ଭୁବନେଶ୍ୱର: ନବେ ଦଶକର ମଝାମଝି ସମୟ, ଦିଲ୍ଲୀ ଓ ଆଗ୍ରା ଜାତୀୟ ରାଜପଥ ଧାରରେ ଆମ ବସ୍ଟି ଅଚଳ ହୋଇପଡ଼ିଲା ବେଶ୍ କିଛି ସମୟ ପାଇଁ । ସେତେବେଳକୁ ସେଠାରେ ଅନେକ ଖାଲି ଜାଗା, ହେଲେ ପାଖରେ କିଛି ଛୋଟମୋଟ ଦୋକାନ ବି ଥାଏ । ଏମିତି ବୁଲାବୁଲି କରୁ କରୁ ଗୋଟାଏ ବନ୍ଦ ଦୋକାନ ବାରଣ୍ଡାରେ ଜଣେ ଝାଡୁ ବିକାଳି ବସିଥିବାର ମୁଁ ଦେଖେ । ସରୁ ଅଙ୍କାବଙ୍କା କାଠିର ଅଦ୍ଭୁତ ଝାଡୁ ସାଙ୍ଗକୁ ଲୋକଟିର ମୁହଁ ଦେହସାରା ଫଳି କଳା କଳା ଦାଗ, ବଡ଼ ବିଚିତ୍ର ଲାଗୁଥାଏ । କୁତୁହଳି ହୋଇ ତା’ ସାଙ୍ଗରେ କଥାବାର୍ତ୍ତା ହେବାପରେ ସେଇଦିନ ପ୍ରଥମ କରି ‘କଣ୍ଟାକ୍ଟ ଡର୍ମାଟିଟିସ୍ ବା ସଂସ୍ପର୍ଶ-ଚର୍ମରୋଗ' କ’ଣ ମୁଁ ଜାଣିପାରିଥିଲି, ତା’ ମୁହଁରୁ ‘ଗାଜର୍ ଘାସ୍ ଝାଡୁ' ଉପାଖ୍ୟାନଟି ଶୁଣିସାରି । ଆଜି ମୋର ଆଲୋଚନାର ମୂଳରେ ଯେଉଁ ଗଛଟିକି ‘କରି କରାଉ ଥାଏ ମୁହିଁ' ରୂପେ ଉଭା ହୋଇଅଛି । ଆମେ ସମସ୍ତେ କେବେ ନା କେବେ ତା’ ସଂପର୍କରେ ଆସିଥିବା କଥା ତ ଏକରକମ ନିଶ୍ଚିତ । ସିଏ ମଫସଲିଆ ଗାଁ ପରିବେଶର ଚାଷଜମି ହିଡ଼ ହେଉ ଅବା ଚକଚକିଆ ସହରର ରାସ୍ତାକଡ଼ର ଖାଲି ଜାଗା, ସବୁଠି ସେ ସଇତାନ ଗଛର ରାଜତ୍ୱ ବାରି ହୋଇପଡ଼ିଲାଣି ଏଇ ମାତ୍ର କେଇ ଦଶନ୍ଦି ଭିତରେ । ଗଛମାନଙ୍କ ବିଷୟରେ ଅଳ୍ପେ ବହୁତେ ରୁଚି ରଖୁଥିବା ଲୋକେ ହୁଏତ ଧାରଣା କରିସାରିବେଣି ଯେ ଏମିତି ହାତଗଣତି ବିଷବୃକ୍ଷମାନଙ୍କ ମଧ୍ୟରେ ରାଜା ବୋଲାଉଥିବା ଏ ବୁଦାଜାତୀୟ ଗଛଟି ‘ପାର୍ଥେନିୟମ୍' ଛଡ଼ା ଆଉ କେହି ହୋଇପାରିବନି ବୋଲି ।
ଛୋଟ ବୁଦା ଶ୍ରେଣୀର ଏ ଗଛଟିର ବୈଜ୍ଞାନିକ ନାମ ହେଉଛି ‘ପାର୍ଥେନିୟମ ହିଷ୍ଟେରୋଫୋରସ୍' ଏବଂ ଏହା ‘ସୂର୍ଯ୍ୟମୁଖୀ ଫୁଲଗଛ ପରିବାର'ର ଏକ ସଦସ୍ୟ । ପାର୍ସନ୍ସ ଏବଂ କଟ୍ବର୍ଟସନ୍ଙ୍କ ମତରେ ଏହାର ଜାତିର ନାମକରଣ ଏକ ଲାଟିନ୍ ଶବ୍ଦ ‘ପାର୍ଥେନିସ୍'ରୁ ହୁଏତ ହୋଇଅଛି । ସେହିପରି ଏହାର ପ୍ରଜାତିର ନାମଟି ଦୁଇଟି ଗ୍ରୀକ୍ ଶବ୍ଦ ‘ହିଷ୍ଟେରିଆ' ଓ ‘ଫୋରସ୍'ରୁ ଆସିଅଛି । ଯାହାକି ଗଛଟିର ଅଦ୍ଭୁତ ମଞ୍ଜି ଧାରଣ କରିବା ସାମର୍ଥ୍ୟ ବିଷୟରେ ସୂଚନା ଦେଇଥାଏ । ଇଂରାଜୀରେ ତ ଏହାର ନାମର ତାଲିକା ବହୁତ ଲମ୍ବା । ଯହିଁ ଭାରତରେ ଏହାକୁ ବିଟର ୱିଡ୍, କେରଟ୍ ୱିଡ୍, ବୃମ୍ ବୁଶ୍, କଂଗ୍ରେସ ୱିଡ୍ ଆଦି କୁହାଯାଏ । ୱେଷ୍ଟଇଣ୍ଡିଜ ଆଦିରେ ଏହା ହ୍ୱାଇଟ୍ ଟପ୍ ଓ ଫିଭର୍ଫିଉ ତଥା ଆମେରିକାରେ ଫଲ୍ସ ରେଗ୍ ୱିଡ୍ ଭଳି ନାମରେ ପରିଚିତ । ମୂଳତଃ ମେକ୍ସିକୋ, ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଦେଖାଯାଉଥିବା ଏହି ଗୁଳ୍ମଟି ମେରୁ ଅଞ୍ଚଳ ଭିନ୍ନ ଏବେ ବିଶ୍ୱର ଅନେକ ଦେଶର ମୁଣ୍ଡବ୍ୟଥାର କାରଣ ହୋଇସାରିଲାଣି । ‘ଫ୍ରମ୍ ଏନ୍ଟୋମୋଲୋଜି ଟୁ ଫଙ୍ଗାଲ୍ ବାୟୋଟେକନୋଲୋଜି'ରେ ପ୍ରକାଶିତ କେ. ଆର୍. ଅନେଜାଙ୍କ ଏକ ପ୍ରବନ୍ଧ କହେ ଯେ, ଏହା ଭାରତକୁ ହୁଏତ ୧୯୧୦ ମସିହା ଆଗରୁ ଅନ୍ୟ ଶସ୍ୟଦାନା ମାଧ୍ୟମରେ ପ୍ରବେଶ କରିସାରିଥିଲା ଯଦିଓ³ ଏହା ସମ୍ବନ୍ଧରେ ୧୯୫୬ ମସିହା ପର୍ଯ୍ୟନ୍ତ କିଛି ବି ରେକର୍ଡ କରାଯାଇନଥିଲା । ହେଲେ ଅନେକଙ୍କ ମତରେ, ଏ ଅନାବନା ଗୁଳ୍ମଟିର ମଞ୍ଜି, ୟୁ.ଏସ୍. ପିଏଲ୍ ୪୮୦ ପ୍ରକଳ୍ପ ଅଧୀନରେ ଆମେରିକାରୁ ଗହମର ଆମଦାନୀ ବେଳେ ଗହମ ଦାନା ସହ ମିଶି ଭାରତରେ ପ୍ରବେଶ କରିଥିଲା । ୧୯୫୬ ମସିହାରେ ପ୍ରକାଶିତ ରାଓଙ୍କ ଆଲେଖ୍ୟରୁ ଏହା ୧୯୫୧ ମସିହାରେ ପୁନା ଠାରେ ପ୍ରଫେସର ପାରାଞ୍ଜାପେଙ୍କ ଦ୍ୱାରା ରିପୋର୍ଟ କରାଯାଇଥିବା ବିଷୟଟି ଉଲ୍ଲେଖ ଥିବାର ଜଣାଯାଏ ।
ସେ ଯାହାହେଉ, ଏକଥା ଅସ୍ୱୀକାର କରାଯାଇପାରିବନି ଯେ ଗଛଟି ଆମ ଏ ଅଞ୍ଚଳର ଜମାରୁ ନୁହେଁ । ଏଠାରେ ସମସ୍ତଙ୍କର ଜାଣିବା ଉଚିତ ହେବ ଯେ ବାହାରେ ଖରା, ବର୍ଷା, ଶୀତ, କାକର ସହିତ ଯୁଝି ଯୁଝି ବଢୁଥିବା ଗଛମାନଙ୍କର ଭିନ୍ନ ଏକ ପରିବେଶ ସହ ନିଜକୁ ଖାପ ଖୁଆଇ ନେବା ଦକ୍ଷତା, ପ୍ରତିକୂଳ ପ୍ରାକୃତିକ ପରିସ୍ଥିତି ବେଳେ ନିଜକୁ ଦୂରେଇ ଦେଇ ପାଗ ଅନୁକୂଳ ହେବା ପର୍ଯ୍ୟନ୍ତ ଗହଳାଇ ଦେବା କଳାଟି ଠିକ୍ଭାବରେ ଆୟତ୍ତ କରିଥିବା ପ୍ରାଣୀମାନଙ୍କ ଠାରୁ ଯଥେଷ୍ଟ ଅଧିକ । ସେଇଭଳି, ପ୍ରଜନନ କରିବାର ଅସମ୍ଭବ ଦକ୍ଷତା ତଥା ନୂଆ ହେଇ ଆସିଥିବା ଜଗାରେ ତାହାର ଅହେତୁକ ବଂଶବୃଦ୍ଧିକୁ ନିୟନ୍ତ୍ରଣ କରିବାର ପରଜୀବୀ କୀଟ ପତଙ୍ଗର ଅଭାବ ବୃକ୍ଷକୁ ସେ ନୂତନ ବାସସ୍ଥାନଟିକୁ କବଳିତ କରିବାରେ ଭାରି ସାହାଯ୍ୟ କରେ । ଠିକ୍ ସେଇକଥା ହେତୁ ପ୍ରାୟ ଏକ ଶତାବ୍ଦୀ ଭିତରେ ଏ ବୃକ୍ଷଟି ନିଜକୁ ଆମ ପରିବେଶର ଏକ ପ୍ରମୁଖ ସଦସ୍ୟ କରିସାରିଲାଣି ।
ଏଠାରେ ଜଣାଇ ଦେବା ଉଚିତ ହେବ ଯେ, ଆଇ.ସି.ଏ.ଆର୍.- ଡାଇରେକ୍ଟୋରେଟ୍ ଅଫ୍ ୱିଡ୍ ରିସର୍ଚ୍ଚ ଦ୍ୱାରା ପ୍ରକାଶିତ ଏ ସଂପର୍କିତ ଉପଦେଶାବଳୀ ଅନୁସାରେ ଏହା ଭାରତର ପ୍ରାୟ ୩୫ ମିଲିୟନ ହେକ୍ଟର ଅଞ୍ଚଳକୁ କବଳିତ କରିସାରିଲାଣି । କିନ୍ତୁ ଏଠାରେ ଆହୁରି ଚିନ୍ତାର ବିଷୟଟି ହେଉଛି ପାର୍ଥେନିୟମ୍ ଆସି ଆମ ଦେଶୀୟ ଅନେକ ଛୋଟ ପ୍ରଜାତିର ଗୁଳ୍ମ ଯଥା ଅଣସୋରିଷ, ହାତିଶୁଣ୍ଢିଆ, ଜିଭକଟା, ଅରଖ, ଦୁଦୁରା, ଅଗରା ଆଦି କେତେ ଗଛର ଶତ୍ରୁ ହୋଇ ସେମାନଙ୍କ ବଂଶ ଲୋପ କରିବାକୁ ବସିଲାଣି ତାର ଠିକ୍ ଠିକ୍ ହିସାବ ନାହିଁ କାହା ପାଖରେ । କଥାଟିକୁ ଅତି ସରଳ ଭାବରେ ହୃଦୟଙ୍ଗମ କରିବାକୁ ହେଲେ ପ୍ରଖ୍ୟାତ ରୁଷୀୟ ଜୀବବିଜ୍ଞାନୀ ଜି.ଏଫ୍. ଗସ୍ଙ୍କ ‘କମ୍ପିଟିଟିଭ୍ ଏକ୍ସକ୍ଲୁଜନ୍ ନିୟମ'କୁ ବୁଝିବାକୁ ହେବ । ଏହି ନିୟମଟି କୁହେ ଯେ ‘ସମାନ ପରିବେଶରେ ବଢୁଥିବା ଏବଂ ସମାନ କାର୍ଯ୍ୟ ସଂପାଦନ କରୁଥିବା ଦୁଇଟି ପ୍ରଜାତି ମଧ୍ୟରୁ କେବଳ ସେ ହିଁ ତିଷ୍ଠି ରହିପାରେ, ଯିଏକି ନିଜକୁ ଠିଜ୍ ହିସାବରେ ପରିବେଶାନୁକୂଳ ଉପଯୋଜିତ କରିପାରେ' । କଟା ହୋଇଥିବା ସ୍ଥାନରୁ ଖୁବ୍ ଆରାମରେ ପୁଣି ବଢ଼ିଯିବା, ସିଏ ରହୁଥିବା ଜାଗାର ଅନ୍ୟ ସବୁ ଛୋଟ ଛୋଟ ଗଛର ବୃଦ୍ଧିକୁ ରୋକିବା ଏବଂ ଏହାର ବଂଶବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାର ରୋଗ ବା ପୋକ ଏଠାରେ ଦେଖାନଯିବା ବିଷୟଗୁଡ଼ିକୁ ବିଶେଷତଃ ପାର୍ଥେନିୟମ'ର ଅନିୟନ୍ତ୍ରିତ ନିଆଁ ଭଳି ବ୍ୟାପିବାର କାରଣ ରୂପେ ବିବେଚନା କରାଯାଇପାରେ । କହିବାର କଥା ହେଲା, ସମଗ୍ର ଭାରତବର୍ଷର ଅନେକ ପ୍ରଦେଶରେ ଏହି କଂଗ୍ରେସ ଘାସର ଲଗାମଛଡ଼ା ବଂଶବୃଦ୍ଧି ଅନ୍ୟ ଗୁଳ୍ମାଦି ପାଇଁ ଉଦ୍ଦିଷ୍ଟ ପ୍ରାକୃତିକ ଜାଗା ଓ ଖାଦ୍ୟକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି । ଏହି କାରଣରୁ ଏ ଅଞ୍ଚଳଗୁଡ଼ିକର ଜୈବବିଭିନ୍ନତା ମଧ୍ୟ ପ୍ରଭାବିତ ହେବା କଥାକୁ ଅଣଦେଖା କରିହେଉନାହିଁ ।
ଏବେ ସିଧାସଳଖ ଆସିବା ଗଛ ଉପରକୁ । ଗଛଗୁଡ଼ିକ ଆଣ୍ଠୁରୁ ଛାତିଏ ଲେଖାଏଁ ଡେଙ୍ଗା । ଶାଖା-ପ୍ରଶାଖା ବେଶ୍ ଜମାଣିଆ, ଯହିଁ ଗାଜର ଓ ଗେଣ୍ଡୁଗଛର ପତ୍ରଭଳି କଟା କଟା ଛନଛନିଆ ଶାଗୁଆ ପତ୍ରଗୁଡ଼ା । ଉଭୟ କାଣ୍ଡ ଓ ପତ୍ର, ଚାରି ପ୍ରକାରର ଅତି ସରୁ ସରୁ ଧଳା ଲୋମରେ ଭର୍ତ୍ତି । ‘ଡାଉନ୍ ଟୁ ଆର୍ଥ'ରେ ପ୍ରକାଶିତ ୨୦୦୪ର ଏକ ରିପୋର୍ଟ ଅନୁସାରେ, ଯଦିଓ ଭାରତକୁ ଆସିଲା ବେଳକୁ ଏଥିରେ ବର୍ଷକୁ ଥରୁଟିଏ ମାତ୍ର ଫୁଲ ହେଉଥିଲା । ଏବେ ଏହାର ପ୍ରକୃତି ବଦଳିଯାଇ ବର୍ଷକ ଭିତରେ ତିନିରୁ ଚାରିଥର ଫୁଲ ହେବା କଥା ଲୋକ ଦେଖିଲେଣି । ଥରେ ଫୁଲ ଫୁଟିଲେ ଗଛଟିର ସବୁ ଡାଳ ଅଗ ଧଳାଫୁଲରେ ଭରିଯାଏ । ହଜାର ହଜାର ଫୁଲ, ସବୁ ନାକଫୁଲର ପଥର ପରିକା ଛୋଟ ଛୋଟ । ସେହି ସଂଖ୍ୟାରେ ତାର ମଞ୍ଜି । ଦେଖାଯାଇଛି, ଗୋଟିଏ ଗୋଟିଏ ମଧ୍ୟମଧରଣର ଗଛ ୨୫୦୦୦ ପର୍ଯ୍ୟନ୍ତ ମଞ୍ଜି ବାଣ୍ଟିବାର ସାମର୍ଥ୍ୟ ରଖେ । ହିସାବ କଲେ ୧୫୪୦୦୦ ମଞ୍ଜି ଏକ ବର୍ଗମିଟର ମଧ୍ୟରେ । ମଞ୍ଜିଗୁଡ଼ିକ ବାୟୁ, ଜଳ ଏବଂ ଅନ୍ୟ ଜୀବମାନଙ୍କ ଦ୍ୱାରା ବାହିତ ହୋଇ ପାଖ ହେଉ କି ଦୂର ସବୁ ଜାଗାକୁ ଆରାମରେ ପହଞ୍ଚି ଯାଆନ୍ତି । ଆଚମ୍ବିତ କଥା, ବୀଜବିକ୍ଷେପ ପରେ ଅଧିକାଂଶ ମଞ୍ଜି ଅଙ୍କୁରିତ ହୋଇ ପୁଣି ଫୁଲ ଧାରଣ କରିବାର ଶକ୍ତି ହାସଲ କରିଥାନ୍ତି । ଏବେ ପାଠକେ ପ୍ରଶ୍ନ କରିପାରନ୍ତି ‘ଆମେ ଏକ ଇତର ଗଛ ସମ୍ପର୍କରେ ଏତେ ଆଲୋଚନା କାହିଁକି କରୁଛେ ବୋଲି?'
