇଁ ପଶ୍ଚିମ ଓଡ଼ିଶାର ଚାଷୀ ମହଲରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ତେବେ ରବିଚାଷ ଆରମ୍ଭ ହେବା ପୂର୍ବରୁ ଜିଲ୍ଲାର କୋଣ ଅନୁକୋଣରେ ଖେଳିଯାଇଥିବା ନିମ୍ନମାନର  ଓ ନକଲି ବିହନର ଉପସ୍ଥିତି ଅଭିଯୋଗ ପ୍ରଶାସନ  ଓ କୃଷିବିଭାଗ ପାଇଁ ଆହ୍ୱାନ ପାଲଟିଯାଇଛି । ଆଉ  କିଛିଦିନ ପରେ ବରଗଡ଼ ଜିଲ୍ଲାରେ ରବିଚାଷ ପାଇଁ  ଧାନ ବୁଣାବୁଣି ଆରମ୍ଭ ହେବାକୁ ଯାଉଥିବା ବେଳେ ନିମ୍ନମାନର ଓ ନକଲି ବିହନ ମାଡ଼ିଗଲାଣି । ଗାଁ ଗାଁରେ  ନକଲି ବିହନ ମହଜୁଦ ହୋଇସାରିଥିଲେ ମଧ୍ୟ କୃଷି  ବିଭାଗର ନୀରବତା ଚାଷ ଓ ଚାଷୀ ଅବ୍ୟବସ୍ଥା ପ୍ରତି  ଅଙ୍ଗୁଳି ନିର୍ଦ୍ଦଶେ କଲାଣି । ବରଗଡ଼ ବଜାରରେ ବ୍ରିଡ଼ର,  ଫାଉଣ୍ଡେସନ-୧, ଫାଉଣ୍ଡେସନ-୨, ସାର୍ଟିଫାଏଡ଼-୧,  ସାର୍ଟିଫାଏଡ଼-୨ ଓ ଟ୍ରୁଥଫୁଲ ଲେବେଲ(ଟିଏଲ)  ଆଦି ବିଭିନ୍ନ କିସମର ବିହନ ଦେଖିବାକୁ ମିଳେ  ା ବ୍ରିଡ଼ର ବିହନ କୃଷି ବିଶ୍ୱବିଦ୍ୟାଳୟ ଓ ରିସର୍ଚ୍ଚ  ସେଣ୍ଟରରୁ ଉତ୍ପାଦିତ ହେଉଥିବା ବେଳେ ଫାଉଣ୍ଡେସନ  ଓ ସାର୍ଟିଫାଏଡ଼ ବିହନ କୃଷି ପ୍ରଦର୍ଶନ  କ୍ଷେତ୍ରରୁ ଆସିଥାଏ । 

ସେହିଭଳି  ଟିଏଲ କିସମର ବିହନ ଜଣେ  ଚାଷୀ ଆଉଜଣେ ଚାଷୀଙ୍କୁ  ବିଶ୍ୱାସରେ ଦେଉଥିବା  ବିହନକୁ ବୁଝା ପଡ଼ୁଥିବା ବେଳେ ତହିଁରେ ଅଙ୍କୁରଣର କୌଣସି  ହିସାବ ନଥାଏ । ତେବେ  ବିହନ କ୍ଷେତ୍ରରେ ଚାଷୀଙ୍କ  ସଠିକ ଜ୍ଞାନର ଅଭାବକୁ ବିଭାଗୀୟ  ପରାମର୍ଶର ଅଭାବ ଯୋଗୁଁ କୃଷି କ୍ଷେତ୍ରରେ  କାର୍ଯ୍ୟକରୁଥିବା ବିହନ କମ୍ପାନିମାନେ ପାଖାପାଖି ୯୯  ଭାଗ କେବଳ ଟିଏଲ ବିହନର ବ୍ୟବସାୟ କରୁଥିବାରୁ ସଫଳତା ଓ ବିଫଳତା କ୍ଷେତ୍ରରେ କେହି ଦାୟୀଦାର  ରହୁନାହାନ୍ତି । ଏପଟେ ପରୀକ୍ଷାମୂଳକ ଭାବେ ଉତ୍ପାଦିତ  ବିହନଗୁଡ଼ିକ ପରିତ୍ୟକ୍ତ ହୋଇଯାଇଥିବା ବେଳେ  ପଶ୍ଚିମ ଓଡ଼ିଶାରେ ଛତୁ ଫୁଟିଲା ଭଳି ଖୋଲି ଚାଲିଥିବା  ଆନ୍ଧ୍ର, ମହାରାଷ୍ଟ୍ର ରାଜ୍ୟର ବିହନ କମ୍ପାନୀମାନେ ମନମାନୀ କରୁଛନ୍ତି । 

କେତେକ କମ୍ପାନି ସଂସ୍ଥାର ପ୍ୟାକେଟରେ ସାଧାରଣ  ଧାନ ଭର୍ତ୍ତି କରି କମ୍ପାନି ନାମରେ  ବିକ୍ରି କରି ମୋଟା ମୁନାଫା  ଅର୍ଜନ କରୁଥିବା ବେଳେ ଅସାଧୁ ବ୍ୟବସାୟୀଙ୍କ  ସମ୍ପୃକ୍ତ ଚାଷର ବିନାଶ  କରୁଛି ବୋଲି ସଚେତନ  ଚାଷୀମାନେ ଅଭିଯୋଗ  କରିଛନ୍ତି । ବିହନ ଉତ୍ପାଦକ  କୋଉ ଜିଲ୍ଲାରେ ବିହନ ବିକ୍ରୀ  କରିବେ ଏବଂ କୋଉ କିସମର ବିକ୍ରି  କରିବେ, ସେହି ଆଧାରରେ ସମ୍ପୃକ୍ତ ରାଜ୍ୟ  ସରକାରଙ୍କଠାରୁ ଅନୁମତି ନେବାର ବ୍ୟବସ୍ଥା  ରହିଥିବା ବେଳେ ରାଜ୍ୟ ପାଇଁ ରାଜ୍ୟ ସରକାର  ଏବଂ ଜିଲ୍ଲା ପାଇଁ ଜିଲ୍ଲା କୃଷି ଅଧିକାରୀ ଅନୁମତି  ଦିଅନ୍ତି । ତେବେ ହାତଗଣତି ୨/୩ଟି ସଂସ୍ଥା ଛାଡ଼ି  ବାକି ମାଳମାଳ କମ୍ପାନି ଏହାକୁ ବେଖାତିର କରି  ବରଗଡ଼ ଓ ସମ୍ବଲପୁର ଭଳି କୃଷିପ୍ରଧାନ ଅଂଚଳରେ  ଛାଇ ଯାଇଥିବାରୁ ବିହନର ମାନ୍ୟତା ପ୍ରଶ୍ନବାଚୀ  ଭିତରକୁ ଟାଣି ହୋଇଯାଇଛି । ଉଦାହରଣ ଭାବେ  ଛତିଶଗଡ଼ରେ ଥିବା ବିହନ କମ୍ପାନୀ ଏବଂ ତାଙ୍କର  କାର୍ଯ୍ୟଧାରାକୁ ନିଆଯାଇପାରେ । 

ବରଗଡ଼ ଓ  ସମ୍ବଲପୁର ଜିଲ୍ଲାର କେତେକ ଅସାଧୁ ବ୍ୟବସାୟୀ  କୃଷି ବିଭାଗକୁ ହାତରେ ରଖି ଡ଼ିଲରମାନଙ୍କୁ ଅଧିକ  କମିଶନ ଦେଇ ବିହନ ବିକ୍ରି କରୁଥିବାର ଅଭିଯୋଗ  ହେଉଥିଲେ ମଧ୍ୟ ତଦାରଖ କରିବାକୁ କେହିନାହାନ୍ତି ।  ପୁଣି କେତେକ ବ୍ୟବସାୟୀ ବହୁ ନାମକରା କମ୍ପାନିର ନକଲି ପ୍ୟାକେଟ ଛପାଇ ବିହନ ବିକ୍ରୀ କରୁଥିଲେ ବି  ନଜର କରିବାକୁ କେହି ନଥିବାରୁ ଚାଷୀ ମହଲରେ  ଅସନ୍ତୋଷ ଜମାଟ ବାନ୍ଧିବାରେ ଲାଗିଛି । ବରଗଡ଼  ସମ୍ବଲପୁର ଓ କଳାହାଣ୍ଡିରେ ଆନ୍ଧ୍ର ବିହନର