ନୂଆଦିଲ୍ଲୀ,୧୨।୮: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଐତିହାସିକ ଲ୍ୟାଣ୍ଡିଂର ୧ ବର୍ଷ ପୂରଣ ହେବାକୁ ଯାଉଛି। ଏହା ଭିତରେ ଇସ୍ରୋ ମୁଖ୍ୟ ଅର୍ଥାତ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ମୁଖ୍ୟ ଏସ୍ ସୋମନାଥ ଏକ ଖୁସି ଖବର ଦେଇଛନ୍ତି। ତାଙ୍କର କହିବା ଅନୁସାରେ, ଏବେ ବି ଚନ୍ଦ୍ରଯାନ-୩ର ଅର୍ବିଟର କାମ କରୁଛି। ଏହାଛଡା ସେ ଏହା ମଧ୍ୟ କହିଛନ୍ତି ଯେ, ଚନ୍ଦ୍ରଯାନ-୪ର ଡିଜାଇନ୍ କାମ ପୁରା ହୋଇଛି।
ଚନ୍ଦ୍ରଯାନ-୩ ୧୪ ଜୁଲାଇରେ ଲଞ୍ଚ ହେବାପରେ ଏକ ମାସର ଦୀର୍ଘ ଯାତ୍ରା ପରେ ୨୩ ଅଗଷ୍ଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ସୋମନାଥ କହିଛନ୍ତି, ଚନ୍ଦ୍ରଯାନ-୩ର ଅର୍ବିଟର ଏବେ ବି କାମ କରୁଛି। ଏହା ସହିତ ସେ ଚନ୍ଦ୍ରଯାନ-୪ର ପ୍ରସ୍ତୁତି କଥା କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରଯାନ-୪ର ଡିଜାଇନ୍ କାମ ପୁରା ହୋଇଛି ଓ ଏହାକୁ ୨୦୨୮ ପର୍ଯ୍ୟନ୍ତ ଲଞ୍ଚ କରିବାର ପ୍ରସ୍ତୁତି ଚାଲିଛି। ଯେ, ଏହି ମିଶନ୍ ଅନୁସାରେ ଚନ୍ଦ୍ରଯାନରେ ଯାଇ ସେଠାରୁ ସାମ୍ପଲ ଆଣି ଫେରି ଆସିହେବ। ବଡ଼ କଥା ଯେ, ପ୍ରଜ୍ଞାନ ରୋଭର ଓ ବିକମ ଲ୍ୟାଣ୍ଡର(ଚନ୍ଦ୍ରଯାନ-୩) ସ୍ଲିପିଂ ମୋଡ୍ରେ ଯିବା ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ପୃଥିବୀକୁ ପଠାଇଥିଲା।
ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାରେ ୪ଟି ଦେଶ ସଫଳତା ହାସଲ କରିଛନ୍ତି। ଚନ୍ଦ୍ରଯାନ-୩ ପରେ ଏହି ଲିଷ୍ଟରେ ଭାରତର ନାଁ ଆସିଛି। ଏହା ପୂର୍ବରୁ ଏହି ସଫଳତା ଆମେରିକା, ଋଷ ଓ ଚୀନ୍ ପାଇ ସାରିଥିଲେ। ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୩ ସଫଳତାର ସହ ଲ୍ୟାଣ୍ଡିଂ ହୋଇଥିଲା, ତା’ର ନାଁ ଶିବଶକ୍ତି ପଏଣ୍ଟ ରଖାଯାଇଛି। ଭାରତ ଏହା ପୂର୍ବରୁ ଚନ୍ଦ୍ରଯାନ-୨ ଜରିଆରେ ଲ୍ୟାଣ୍ଡ କରିବାର ଚେଷ୍ଟା କରିଥିଲା, କିନ୍ତୁ ସଫଳ ହୋଇନଥିଲା।