ନୂଆଦିଲ୍ଲୀ,୦୩/୦୮: କାନାଡାରେ ପ୍ରବାସୀଙ୍କ ସଂଖ୍ୟା ବୃଦ୍ଧି ହେତୁ କାନାଡିୟମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। କାନାଡାକୁ ନୂତନ ପ୍ରବାସୀ ଭାରତୀୟ ଏବଂ ବିଶେଷ କରି ଶିଖ ସମ୍ପ୍ରଦାୟର ଲୋକ ଅଧିକ ଯାଉଛନ୍ତି।ଆସୋସିଏସନ୍ ଅଫ୍ କାନାଡିୟାନ୍ ଷ୍ଟଡିଜ୍ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୬୦ ପ୍ରତିଶତ ଲୋକ ଅନୁଭବ କରୁଛନ୍ତି ଯେ, କାନାଡାରେ ପ୍ରବାସୀଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧି ହୋଇଛି। ଫେବୃଆରୀରୁ ଜୁଲାଇ ପର୍ଯ୍ୟନ୍ତ କାନାଡାକୁ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାନାଡାରେ ଭାରତୀୟ ତଥା ଶିଖ୍ ମାନେ ବିରୋଧର ଶିକାର ହେଉଛନ୍ତି। ମାର୍ଚ୍ଚ ୨୦୧୯ ରେ, କାନାଡାକୁ ବାହାରୁ ଆସୁଥିବା ଲୋକଙ୍କ ସଂଖ୍ୟା ୩୫ ପ୍ରତିଶତ ଥିଲା।
ମାର୍ଚ୍ଚ ୨୦୧୯ ରେ ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ନେଇ ପ୍ରାୟ ୪୯ ପ୍ରତିଶତ କାନାଡିୟ ଲୋକେ ବିଶ୍ବାସ କରିଥିଲେ ଯେ ସଠିକ୍ ସଂଖ୍ୟକ ଲୋକ ସେମାନଙ୍କ ଦେଶକୁ ଆସୁଛନ୍ତି। ତେବେ, ଏହି ନିଷ୍ପତ୍ତି ଠିକ ବୋଲି ଗ୍ରହଣ କରୁଥିବା ଲୋକଙ୍କ ଲୋକଙ୍କ ସଂଖ୍ୟା ୨୮ ପ୍ରତିଶତକୁ ଖସି ଆସିଛି। କାନାଡାରେ ପ୍ରବାସନ ବୃଦ୍ଧି ହେତୁ ହିଂସା ବଢ଼ିବାର ଖବର ମଧ୍ୟ ରହିଛି। ଗତ ମାସରେ, କାନାଡାର ଅନଟାରିଓରେ ବିରୋଧ ପ୍ରଦର୍ଶନ ବେଳେ ମାରପିଟ ଭଳି ଅଘଟଣର ଖବର ସାମ୍ନାକୁ ଆସିଥିଲା। ପିଟରବୋରୋ ସହରରେ ମଧ୍ୟ ହିଂସା ଘଟିଥିବାର ଖବର ମିଳିଥିଲା ଯେଉଁଠାରେ ଚାରିଜଣ ଯୁବକ ଶିଖ ସମ୍ପ୍ରଦାୟର ସଦସ୍ୟଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରେ ଛେପ ପକାଇ ପଗଡି ଟାଣି ନେଇଥିଲେ। କାନାଡା ପୋଲିସ ଏହି ଘଟଣାକୁ ପ୍ରବାସୀମାନଙ୍କ ବିରୋଧରେ ବିଦ୍ୟୋଷ ମନୋଭାବ ବୋଲି ବର୍ଣ୍ଣନା କରିଥିଲା।
ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ନୀତି ମଧ୍ୟ ଶିଖ ଏବଂ କାନାଡାରେ ବସବାସ କରୁଥିବା ଲୋକଙ୍କ ପ୍ରତି ବଢ଼ୁଥିବା ଘୃଣା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ବିବେଚନା କରାଯାଏ। ଅନେକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟ୍ରୁଡୋ ସରକାର ଲୋକମାନଙ୍କୁ ଜୀବନର ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ। ବ୍ରିଟିଶ କଲମ୍ବିଆର କ୍ୱାଣ୍ଟଲେନ୍ ପଲିଟେକ୍ନିକ୍ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ସିନ୍ଦର ପୁରୱାଲ ଏହି ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଯେତେବେଳେ ବାହାରେ ଥିବା ଲୋକମାନେ ଆସି କାନାଡାରେ ବସବାସ କରୁଥିଲେ, କାନାଡିୟ ନାଗରିକମାନେ ଅନୁଭବ କରିଥିଲେ ଯେ ସେମାନଙ୍କ ଆଗମନ ହେତୁ ସେମାନଙ୍କ ଚାକିରୀ ବିପଦରେ ପଡ଼ୁଛି। ତେବେ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ବର୍ତ୍ତମାନ ପ୍ରବାସୀମାନେ ସେମାନଙ୍କ ସହ କୋଟି କୋଟି ଟଙ୍କା ଆଣୁଛନ୍ତି, କାନାଡିୟମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ଯେ, ପ୍ରବାସୀଙ୍କ ଉପସ୍ଥିତି ମୁଦ୍ରାସ୍ଫୀତି ବୃଦ୍ଧି କରୁଛି।