ଭୁବନେଶ୍ୱର, ୮/୧୧ : ଦକ୍ଷିଣ ଉପକୂଳରେ ଗୁରୁବାରରୁ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି। ପ୍ରଭାବରେ ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବଢ଼ିବ । ଏପରି ଆକାଳନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।
ତାଙ୍କ ଆକଳନ ଅନୁସାରେ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବୁଧବାର ରାତିରୁ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ କମିବ । ୧୦ ତାରିଖରୁ ତାପମାତ୍ରା ବଢ଼ିବ । ଏହା ସହ ୧୪ରୁ ୧୬ ମଧ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ । ଏହି ସମୟରେ ତାପମାତ୍ରା ସର୍ବାଧିକ ୩ ଡିଗ୍ରୀ ଏବଂ ସର୍ବନିମ୍ନ ୧.୫ ଡିଗ୍ରୀ କମିବ । ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଗୁରୁବାର (୯ ତାରିଖ) ରାତିରୁ ସର୍ବନିମ୍ନ ତାପମାତ୍ରା ଆସ୍ତେ ଆସ୍ତେ ବଢ଼ିବ । ଏହା ୧୧ ତାରିଖ ସୁଦ୍ଧା ୨.୫ ଡିଗ୍ରୀରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ୧୫ ତାରିଖରୁ ତାପମାତ୍ରା ସିଧା ୪ ଡିଗ୍ରୀ କମିବ । ତେଣୁ ଏହି ସମୟରେ ଶୀତ ବଢ଼ିବ ।
ସେହିପରି ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଶୀତ ଲୁଚକାଳି ଖେଳିବ । ପ୍ରଫେସର ପଶୁପାଳକ କୃଷିଭିତ୍ତିକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ନଦୀ ପଠାରେ ଆଳୁ ଲଗାଯାଇପାରିବ । ଏହା ସହ ମୁଗ, ବିରି, ଅଳସି, ବାଦାମ ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ସବୁ ସ୍ଥାନରେ ଗେଣ୍ଡୁଫୁଲ ସହିତ ପନିପରିବା ଲଗାଇବାକୁ ପାଗ ଅନୁକୂଳ ଥିବା ସେ କହିଛନ୍ତି ।