ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ନାଗରିକକୈନ୍ଦ୍ରିକ ପ୍ରଶାସନ

ଭୁବନେଶ୍ୱର: ସମୁଦ୍ର ଶାନ୍ତ ଥିବାବେଳେ ସାଧାରଣତଃ କେହି କେବେ ବାତ୍ୟାର କଳ୍ପନା କରିନଥାଆନ୍ତି, ଯାହା ସଦ୍ୟ ସମାପ୍ତ ନିର୍ବାଚନ ଫଳାଫଳରୁ ପ୍ରମାଣିତ ହେଲା । କିଛି ନୂଆକରି ଦେଖାଇବାର ଆଗ୍ରହ ଓ ଲକ୍ଷ୍ୟ ନେଇ ଏକ ନୂଆ ସରକାର ଗଠିତ ହେଲା । ଏହି ନିର୍ବାଚନରେ ସବୁଠାରୁ ବଡ଼ ଉପଲବ୍ଧି ହେଲା ଅନେକ ବର୍ଷ ପରେ ଏକ ଦୃଢ଼ ଓ ଶକ୍ତିଶାଳୀ ବିରୋଧୀ ଦଳର ଅଭ୍ୟୁତ୍‌ଥାନ । ଆମ ଦେଶରେ ରାଜନୈତିକ ପ୍ରଶାସନ ହେଉ ଅଥବା ଅମଲାତାନ୍ତ୍ରିକ, ଉଭୟଟି କ୍ଷେତ୍ରରେ ଅତୀତରେ ଅନେକ ପରିବର୍ତ୍ତନ ହୋଇଛି । ଅନେକ ସରକାର ମଧ୍ୟ ବଦଳିଛି, କିନ୍ତୁ ପ୍ରାୟତଃ ଦେଖାଯାଉଛି ଆମ ରାଜନୈତିକ ନୀତି ନିର୍ଦ୍ଧାରକମାନଙ୍କ ଆଭିମୁଖ୍ୟ ପ୍ରାୟତଃ ସବୁ ବିଷୟକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ମନୋବୃତ୍ତି । ସଂସଦ ହେଉ ଅଥବା ବିଧାନସଭାରେ ଆଲୋଚନା ବେଳେ ଆମ ଜନପ୍ରତିନିଧିମାନେ ପ୍ରଶାସନିକ ସଂସ୍କାର ଓ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସହଜ ଓ ସରଳ କରିବା ସପକ୍ଷରେ ଯୁକ୍ତି ବାଢ଼ୁ।ଛନ୍ତି ସତ, କିନ୍ତୁ ପରିଶେଷରେ ପ୍ରତି କ୍ଷେତ୍ରରେ ଅଧିକ ପ୍ରଶାସନିକ ନିୟନ୍ତ୍ରଣର କଥା ହିଁ ଉଠାଉଛନ୍ତି । ପ୍ରତି କଥାରେ ରାଜନୈତିକ ନିୟନ୍ତ୍ରଣ ରଖିବାର ମନୋବୃତ୍ତିକୁ ଛାଡ଼ି ପାରୁନାହାନ୍ତି । ଏହାର କାରଣ ହେଲା, ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସମାଜରେ ଯଦି ଏକ ସମ୍ମାନନୀୟ ପଦପଦବି ପାଇଯାଆନ୍ତି ତେବେ ତାଙ୍କୁ ଏକ ଅଦ୍ଭୁତ ଆତ୍ମତୃପ୍ତି ମିଳେ ଯେ ସେମାନେ ସମାଜରେ ଜଣେ ସାଧାରଣ ଲୋକଠାରୁ ଭିନ୍ନ ।