ଆମ ତଥା ଅନ୍ୟ ପଶୁମାନଙ୍କ ପାଇଁ ଗଛଟି ଯେ ସାଂଘାତିକ ଏଥିରେ ଦ୍ୱିରୁକ୍ତି ନାହିଁ । ଏହାର କୁପ୍ରଭାବ ଏକ ଅଜଣା ଧୀର-ବିଷ ପରି, ଏହା ସଂସ୍ପର୍ଶରେ ଆସୁଥିବା ପ୍ରାଣୀମାନଙ୍କର ପ୍ରଭୂତ କ୍ଷତି ସାଧନ କରିବାର ସାମର୍ଥ୍ୟ ରଖେ । ୨୦୧୪ ମସିହାରେ ‘ଇଣ୍ଟରନେସନାଲ ସ୍କୋଲାର୍ଲି ରିସର୍ଚ୍ଚ ନୋଟିସେସ୍'ରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ଏକ ବିସ୍ତୃତ ପ୍ରବନ୍ଧରୁ ଜଣାଯାଏ ଯେ, ଏହାର ବାୟୁବାହିତ ପରାଗ ରେଣୁ, ଶୁଖିଲା ଅଂଶ ତଥା ଚେର ମାନବ ଦେହରେ ବିଭିନ୍ନ ପ୍ରକାର ଏଲର୍ଜି ସୃଷ୍ଟି କରିଥାନ୍ତି । ଯାହାକି ସଂସ୍ପର୍ଶ-ଚର୍ମରୋଗ, ହେ ଫିଭର, ଶ୍ୱାସ ଏବଂ ବ୍ରୋଙ୍କାଇଟିସ୍ ଭଳି ରୋଗର କାରଣ ସାଜିଥାଏ । ବିଭିନ୍ନ ସ୍ତରରେ ଗବେଷଣାରୁ ଆହୁରି ସ୍ପଷ୍ଟ ହୋଇଅଛି ଯେ ଗଛରେ ଥିବା ପାର୍ଥେନିନ୍, କୋରୋନୋପିଲିନ୍, ଟେଟ୍ରାନିୟୁରିସ୍ ଓ ଏମ୍ବ୍ରୋସିନ୍ ପରି ରାସାୟନିକ ପଦାର୍ଥଗୁଡ଼ିକ ହେତୁ ଏହାର ନିକଟତର ହୋଇଥିବା ବ୍ୟକ୍ତି ଦେହରେ ଏଭଳି ସାଂଘାତିକ ପ୍ରତିକ୍ରିୟା ଦେଖାଦେଇଥାଏ । ବୃକ୍ଷଜନିତ ସଂସ୍ପର୍ଶ-ଚର୍ମରୋଗ ପ୍ରଥମେ ଶରୀରର ବାହ୍ୟ ଅଂଶରେ ଦେଖାଦେଇ ପରେ ସବୁ ଅଂଶକୁ ବ୍ୟାପିଯାଇଥାଏ ଏବଂ ଲୋକଟିର ଜୀବନକୁ ଦୁର୍ବିସହ କରିପକାଏ । ମନୁଷ୍ୟକୁ ବାଦ୍ ଦେଇ ଏହା ଅନ୍ୟ ଗୃହପାଳିତ ପଶୁମାନଙ୍କ ଠାରେ ମଧ୍ୟ ଚର୍ମରୋଗ, ପାଚନ ତନ୍ତ୍ରର ରୋଗ, ପତଳା ଝାଡ଼ା, ଆଖିରୋଗ, ରୋଗ ପ୍ରତିରୋଧକାରୀ ଶକ୍ତି ହ୍ରାସ ଆଦି କରିଥାଏ ବୋଲି ଜଣାଗଲାଣି । ଏସବୁ ଭିନ୍ନ ପାର୍ଥେନିୟମ ଆକ୍ରମଣରେ ଅନେକ ଶସ୍ୟ ପ୍ରଜାତିର ଅମଳ ଆଶାତୀତ ଭାବେ କମିଯାଉଥିବା ବିଷୟଟି ଆମ ଭିତରୁ କେତେଜଣ ବା ଅବଗତ? ଭାରତରେ ଖୋସଲା ଏବଂ ସୋବତିଙ୍କ ଦ୍ୱାରା