ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ମୋଦିଙ୍କ ନୂଆ କ୍ୟାବିନେଟ, ସହଯୋଗୀଙ୍କୁ ମିଳିବ ୧୫ ମନ୍ତ୍ରୀ ପଦ

Published By : Prameya | June 8, 2024 11:14 AM

ନୂଆଦିଲ୍ଲୀ, ୦୮/୦୬ : ଆସନ୍ତା ରବିବାର ନରେନ୍ଦ୍ର ମୋଦି ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଗଠନ ହେବ । ତେବେ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି କି ଗୃହ, ଅର୍ଥ, ବିଦେଶ, ପ୍ରତିରକ୍ଷା ଭଳି ପ୍ରମୁଖ ମନ୍ତ୍ରଣାଳୟ ବିଜେପି ନିଜ ପାଖରେ ରଖିବ । ସେହିଭଳି ରେଳ, ଆଇନ, ସୂଚନା ପ୍ରଯୁକ୍ତି ଓ ଶିକ୍ଷା ଭଳି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ବିଜେପି ଛାଡିବାକୁ ଚାହୁଁନି । କାରଣ ମୋଦିଙ୍କ ତୃତୀୟ ପାଳିର ଏଜେଣ୍ଡାକୁ ଆଗକୁ ନେବାରେ ଏହି ବିଭାଗର ପ୍ରମୁଖ ଭୂମିକା ରହିବ । ବାଚସ୍ପତି ପଦ ମଧ୍ୟ ବିଜେପି ପାଖରେ ରଖିବାକୁ ନିଷ୍ପତ୍ତି ନେଇଛି । ଏନ୍‌ଡିଏର ସହଯୋଗୀ ଦଳମାନଙ୍କୁ ୧୫ଟି ମନ୍ତ୍ରୀ ପଦ ମିଳିବ । 

ଏଥର ବିଜେପି ପୂର୍ଣ୍ଣ ବହୁମତ ପାଇ ନଥିବାରୁ ଏନ୍‌ଡିଏର ସହଯୋଗୀ ଦଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ିଛି । ତେଣୁ ମୋଦି ସରକାରରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁ ଭଳି ସହଯୋଗୀ ଦଳର ପ୍ରମୁଖ ଭୂମିକା ରହିବ । ଟିଡିପି ୧୬ ଆସନ ପାଇଥିଲା ବେଳେ ଜେଡିୟୁ ୧୨ ଲୋକସଭା ଆସନରେ ବିଜୟୀ ହୋଇଛି । ତେଣୁ ଏହି ଦୁଇ ଦଳକୁ କ୍ୟାବିନେଟରେ କିଭଳି ଥଇଥାନ କରାଯିବ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି । ଟିଡିପି ଓ ଜେଡିୟୁ ୩-୪ଟି କ୍ୟାବିନେଟ ମନ୍ତ୍ରୀ ପଦ ଦାବି କରିଛନ୍ତି । ଏଥିସହ ସେମାନେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ଚାହୁଁଛନ୍ତି । କିନ୍ତୁ ବିଜେପି ସେମାନଙ୍କୁ ଗୋଟିଏ କ୍ୟାବିନେଟ ଓ ଦୁଇଟି ରାଷ୍ଟ୍ରମନ୍ତ୍ରୀ ପଦ ଦେବାକୁ ନିଷ୍ପତ୍ତି ନେଇଛି । 

ସେହିଭଳି ୭ ଆସନ ପାଇଥିବା ଏକନାଥ ସିନ୍ଦେଙ୍କ ଶିବସେନା ଓ ୫ ଆସନରେ ବିଜୟୀ ହୋଇଥିବା ଚିରାଗ ପାଶ୍ୱାନଙ୍କ ଏଲ୍‌ଜେପିକୁ ଗୋଟିଏ କ୍ୟାବିନେଟ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ଦେବାକୁ ବିଜେପି ଚାହୁଁଛି । ୨ଟି ଲେଖାଏ ଆସନ ପାଇଥିବା ଜେଡିଏସ୍‌, ଆରଏଲ୍‌ଡି ଓ ଜନସେନା ପାର୍ଟିକୁ ଗୋଟିଏ କ୍ୟାବିନେଟ ମନ୍ତ୍ରୀ ପଦ କିମ୍ବା ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ପାହ୍ୟା ମିଳିବ । ହାମ ଓ ଅପନା ଦଳ ଭାଗରେ ଗୋଟିଏ ଲେଖାଏ ରାଷ୍ଟ୍ରମନ୍ତ୍ରୀ ପଦ ପଡିବ । କେନ୍ଦ୍ର କ୍ୟାବିନେଟରେ ଟିଡିପି ୩ରୁ ୪ଟି ମନ୍ତ୍ରୀ ପଦ ଚାହୁଁଛି । ପୂର୍ବରୁ ଟିଡିପି ଏନ୍‌ଡିଏରେ ଥିବା ବେଳେ ଗୋଟିଏ କ୍ୟାବିନେଟ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଥିଲା । ସେହି ସମୟରେ ଟିଡିପିର ଆସନ ସଂଖ୍ୟା ମଧ୍ୟ ୧୬ ରହିଥିଲା । 

