ନୂଆଦିଲ୍ଲୀ,୦୫/୦୨: ଆନ୍ଦୋଳନ ସମୟରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ହିଂସାକାରୀଙ୍କ ପାଇଁ ଲ କମିଶନ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ସେମାନେ ନଷ୍ଟ କରୁଥିବା ସମ୍ପତ୍ତି ବାବଦ କ୍ଷତିଭରଣା ନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ଜାମିନ ନ ମିଳିବା ସର୍ତ୍ତ ରଖିବାକୁ ଲ କମିଶନ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ଅବସରପ୍ରାପ୍ତ ବିଚାରପତି ଋତୁରାଜ ଅୱସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ୨୨ ତମ ଲ କମିଶନ ଗତ ଶୁକ୍ରବାର ତାଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି । ତେବେ ରିପୋର୍ଟରେ କ’ଣ ସବୁ ପ୍ରାବଧାନ ରଖାଯାଇଛି ତାହା ଆଜି ସାମ୍ନାକୁ ଆସିଛି । ସେଥିରେ କମିଶନ କହିଛନ୍ତି କି ରାସ୍ତାରୋକ ଓ ଆନ୍ଦୋଳନ ବେଳେ ଅନେକ ସମୟରେ ହିଂସାକାଣ୍ଡ ଘଟୁଛି । ଏଥିରେ ବିପୁଳ ପରିମାଣର ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହେଉଛି । ଯେଉଁମାନେ ଏସବୁ ସମ୍ପତ୍ତି ନଷ୍ଟ କରୁଛନ୍ତି ସେମାନଙ୍କ ଠାରୁ ଉକ୍ତ ସମ୍ପତ୍ତିର ବଜାର ମୂଲ୍ୟହିସାବରେ ଜରିମାନା ଆଦାୟ କରାଯାଉ । ଜରିମାନା ଦେବା ପରେ ସେମାନଙ୍କୁ ଜାମିନ ପ୍ରଦାନ କରାଯିବା ଭଳି ସର୍ତ୍ତ ମଧ୍ୟ ରଖାଯାଉ । ଯଦି ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ ଆକଳନ କରିବା ସମ୍ଭବ ନୁହେଁ, ତେବେ ସେହି ନିଷ୍ପତ୍ତି କୋର୍ଟଙ୍କ ଉପରେ ଛାଡି ଦିଆଯିବା ଆବଶ୍ୟକ । କୋର୍ଟ ଯେଉଁ ପରିମାଣ ଅର୍ଥ ଧାର୍ଯ୍ୟ କରିବେ ତାକୁ ହିଂସାକାରୀ ଦେବାକୁ ବାଧ୍ୟ । କେବଳ ଏତିକି ନୁହେଁ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ହେଲେ ସରକାରଙ୍କୁ ପୃଥକ ଭାବେ ଆଇନ ଆଣିବା ଆବଶ୍ୟକ ।
କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି କି କେରଳରେ ସରକାରୀ ସମ୍ପତ୍ତି ନଷ୍ଟକୁ ରୋକିବା ଓ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ଏକ ପୃଥକ ଆଇନ ଅଣାଯାଇଛି । କେନ୍ଦ୍ର ସରକାର ଚାହିଁଲେ ଏଭଳି ଆଇନ ଆଣିପାରିବେ । ଭାରତୀୟ ନାଗରିକ ସଂହିତାରେ ପରିବର୍ତ୍ତନ କରି ଏଭଳି ପ୍ରାବଧାନ ମଧ୍ୟ ଯୋଡିପାରିବେ । ଲ କମିଶନ ତାଙ୍କର ୨୮୪ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ସରକାରୀ ସମ୍ପତ୍ତିକୁ ନଷ୍ଟ ହେବାରୁ ରକ୍ଷା କରିବାର ଏକମାତ୍ର ବାଟ ହେଉଛି ତାକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ ଜରିମାନା ଲାଗୁ କରିବା । କମିଶନ ତାଙ୍କ ରିପୋର୍ଟରେ ଏଭଳି କିଛି ହିଂସାକାଣ୍ଡ କଥା ଉଲ୍ଲେଖ କରିଛନ୍ତି ଯେଉଁଥିରେ ବ୍ୟପକ ମାତ୍ରାରେ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଛି । ଏସବୁ ମଧ୍ୟରେ ରହିଛି ୨୦୧୩ ମୁଜାଫରନଗର ହିଂସା, ୨୦୧୫ ଜାଟ୍ ଆନ୍ଦୋଳନ, ୨୦୧୬ ପଟିଦାର ସଂରକ୍ଷଣ ଆନ୍ଦୋଳନ, ୨୦୧୮ ଭୀମା-କୋରେଗାଓଁ ହିଂସା, ୨୦୧୯ ସିଏଏ ବିରୋଧୀ ହିଂସା, ୨୦୨୦ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ, ୨୦୨୨ ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ଘଟିଥିବା ହିଂସା ଓ ୨୦୨୩ରେ ମଣିପୁରରେ ଚାଲିଥିବା ଜାତିଗତ ହିଂସା ।
ସେହିଭଳି କମିଶନ ତାଙ୍କର ୨୮୫ତମ ରିପୋର୍ଟରେ ଆପରାଧିକ ମାନହାନୀର ଅପରାଧକୁ ବଜାୟ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । କହିଛନ୍ତି ଦୁର୍ଭାଗ୍ୟପୂର୍ଣ୍ଣ ମିଥ୍ୟା ବୟାନ ଓ ଖୋଲାଖୋଲି ଭାବେ ଦିଆଯାଉଥିବା ବିବୃତ୍ତି ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି । ଏଭଳି କରାଯିବା ଫଳରେ କୌଣସି ବ୍ୟକ୍ତିଙ୍କ ଛବି ବା ଭାବମୂର୍ତ୍ତି ଖରାପ ହେବ ନାହିଁ । ପ୍ରକୃତରେ ୨୦୧୭ରେ ଏହି ମାମଲା କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଲ କମିଶନଙ୍କ ନିକଟକୁ ପଠାଇଥିଲା । ପଚାରିଥିଲେ କି ମାନହାନୀକୁ ଅପରାଧ ଆଇନରେ ରଖାଯିବା ଉଚିତ କି ନୁହେଁ । କମିଶନ ଏ କ୍ଷେତ୍ରରେ ସୁବ୍ରମଣ୍ୟମ ସ୍ୱାମୀ ଓ ଭାରତ ସଂଘ ମାମଲାରେ ୨୦୧୬ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଭରସା କରିଛନ୍ତି । ଯେଉଁଥିରେ ସୁପ୍ରିମକୋର୍ଟ ଆପରାଧିକ ମାନହାନୀ ମାମଲାରେ ଅପରାଧର ବୈଧତାକୁ ବଜାୟ ରଖିଥିଲେ । ଲ କମିଶନ କହିଛନ୍ତି ସମ୍ବିଧାନ ସମସ୍ତଙ୍କୁ ବାକ୍ ସ୍ୱାଧୀନତା ଅଧିକାର ଦେଇଛି । ଏଥିସହ ଧାରା ୨୧ ଅନୁସାରେ ଲୋକଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ମଧ୍ୟ ମିଳିଛି । ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ଲାଗି ଏଭଳି ବ୍ୟବସ୍ଥା ଅଣାଯାଇଛି । ଲୋକଙ୍କ ମର୍ଯ୍ୟାଦା ଓ ପ୍ରତିଷ୍ଠାକୁ ସୁରକ୍ଷିତ ରଖିବା ଲାଗି ମାନହାନୀକୁ ଅପରାଧ ଶ୍ରେଣୀରେ ରଖାଯିବା ଆବଶ୍ୟକ । ଯଦ୍ଦ୍ୱାରା କେହି ଯେଭଳି କୌଣସି ବ୍ୟକ୍ତି ବା ସଂସ୍ଥାର ପ୍ରତିଷ୍ଠାକୁ କ୍ଷୁଣ୍ଣ କରିପାରିବେ ନାହିଁ ।