ଚାହିଦା  ରହିଥିବାରୁ କେତେକ ବ୍ୟବସାୟୀ ଏହାର ଫାୟଦା  ନେଉଛନ୍ତି । ତେବେ ଏନେଇ ବରଗଡ଼ ଜିଲ୍ଲା ମୂଖ୍ୟ  କୃଷି ଅଧିକାରୀ ଅମୀୟ ସାହୁଙ୍କୁ ପଚାରିବା ପରେ  ସରକାରୀ ବର୍ତ୍ତମାନ ପେକ୍ସ ଓ ସ୍ୱୀକୃତ ଡ଼ିଲରମାନଙ୍କ  ଜରିଆରେ ବିହନ କରାଯାଉଥିବା ବେଳେ ପଂଜୀକୃତ  ଘରୋଇ ଡ଼ିଲରମାନଙ୍କ ତଥ୍ୟକୁ ଅନଲାଇନ  ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯାଇଛି । ଏବଂ  ଅସାଧୁ ବ୍ୟବସୀମାନଙ୍କ ଉପରେ ଲଗାମ କଷିବା  ପାଇଁ ଏନଫୋର୍ସମେଂଟ ଟିମ ଗଠନ କରାଯାଇ ସବୁ ଅଂଚଳରେ ତୀକ୍ଷ୍‌ମ ନଜର ରଖାଯାଇଛି ବୋଲି ଶ୍ରୀ  ସାହୁ ସ୍ପଷ୍ଟ କରିଥିଲେ । 

ତେବେ ବରଗଡ଼ ସମେତ  ପଶ୍ଚିମ ଓଡ଼ିଶାରୁ ନକଲି ବିହନକୁ ପୂରାପୁରି  ଭାବେ ବାଦ ଦେବା ପାଇଁ ସୁଚିନ୍ତିତ ଯୋଜନା  ଗ୍ରହଣ କରାଯାଉ, କାରଖାନାକୁ ବିଶେଷଜ୍ଞ ପଠାଇ  ଭିତ୍ତିଭୂମି ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଅଛିକି ନାତିଁ  ଯାଂଚ କରାଯାଉ, କମ ରୋଗପୋକ ଲାଗୁଥିବା ଏବଂ  ଅଧିକ ଅମଳକ୍ଷମ ବିହନକୁ ଚୟନ କରାଯାଇ ଚାଷୀଙ୍କୁ  ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉ । କେଉ  ବିହନ ରାଜ୍ୟ ତଥା ଜିଲ୍ଲାରେ ପଂଜୀକୃତ ହୋଇଛି,  ତାର ଗୁଣବତ୍ତା କଣ ଆଦି ବିଷୟରେ ଚାଷୀଙ୍କୁ ଅବଗତ  କରାଯାଇ ଚାଷର ଧାରା ବିଷୟରେ ତାଲିମ ପ୍ରଦାନ କରି  ଚାଷବାସ କ୍ଷେତ୍ରରେ ଚାଷୀ ନିରାପତ୍ତାକୁ ଅଗ୍ରାଧିକାର  ଦିଆଯାଉ ବୋଲି ଚାଷୀ ସଙ୍ଗଠନ ଓ ସଚେତନବର୍ଗଙ୍କ  ଦାବୀ ରାଜ୍ୟ କୃଷି ବିଭାଗ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲା  କୃଷି ଅଧିକାରୀମାନଙ୍କ ପାଇଁ ଆହ୍ୱାନ ପାଲଟିଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.