୨୦୧୮ରେ ଦଳ ଏନ୍‌ଡିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପୂର୍ବରୁ ଟିଡିପିକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (କ୍ୟାବିନେଟ) ଏବଂ ଆଇଟି (ରାଷ୍ଟ୍ରମନ୍ତ୍ରୀ) ମନ୍ତ୍ରଣାଳୟ ମିଳିଥିଲା । ବର୍ତ୍ତମାନ ଟିଡିପି ଅର୍ଥ ମନ୍ତ୍ରଣାଳୟ ଦାବି କରୁଛି । ନଚେତ ଏହି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦ ଚାହୁଁଛି । କାରଣ ଆନ୍ଧ୍ରର ବିକାଶ ଏଜେଣ୍ଡାକୁ ଆଗକୁ ନେବାରେ ଏହି ମନ୍ତ୍ରଣାଳୟର ପ୍ରମୁଖ ଭୂମିକା ରହିବ । ଏଥିସହ ଦଳ ମଧ୍ୟ ରେଳ ଓ କୃଷି ମନ୍ତ୍ରଣାଳୟ ଚାହୁଁଛି । କିନ୍ତୁ ସମାନ ମନ୍ତ୍ରଣାଳୟ ଅନ୍ୟ ସହଯୋଗୀ ଦଳମାନେ ଦାବି କରୁଛନ୍ତି । ସେହିଭଳି ଜେଡିୟୁ ୨୦୧୯ରେ ୧୬ ଆସନ ପାଇଥିଲା ବେଳେ ଗୋଟିଏ କ୍ୟାବିନେଟ ଓ ୨ଟି ରାଷ୍ଟ୍ରମନ୍ତ୍ରୀ ପଦ ଦାବି କରିଥିଲା । କିନ୍ତୁ ବିଜେପି ଦାବି ଗ୍ରହଣ ନ କରିବାରୁ ଦଳ ଅସନ୍ତୋଷ ପ୍ରକାଶ କରିଥିଲା । ଏଥର ଜେଡିୟୁ ୧୨ ଆସନ ପାଇଛି । କିନ୍ତୁ ଦଳର ପ୍ରଭାବ ବଢ଼ିଯାଇଛି । ତେଣୁ ଜେଡିୟୁ ରେଳ, କୃଷି, ଗ୍ରାମୀଣ ବିକାଶ ଭଳି ମନ୍ତ୍ରଣାଳୟ ଦାବି କରିଛି । ପୂର୍ବରୁ ଜେଡିୟୁ ମୁଖ୍ୟ ନୀତୀଶ କୁମାର ରେଳମନ୍ତ୍ରୀ ରହିଥିଲା ବେଳେ ତାଙ୍କ ଦଳର ଆରସିପି ସିଂହ ଇସ୍ପାତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । 

ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ରୂପରେଖ ଓ ସହଯୋଗୀ ଦଳମାନଙ୍କ ଦାବିକୁ ନେଇ ବିଚାର ବିମର୍ଶ ଜାରି ରହିଛି । ବିଜେପିର ବରିଷ୍ଠ ନେତା ଅମିତ ଶାହ, ରାଜନାଥ ସିଂହ ଓ ଦଳର ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ସନ୍ଧ୍ୟାରେ ସହଯୋଗୀ ଦଳମାନଙ୍କ ସହ ପୃଥକ ଆଲୋଚନା କରିଛନ୍ତି । ନଡ୍ଡାଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଏନ୍‌ସିପି ନେତା ଅଜିତ ପାୱାରଙ୍କ ସହ ଆଲୋଚନା ହୋଇଥିଲା ବେଳେ ଏହା ପରେ ଆରଏଲ୍‌ଡି ନେତା ଜୟନ୍ତ ଚୌଧୁରୀଙ୍କ ସହ କଥାବାର୍ତ୍ତା କରାଯାଇଛି । ସେହିଭଳି ଅନ୍ୟ ସହଯୋଗୀଙ୍କ ସହ ମଧ୍ୟ ପୃଥକ ଭାବେ ଆଲୋଚନା ହୋଇଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.