ଅହମ୍ମଦାବାଦ,୨୩/୦୫: ଭାରତୀୟ ସିନିୟର କ୍ରିକେଟ୍ ଦଳର ନୂଆ କୋଚ୍ ଦାୟିତ୍ୱ ପାଇଁ ବିସିସିଆଇ ତତ୍ପରତାର ସହ ଅନ୍ୱେଷଣ ଜାରି ରଖିଛି । କୋଲକାତା ନାଇଟ ରାଇଡର୍ସ ମେଣ୍ଟର ଗୌତମ ଗମ୍ଭୀରଙ୍କୁ କୋଚ୍ ଭାବେ ନିଯୁକ୍ତ ଦେବାକୁ ବିସିସିଆଇ ବେଶ୍ ଆଗ୍ରହୀ ଥିବା ଜଣା ପଡ଼ିଛି । ତଥାପି ଅନ୍ୟ କିଛି କୋଚ୍ଙ୍କ ସହ ଯୋଗା ଯୋଗ କରାଯାଇଛି । ବିସିସିଆଇର ଏକ ସ୍ୱତନ୍ତ୍ର ଗ୍ରୁପ୍ ବିଭିନ୍ନ ଆଇପିଏଲ୍ ଦଳର କୋଚଙ୍କ ସହ ଆଲୋଚନା କରିଛି । ଚେନ୍ନାଇ ସୁପରକିଙ୍ଗ୍ସ କୋଚ୍ ଷ୍ଟିଫାନ ଫ୍ଲେମିଂ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ କୋଚ ଜଷ୍ଟିନ ଲାଙ୍ଗରଙ୍କୁ ପୂର୍ବରୁ ବିସିସିଆଇ ଯୋଗାଯୋଗ କରିଥିଲା । ବର୍ତ୍ତମାନ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ମାହେଲା ଜୟବର୍ଦ୍ଧନେଙ୍କୁ କୋଚ୍ ପଦ ପାଇଁ ଆବେଦନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଜୟବର୍ଦ୍ଧନେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳର କୋଚ ଦାୟିତ୍ୱ ତୁଲାଇ ସାରିଛନ୍ତି । ତାଙ୍କ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୨ରେ ଚାମ୍ପିଅନ୍ ହୋଇଥିଲା ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ସହ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ଜୁଲାଇ ମାସ ୧ତାରିଖରୁ ନୂଆ କୋଚ୍ ଦାୟିତ୍ୱ ଆରମ୍ଭ କରିବେ। ବିସିସିଆଇ ଆସନ୍ତା ୨୭ ତାରିଖକୁ କୋଚ୍ ପଦ ପାଇଁ ଆବେଦନର ଶେଷ ଦିନ ରୂପେ ଧାର୍ଯ୍ୟ କରିଛି । ହାତରେ ଆଉ ମାତ୍ର ୫ଦିନ ବାକି ରହିଯାଇଥିବାରୁ ବିସିସିଆଇ ବାଧ୍ୟ ହୋଇ ତାଲିକା କରିଥିବା ଉପଯୁକ୍ତ କୋଚ୍ଙ୍କୁ ପ୍ରସ୍ତାବ ଦେବାକୁ ବାଧ୍ୟ ହୋଇଛି । ଭାରତୀୟ ଦଳର କୋଚ୍ ଦାୟିତ୍ୱ ନେବା ଅର୍ଥ ବର୍ଷରେ ୧୦ମାସ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ହେବ ।
ଭାରତର ପରବର୍ତ୍ତୀ ଟାର୍ଗେଟ୍ ୨୦୨୭ ବିଶ୍ୱକପ୍ ରହିଥିବାରୁ କୋଚ୍ଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏକ କଠିନ ତଥା ଚ୍ୟାଲେଞ୍ଜିଂ ଦାୟିତ୍ୱ ନେବାକୁ ବିଦେଶୀ କୋଚ୍ ମାନେ କୁଣ୍ଠାବୋଧ କରୁଛନ୍ତି । କୋଚ୍ମାନେ ଆଇପିଏଲ୍ରୁ ବହୁ ଅର୍ଥ ପାଉଥିବାରୁ ଭାରତୀୟ ଦଳର କୋଚ୍ ଦାୟିତ୍ୱକୁ ପ୍ରାଥମିକତା ଦେଉ ନାହାନ୍ତି ।
ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଥିବା ଭିଭିଏସ ଲକ୍ଷ୍ମଣଙ୍କୁ କୋଚ୍ ଦାୟିତ୍ୱ ଦେବାକୁ ବିସିସିଆଇ ମନସ୍ଥ କରିଥିଲା । ମାତ୍ର ସେ ଏହି ଦାୟିତ୍ୱ ନେବକୁ ରାଜି ହେଉ ନାହାନ୍ତି । ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ସେତେବେଳେ ମଧ୍ୟ ଲକ୍ଷ୍ମଣଙ୍କୁ କୋଚ୍ ଦାୟିତ୍ୱ ନେବାକୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ସେ ରାଜି ନହେବାରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପର୍ଯ୍ୟନ୍ତ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।
ବର୍ତ୍ତମାନ ଗମ୍ଭୀର ବିସିସିଆଇ କରିଥିବା କୋଚ୍ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ପ୍ରଥମ କ୍ୱାଲିଫାୟର ମୁକାବିଲାରେ ନାଇଟ୍ ରାଇଡର୍ସ ବିଜୟ ହାସଲ କରିବା ପରେ ବିସିସିଆଇ ଗମ୍ଭୀରଙ୍କ ସହ ଆଲୋଚନା କରିଥିବା ଶୁଣିବାକୁ ମିଳୁଛି । ଗମ୍ଭୀର ମଧ୍ୟ ବ୍ୟକ୍ତିଗତ ଭାବେ ଭାରତୀୟ ଦଳର କିଛି ସିନିୟର ଖେଳାଳିଙ୍କ ସହ ଏବିଷୟରେ ଆଲୋଚନା କରିଥିବା ଜଣା ପଡ଼ିଛି । ମାତ୍ର ଏକଥାରେ କେତେ ସତ୍ୟତା ରହିଛି, ତାହା କହିବା ମୁସ୍କିଲ । ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ ଅନେକ ଦିନରୁ ମତ ପାର୍ଥକ୍ୟ ରହିଥିଲା । ଏଥର ଆଇପିଏଲ୍ ସମୟରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ଯାଇଛି । ତେଣୁ ଗମ୍ଭୀରଙ୍କୁ କୋଚ୍ ଦାୟିତ୍ୱ ମିଳିଲେ କୌଣସି ଖେଳାଳି ଅସନ୍ତୋଷ ପ୍ରକଟ କରିବେ ନାହିଁ ବୋଲି ବିସିସିଆଇ ଅନୁଭବ କରୁଛି ।