ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ

ବେଙ୍ଗାଲୁରୁ,୦୩/୧୧: ରବିବାର ଘରୋଇ ଭାରତ ଓ  ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟି-ଟ୍ୱେଣ୍ଟି  ଖେଳାଯିବ । ଭାରତ ଇତି ମଧ୍ୟରେ ୩-୧ରେ ସିରିଜ କବ୍‌ଜା କରିସାରିଛି । ତଥାପି ଅନ୍ତିମ ମ୍ୟାଚ୍‌କୁ ଜିତି ଦଳ ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମନୋବଳ ଦୃଢ କରିବାକୁ ପ୍ରୟାସ କରିବ । ୧୦ତାରିଖରୁ ଦକ୍ଷିଣ ଆଫ୍ରିକାରେ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବ । ଅଷ୍ଟ୍ରେଲିଆ ମଧ୍ୟ ସମ୍ମାନ ବଞ୍ଚାଇ ସ୍ୱଦେଶ ଫେରିବାକୁ ଯୋଜନା କରୁଛି । ଫଳରେ ରବିବାର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ  ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।  

ପ୍ରଥମ ୩ଟି ମ୍ୟାଚ୍‌ରୁ ଭାରତ ୨ଟି ଜିତିଥିଲେ ହେଁ  ବୋଲିଂ ବିଭାଗର ପ୍ରଦର୍ଶନକୁ ନେଇ ଚିନ୍ତାରେ ରହିଥିଲା । ପ୍ରତି ମ୍ୟାଚ୍‌ରେ ପେସ୍‌ ବାହିନୀ ବ୍ୟୟବହୁଳ ସାବ୍ୟସ୍ତ  ହେଉଥିଲେ। ମାତ୍ର ରାଏପୁରରେ ଅନୁଷ୍ଠିତ ଚତୁର୍ଥ  ମ୍ୟାଚ୍‌ରେ ଭାରତ ବୋଲିଂ ଦୁର୍ବଳତାକୁ ସୁଧାରିଥିବା ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସବୁ ଛୋଟ ମୋଟ ତ୍ରୁଟିକୁ ସୁଧାରିବା ଜରୁରି । ତେଣୁ ରବିବାର ଭାରତୀୟ ଦଳ ସବୁ ବିଭାଗରେ ଶ୍ରେଷ୍ଠ  ପ୍ରଦର୍ଶନ ପାଇଁ ଅଣ୍ଟା ଭିଡ଼ିଛି ।  

ଚତୁର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବହୁ ଯୁବ ଖେଳାଳିଙ୍କୁ  ସୁଯୋଗ ଦେଇଥିଲା । କିଛି ଖେଳାଳି ବେଶ୍‌ ଦକ୍ଷ  ଥିବା ପ୍ରମାଣ କରିଥିଲେ । ବେନ ମାକଡର୍ମଟ୍‌, କ୍ରିସ  ଗ୍ରୀନ, ବେନ ଡାର୍ସିୟସ ପ୍ରମୁଖ କ୍ରିକେଟ୍‌ ସମୀକ୍ଷକଙ୍କୁ  ପ୍ରଭାବିତ କରିଥିଲେ । ରବିବାର ଘରୋଇ ଦଳକୁ କଡ଼ା ଟକ୍କର ଦେବାକୁ ଯୁବ ଅଷ୍ଟ୍ରେଲିଆ ଖେଳାଳିମାନେ  ପ୍ରୟାସ କରିବେ ।  

ରବିବାର ଯଶସ୍ୱୀ ଜୈସ୍ୱାଲଙ୍କ ଉପରେ  ନଜର ରହିବ । ସେ ପ୍ରତି ମ୍ୟାଚ୍‌ରେ ବିସ୍ପୋରକ  ବ୍ୟାଟିଂ କରୁଛନ୍ତି । ମାତ୍ର ବଡ଼ ଇନିଂସ ଖେଳିବାରେ  ବିଫଳ ହୋଇଛନ୍ତି । ୪ଟି ମ୍ୟାଚ୍‌ରେ ସେ ୧୧୭  ରନ୍‌ ସଂଗ୍ରହ କରିଛନ୍ତି । ମାତ୍ର ତାଙ୍କ ଷ୍ଟ୍ରାଇକ  ରେଟ୍‌ ୧୭୪.୬୨ ରହିଛି । ରବିବାର ତାଙ୍କ  ବ୍ୟାଟ୍‌ରୁ ଆଉ ଏକ ଧୂଆଁଧାର ଇନିଂସ ଦେଖିବାକୁ  ଦର୍ଶକ ଅପେକ୍ଷା କରିଛନ୍ତି । ଭାରତ ସିରିଜ ଜିତି  ସାରିଥିବାରୁ ରବିବାର ବଳକା ଖେଳାଳିମାନଙ୍କୁ  ସୁଯୋଗ ମିଳିପାରେ । ଅକ୍ଷର ପଟେଲଙ୍କ ସ୍ଥାନରେ  ୱାସିଂଟନ ସୁନ୍ଦରଙ୍କୁ ଖେଳିବାକୁ ସୁଯୋଗ ମିଳିବ ।  

