ଡେରାଡୁନ୍: ବହୁ ବାଦ ବିବାଦ ମଧ୍ୟରେ ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହୋଇଛି ଏକକ ନାଗରିକ ସଂହିତା (ୟୁସିସି) । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନେତୃତ୍ବାଧୀନ ସରକାରଙ୍କ ଦ୍ବାରା ଆଗତ ହୋଇଥିବା ୟୁସିସି ବିଲ୍ ଗୃହରେ ପାରିତ ହୋଇଛି । ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ୍ ପାସ ହୋଇଯିବା ପରେ ଏକକ ନାଗରିକ ସିଂହିତା ଲାଗୁ କରିବା ମାମଲାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ।
ବିଜେପିର ସମସ୍ତ ବିଧାୟକଙ୍କ ଧ୍ବନୀ ମତରେ ୟୁସିସି ବିଧେୟକ ପାରିତ ହୋଇଛି । ୮୦ ପ୍ରତିଶତ ସହମତି ସହ ଏହି ପ୍ରସ୍ତାବ ସ୍ବୀକୃତ ହୋଇଛି । ଏହା ପରେ ସବୁ ସଦସ୍ୟ ଗୃହରେ ଜୟ ଶ୍ରୀ ରାମଙ୍କ ଜୟକାର କରିଛନ୍ତି । ଗୃହରେ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ‘ଆମେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷି ହୋଇଥିବା ବେଳେ ରାଜ୍ୟର ପ୍ରତିଟି ନାଗରିକଙ୍କ ଲାଗି ଗର୍ବ ଅନୁଭବ କରୁଛୁ ।’ ସାମ୍ବାଦିକ ସମ୍ମିଳନୀରେ ସିଏମ ଧାମି କହିଛନ୍ତି, ୧୨ ଫେବୃଆରୀ ୨୦୨୨ ନେଇଥିବା ସଂକଳ୍ପ ଆଜି ପୂର୍ଣ୍ଣ ହୋଇଛି । ଏହି ବିଧେୟକ ସମଗ୍ର ଦେଶରେ ଦାବି ହେଉଥିଲା, ଯାହାକୁ ଆଜି ଦେବଭୂମିରେ ପାରିତ କରାଯାଇଛି । ଲୋକ ବିଭିନ୍ନ କଥା କହୁଥିଲେ । ହେଲେ ଆଜି ଗୃହରେ ସ୍ପଷ୍ଟ ହୋଇଗଲା ଯେ, ଏହି ଆଇନ କାହାର ବିରୋଧୀ ନୁହେଁ ବୋଲି ପୁଷ୍କର ସିଂହ ଧାମି କହିଛନ୍ତି ।
ୟୁସିସି ନିୟମରେ ପରିଣତ ହୋଇଯିବା ପରେ ରାଜ୍ୟରେ ଏକାଧିକ ବିବାହ ଉପରେ ରୋକ ଲାଗିବ । ଏହି ଆଇନ ଅନୁଯାୟୀ, କୌଣସି ସ୍ବାମୀ କିମ୍ବା ସ୍ତ୍ରୀଙ୍କ ଜୀବିତ ଥିବା ଅବସ୍ଥାରେ କୌଣସି ନାଗରିକ ଦ୍ବିତୀୟ ବିବାହ କରିପାରିବେ ନାହିଁ । ସେହିଭଳି ଲିଭ୍ ଇନରେ ରହୁଥିବା ମହିଳାଙ୍କୁ ତାଙ୍କ ପରୁଷ ବନ୍ଧୁ ପରିତ୍ୟାଗ କଲେ ପୀଡ଼ିତା ଏନେଇ ପୁରୁଷ ବନ୍ଧୁଙ୍କ ପାଖରୁ ଭରଣ ପୋଷଣ ଲାଗି ଅର୍ଥ ଦାବି କରିପାରିବେ । ଏହା ବ୍ୟତୀତ ୟୁସିସି ଆଇନ ଅନୁସାରେ, ହଲାଲା ଏବଂ ଇଦତ ଉପରେ ରୋକ ଲାଗିବ ।