ନୂଆଦିଲ୍ଲୀ, ୧୪/୦୮ : ‘ବେଲ୍ ଇଜ୍ ଦ ରୁଲ୍, ଜେଲ୍ ଇଜ୍ ଏକ୍ସସେପ୍ସନ’ ବା ‘ଜାମିନ ହିଁ ନିୟମ, ଜେଲ୍ ଅପବାଦ’ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଏପରିକି ଆତଙ୍କବାଦ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଭଳି ସ୍ୱତନ୍ତ୍ର ମାମଲାରେ ବି ଏହା ଲାଗୁ ହୋଇଥାଏ । ଯେଉଁ ମାମଲାରେ ଜାମିନ ମିଳିବା କଥା କିନ୍ତୁ ଅଦାଲତ ଜାମିନ ଦେବାକୁ ମନା କରିବେ ତେବେ ଏହା ବ୍ୟକ୍ତିଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଜଷ୍ଟିସ୍ ଅଭୟ ଓକା ଏବଂ ଜଷ୍ଟିସ୍ ଅଗଷ୍ଟାଇନ ଜର୍ଜଙ୍କ ଖଣ୍ଡପୀଠ କହିଛନ୍ତି । ଅଭିଯୋଗ ଗୁରୁତର ହୋଇପାରେ କିନ୍ତୁ ଅଦାଲତଙ୍କ କର୍ତ୍ତବ୍ୟ ଯେ ସେ ଆଇନକୁ ଦୃଷ୍ଟିରେ ରଖି ଜାମିନ ଉପରେ ବିଚାର କରିବେ ବୋଲି କହିବା ସହ ୟୁଏପିଏ ବଳରେ ଗିରଫ ହୋଇଥିବା ଜଲାଲୁଦ୍ଦିନ୍ ଖାନ୍ଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି । ଅଭିଯୁକ୍ତ ଜଲାଲୁଦ୍ଦିନ୍ ନିଷିଦ୍ଧ ସଙ୍ଗଠନ ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ସଦସ୍ୟଙ୍କୁ ନିଜ ଘରେ ଭଡ଼ାରେ ରଖିଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ୟୁଏପିଏ ବଳରେ ମାମଲା ରୁଜୁ ହୋଇଥିଲା ।
ଅଭିଯୋଗ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିହାର ଗସ୍ତ ବେଳେ ତାଙ୍କ କାର୍କେଡ୍ରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଜଲାଲୁଦ୍ଦିନ୍ ଯୋଜନା କରିଥିଲେ । ସେ ସିମି ଓ ପିଏଫ୍ଆଇ ଭଳି ସଙ୍ଗଠନ ସହ ଜଡ଼ିତ ଥିଲେ । ଏପରିକି ଜଲାଲୁଦ୍ଦିନ୍ ଭଡ଼ା ଦେଇଥିବା ଘରେ ୨୦୨୨ ଜୁଲାଇ ୬ ଏବଂ ୭ରେ ପିଏଫ୍ଆଇ ସଦସ୍ୟଙ୍କୁ ତାଲିମ ଦିଆଯିବା କଥା ମଧ୍ୟ ଜାଣିଥିଲେ । ଏହା ସତ୍ତେ୍ୱ ସେ ପିଏଫ୍ଆଇ ସଦସ୍ୟଙ୍କୁ ଘର ଭଡ଼ା ଦେଇଥିଲେ ବୋଲି ଅଭିଯୋଗ ରହିଥିଲା । କିନ୍ତୁ ଜଲାଲୁଦ୍ଦିନ ଏ ସବୁକୁ ଖଣ୍ଡନ କରିଥିଲେ । କୌଣସି ନିଷିଦ୍ଧ ସଙ୍ଗଠନ ସହ ସେ ଜଡ଼ିତ ନ ଥିବା ଏବଂ ତାଙ୍କ ଘର କେବଳ ଭଡ଼ାରେ ଲଗାଇବା ହିଁ ଉଦ୍ଦେଶ୍ୟ ଥିଲା ବୋଲି କହିଥିଲେ । ପୂର୍ବରୁ ସ୍ପେଶାଲ ଏନ୍ଆଇଏ କୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଥିଲେ । ପରେ ହାଇକୋର୍ଟ ମଧ୍ୟ ଏନ୍ଆଇଏ କୋର୍ଟଙ୍କ ରାୟକୁ ବଳବତ୍ତର ରଖିଥିଲେ । ହାଇକୋର୍ଟଙ୍କ ରାୟକୁ ଜଲାଲୁଦ୍ଦିନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।