ହୋଇଥିବା ଏକ ଆକଳନ ଅନୁସାରେ ଏହାର ପ୍ରଭାବରେ ଶସ୍ୟର ଅମଳ ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଥାଏ । ସେହିପରି ବିଭିନ୍ନ ଶସ୍ୟରେ ଏ ପ୍ରକାର ପ୍ରଭାବ ୪୦ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ବୋଲି ସଫଦର୍ ଓ ସାଥିଙ୍କ ୨୦୧୬ ମସିହାର ଏକ ଗବେଷଣାତ୍ମକ ପ୍ରବନ୍ଧରୁ ଜଣାପଡ଼େ ।
ଏହି ବୃକ୍ଷଟିର କିଛି ଭଲ ଗୁଣ ନାହିଁ ବୋଲି ଏକଦମ୍ କହିବା ଅନୁଚିତ ହେବ । ତେବେ ଏହାର କ୍ଷତିକାରକ ଗୁଣ ତୁଳନାରେ ଏହାର ଔଷଧୀୟ ଗୁଣ ଫିକା ପଡ଼ିଯାଏ ବୋଲି ଧାରଣା ହୁଏ । ଏହାର କୁପ୍ରଭାବ ବିଷୟରେ ସୁରାକ ପାଇବା ଦିନଠୁ ଗଛଟିର ବଂଶବିସ୍ତାରକୁ ରୋକିବାକୁ ବିଶ୍ୱ ମାନବ ସମାଜ ନିଷ୍ଫଳ ପ୍ରୟାସ ଜାରି ରଖିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ନିରନ୍ତର ପ୍ରୟୋଗରେ ଥିବା ଉପାୟ ମଧ୍ୟରେ ଗଛକୁ ଓପାଡ଼ି ପୋତିଦେବା ବା ପୋଡ଼ିଦେବା, ଚାଷଜମି ଭିନ୍ନ ଅନ୍ୟ ସ୍ଥାନରେ ଗ୍ଲାଏଫୋସେଟ୍, ମେଟ୍ରିବୁଜିନ୍, ୨,୪-ଡି ଆଦି ରାସାୟନିକ ଗୁଳ୍ମନାଶକର ପ୍ରୟୋଗ, ଉଭୟ ଚାଷଜମି ତଥା ମୁକ୍ତ ପ୍ରାନ୍ତରରେ ଜୋଆର, ଅପାମାର୍ଗ ପରି ପ୍ରତିଯୋଗୀ-ବୃକ୍ଷ ରୋପଣ, ମେକ୍ସିକାନ୍ ବିଟିଲ୍ ଭଳି କୀଟଦ୍ୱାରା ଏହାର ଦମନ ଆଦି ଅନ୍ତର୍ଭୁକ୍ତ । ଏଠାରେ ନିଶ୍ଚିତ ଯେ, ଏତେ ଅସୁବିଧା ଭୋଗୁଥିଲେ ହେଁ ଏନେଇ ଜନସଚେତନତାର ଘୋର ଅଭାବ ବୃକ୍ଷଟିର ବଂଶ ବିସ୍ତାରର ଏକ ବଳିଷ୍ଠ ମାଧ୍ୟମ ରୂପେ ଉଭା ହୋଇଛି । ଏଣୁ, ଜାଗା ହିସାବରେ ସମନ୍ୱିତ ଉପାୟ ସ୍ଥିର କରାଯାଇ ଉଭୟ ସରକାରୀ ତନ୍ତ୍ର ଏବଂ ଜନସାଧାରଣଙ୍କ ଏକ ମିଳିତ ଅଭିଯାନ ଏହି ଅମରିବୃକ୍ଷର ଅହେତୁକ ବୃଦ୍ଧିରେ ହୁଏତ ରୋକ୍ ଲଗାଇପାରେ ବୋଲି ମୋର ମନେହୁଏ ।