ମାଲକାନଗିରି/ମାଥିଲି, ୧୨/୯ : ମାଲକାନଗିରି ଜିଲ୍ଲାରେ ଦୀର୍ଘ ମାସ ତମାମ ବର୍ଷା ଲାଗି ରହିବା ଦ୍ୱାରା ଏବେ ମାଥିଲି ବ୍ଲକ ଆଞ୍ଚଳରେ ଝାଡା ବାନ୍ତି ବ୍ୟାପିଛି । ଗତ ଦୁଇ ଦିନ ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ସହ ଗୋଟିଏ ଗାଁରୁ ୧୦ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସ୍ଥ କୁଟୁନିପାଲି ପଞ୍ଚାୟତ ଅଟଳଗୁଡା ଗ୍ରାମର ସୁନାଦେଇ କଟିଆ ଓ କମଳା ନାୟକ ନାମକ ଦୁଇ ଜଣ ମହିଳା ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।
ସେମାନଙ୍କୁ ପରିବାର ଲୋକେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସୁନାଦେଇଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରି ଦିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଠିକ ସେହିପରି କମଳା ନାୟକଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଥିଲି ହସ୍ପିଟାଲରେ ମୃତ୍ୟୁ ଘଟିଛି । କର୍ତ୍ତନ ପାଲୀ ପଞ୍ଚାୟତ ବାରା ଗାଁରେ ଗତକାଲିଠାରୁ ଝାଡା ବାନ୍ତି ବ୍ୟାପି ୧୦ଜଣରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ମାଥିଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି ।
ଏ ସମ୍ପର୍କରେ ଖବରପାଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ଵର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ବରାଓ ଅଟଳଗୁଡା ଗ୍ରାମ ଗସ୍ତ କରି ସେଠାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିବା ସହ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଦୁଇ ମାସ ତଳେ ବାରା ଗ୍ରାମରେ ଝାଡା ବାନ୍ତି ବ୍ୟାପି ଜଣେ ବ୍ୟକ୍ତିର ମୃତ୍ୟୁ ହେବା ସହ ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିଲେ ।