ନୂଆଦିଲ୍ଲୀ,୦୩/୦୯: ଏସିଆ କପ୍ ୨୦୨୩ର ଆୟୋଜକ ପାକିସ୍ତାନ ହୋଇଥିଲେ ମଧ୍ୟ ହାଇବ୍ରିଡ ମୋଡେଲ୍ ଆଧାରରେ ଖେଳା ଯାଉଥିବା ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯାଉଛି। ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ ଖେଳା ଯାଉଥିବା ବେଳେ ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଆୟୋଜନ ହେଉଛି। କିନ୍ତୁ ଏସିଆ କପ୍କୁ ନେଇ ଏବେ ଆସିଛି ବଡ଼ ଖବର। ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ପ୍ରବଳ ବର୍ଷା ଏସୀୟ କ୍ରିକେଟ୍ ପରିଷଦ(ଏସିସି)ର ଚିନ୍ତାକୁ ବଢାଇ ଦେଇଛି। ତେଣୁ ଏସିସି କିଛି ବଡ଼ ନିଷ୍ପତ୍ତି ନେଇପାରେ। ବୋର୍ଡ କଲୋମ୍ବୋରେ ହେବାକୁ ଥିବା ସୁପର-୪ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ପାଲ୍ଲିକଲ ସ୍ଥାନାନ୍ତର କରିପାରେ।
ମ୍ୟାଚ୍ ସ୍ଥାନାନ୍ତର ନେଇ ଡାମ୍ବୁଲା ଷ୍ଟାଡିୟମ ଉପରେ ମଧ୍ୟ ବିଚାର କରାଯାଉଛି। କିନ୍ତୁ ପାଲ୍ଲିକଲ୍ ସ୍ଥାନାନ୍ତର ହେବାର ସମ୍ଭାବନା ଅଧିକ ରହିଛି। କାରଣ କଲୋମ୍ବୋରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଠାରେ ଲଗାତାର ବର୍ଷା ହେଉଛି। ଏହି କାରଣରୁ ଏସିସି କଲୋମ୍ବୋରେ ଖେଳା ଯିବାକୁ ଥିବା ସମସ୍ତ ମୁକାବିଲା ସିଫ୍ଟ କରିବାକୁ ନିଷ୍ପତ୍ତି ନେଇଛି।
ଏ ପର୍ଯ୍ୟନ୍ତ ଗ୍ରୁପ ପର୍ଯ୍ୟାୟରେ ୪ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଆଉ ୨ଟି ମ୍ୟାଚ୍ ବାକି ରହିଛି। ଗ୍ରୁପ ପର୍ଯ୍ୟାୟରେ କୌଣସି ବି ମ୍ୟାଚ୍ କଲୋମ୍ବୋରେ ଖେଳା ଯାଉ ନାହିଁ। କିନ୍ତୁ ଫାଇନାଲ୍ ସମେତ ସୁପର-୪ର ସମସ୍ତ ମୁକାବିଲା ଏହି ଗ୍ରାଉଣ୍ଡରେ ଖେଳାଯିବ ବୋଲି କ୍ରୀଡ଼ାସୂଚୀରେ ନିର୍ଦ୍ଧାରିତ ରହିଛି। ମାତ୍ର ଶ୍ରୀଲଙ୍କା ରାଜଧାନୀରେ ବର୍ଷା ଥମିବାର ନାଁ ନେଉ ନାହିଁ। ଫଳରେ ମ୍ୟାଚ୍ ବାତିଲ ହେବାର ଆଶଙ୍କା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଏସିସି ସୁପର-୪ର ସମସ୍ତ ମ୍ୟାଚ୍ କଲୋମ୍ବୋରୁ ପାଲ୍ଲିକଲ କିମ୍ବା ଡାମ୍ବୁଲାକୁ ସ୍ଥାନାନ୍ତର କରିପାରେ। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆଗାମୀ କିଛି ଦିନରେ ନିଆଯାଇପାରେ, କାରଣ କଲୋମ୍ବୋରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୧୭ରେ ଖେଳାଯିବ।