ରିଙ୍କୁ ସିଂହ ଟି-ଟ୍ୱେଣ୍ଟି ଫର୍ମାଟ୍‌ର ସ୍ଥାୟୀ ସଦସ୍ୟ  ହୋଇଯାଇଛନ୍ତି । ଡେଥ୍‌ ଓଭର ଗୁଡ଼ିକରେ ତାଙ୍କ  ବିସ୍ଫୋରକ ବ୍ୟାଟିଂ ଭାରତ ପାଇଁ ବେଶ୍‌ ସହାୟକ  ହୋଇଛି । ସେ ଡେଥ୍‌ ଓଭର ଗୁଡ଼ିକରେ ୨୪୫ ଷ୍ଟ୍ରାଇକ  ରେଟ୍‌ରେ ରନ ସଂଗ୍ରହ କରିଛନ୍ତି ।  ଭାରତୀୟ ଦଳକୁ ରବିବାର ଜାସନ  ବେହରନଡର୍ଫଙ୍କ ପ୍ରତି ସତର୍କ ରହିବାକୁ ହେବ । ସେ  ପ୍ରତି ମ୍ୟାଚ୍‌ରେ ଶୃଙ୍ଖଳିତ ବୋଲିଂ ଜାରି ରଖିଛନ୍ତି ।  ୪ଟି ମ୍ୟାଚ୍‌ରେ ତାଙ୍କ ଇକୋନୋମି ୫.୭୫ ରହିଛି ।  

ଚିନ୍ନାସ୍ୱାମୀରେ ରନ୍‌ ପର୍ବ: ଚିନ୍ନାସ୍ୱାମୀ  ଷ୍ଟାଡିୟମ୍‌ର ପିଚ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍‌ ଫିଲ୍ଡ୍‌ରେ ରନ ବର୍ଷା ହେବ । ଫଳରେ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ  ପ୍ରକାର ନିଶ୍ଚିତ । ଦ୍ୱିତୀୟ ଭାଗରେ କାକର ପ୍ରଭାବ  ପକାଇବ । ଓଦା ବଲ୍‌ରେ ବ୍ୟାଟିଂ ସହଜ ହୋଇଯିବ ।

ସମ୍ଭାବ୍ୟ ଦଳ

ଭାରତ: ଯଶସ୍ୱୀ ଜୈସ୍ୱାଲ୍‌, ଋତୁରାଜ ଗାଏକୱାଡ୍‌,  ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ),  ତିଳକ ବର୍ମା,ରିଙ୍କୁ ସିଂହ, ଅକ୍ଷର ପଟେଲ/ୱାସିଂଟନ  ସୁନ୍ଦର, ରବି ବିଷ୍ଣୋଇ, ଦୀପକ ଚହର, ପ୍ରସିଦ୍ଧ  କ୍ରିଷ୍ଣା, ମୁକେଶ କୁମାର । 

ଅଷ୍ଟ୍ରେଲିଆ: ଜୋସ ଫିଲିପ, ଟ୍ରେଭିସ୍‌ ହେଡ୍‌,  ବେନ ମାକଡର୍ମଟ୍‌, ଆରନ ହାର୍ଡି, ଟିମ ଡେଭିଡ୍‌,  ମାଥ୍ୟୁ ସର୍ଟ, ମାଥ୍ୟୁ ୱେଡ୍‌(ଅଧିନାୟକ), ବେନ  ଡାର୍ସିୟସ, କ୍ରିସ ଗ୍ରୀନ, ଜାସନ ବେହରନଡର୍ଫ,  ତନବୀର ସାଙ୍ଘା/ନାଥାନ ଏଲିସ/କେନ ରିଚାର୍ଡସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.