ଆମ ସମାଜ ଏପରି ଭାବେ ଗଠିତ ହୋଇଛି ଯେ, ଜଣେ ବ୍ୟକ୍ତି ଯାହାର ଏକ ସମ୍ମାନନୀୟ ସ୍ଥାନ ସମାଜରେ ରହିଛି ତାଙ୍କୁ ଅନ୍ୟମାନେ ଗୁରୁତ୍ୱ ଓ ମହତ୍ତ୍ୱ ଦେବା ସହ ଆଦର ମଧ୍ୟ କରିଥାଆନ୍ତି । ଅନ୍ୟପକ୍ଷରେ ଯାହାର ତାହା ନାହିଁ ସମାଜ ତାକୁ ହେୟଜ୍ଞାନ ମନେ କରିଥାଏ । ବିଶ୍ୱରେ ପ୍ରତ୍ୟେକ ବ୍ୟକ୍ତି ସମାଜରେ ହେଉ କି ପରିବାରରେ ହେଉ, ଏକ ମର୍ଯ୍ୟାଦାପୂର୍ଣ୍ଣ ପଦରେ ରହିବାକୁ ଚାହେଁ ଓ ଏପରିକି ଯେଉଁମାନେ ସଂସାରତ୍ୟାଗୀ ସାଧୁ ସନ୍ନ୍ୟାସୀ ସେମାନେ ମଧ୍ୟ ଈଶ୍ୱରଙ୍କ ଡାହାଣପଟ ଚୌକିରେ ବସିବାକୁ ଇଚ୍ଛୁକ । ପ୍ରତ୍ୟେକ ମଣିଷ ଗୋଟିଏ ମଞ୍ଚ ଚାହୁଁଛି । ଯେହେତୁ ଭିତରେ ଭିତରେ ଆମେ ଦୁର୍ବଳତାର ଏକ ଜଳଭଉଁରୀ ତେଣୁ ପଦମର୍ଯ୍ୟାଦା ଜରିଆରେ ଆମେ ବାହାରକୁ ଦେଖାଇଦେବାକୁ ଚାହୁଁଛୁ ଆମେ ବଡ଼ ଓ ମହାନ୍‌ । ରାଜନୈତିକ ଅଥବା ଆମଲାତାନ୍ତ୍ରିକ ପଦପଦବି, ସମ୍ମାନ ଓ କ୍ଷମତା ହାସଲ କରିବା ଅଥବା ସମାଜରେ ଜଣେ ଅସାଧାରଣ ବ୍ୟକ୍ତି ଭାବେ ସ୍ୱୀକୃତି ପାଇବା ପାଇଁ ଆମର ଏହି କାମନାର ଏକମାତ୍ର ଉଦ୍ଦେଶ୍ୟ ହେଲା ଆମେ ଅନ୍ୟମାନଙ୍କ ଠାରୁ କିପରି ଭିନ୍ନ, ଶକ୍ତିଶାଳୀ, ପ୍ରତିପତ୍ତିଶାଳୀ ଓ କ୍ଷମତାଶାଳୀ ତାହାହିଁ ଦର୍ଶାଇବା । ନିଜକୁ ଅନ୍ୟମାନଙ୍କ ଠାରୁ ଶ୍ରେଷ୍ଠ ଭାବେ ଦର୍ଶାଇବାର କାରଣ କ'ଣ ହୋଇପାରେ? ଏହା ସାଧାରଣ ବ୍ୟକ୍ତିଟିଏ ହୋଇ ସମାଜରେ ବଞ୍ଚି ରହିବାକୁ ନିଜର ଭୟ ଓ ଦୁର୍ବଳତା ନୁହେଁ ତ?

ମୂଳ ପ୍ରଶ୍ନ ହେଲା ଦେଶରେ ସରକାରଟିଏ ରହିବାର ଆବଶ୍ୟକତା କ'ଣ ଓ ସରକାରଟିଏ ନରହିଲେ କ'ଣଟା ବା ହୋଇଯିବ? କେହି କେହି କହିପାରନ୍ତି ଯେ ସରକାର ନରହିଲେ ଦେଶରେ ଆଇନଶୃଙ୍ଖଳା, ସାମାଜିକ ବ୍ୟବସ୍ଥା ବିଗିଡ଼ିଯିବ, ଦୁର୍ନୀତି, ହତ୍ୟା, ବଳତ୍କାର, ଲୁଣ୍ଠନ ଓ ଅରାଜକତା ଆଦି ଦେଖାଯିବ । ଏହି ଯୁକ୍ତି ସତ ହୋଇପାରେ । ତେବେ ସରକାରଟିଏ ଥାଇ ମଧ୍ୟ ଏହା ସବୁ ଘଟୁନାହିଁକି ଓ ଯଦି ଘଟୁଛି ତେବେ ସରକାରଟିଏର ଆବଶ୍ୟକତା କ'ଣ? ହୁଏତ ଆଉ ଗୋଟେ ଯୁକ୍ତି କରାଯାଇପାରେ ଯେ ସରକାରଟିଏ ଅଛି ବୋଲି ଅରାଜକତା, ଦୁର୍ନୀତି ଆଦି କମ୍‌ ହେଉଛି ଓ ସରକାର ନଥିଲେ ଏହା ବହୁତ ଅଧିକ ହେଉଥାନ୍ତା । ସରକାର ନଥିଲେ ଏହି ଅରାଜକତା କେତେ ହେଉଥାଆନ୍ତା ତାହାର ତଥ୍ୟ ଆମ ପାଖରେ ନାହିଁ । ତେଣୁ ସରକାର ଥିବାରୁ କେତେ କମ୍‌ ହେଉଛି ତାହା ନିର୍ଦ୍ଧାରଣ କରିବା ସମ୍ଭବପର ନୁହେଁ । ତେଣୁ ଯଦି କେହି କୁହେ, ସରକାର ନଥିଲେ ଏ ପ୍ରକାର ଘଟଣା କମ୍‌ ହେଉଥାଆନ୍ତା ତେବେ ଭୁଲ୍‌ ବୋଲି କହିହେବନାହିଁ ।

ମାନବ ସମାଜରେ ଏମିତି ଅନେକ ସମୟ ନିଶ୍ଚିତ ଭାବେ ଥିବ ଯେତେବେଳେ ଆଇନ୍‌କାନୁନ ନଥିବ ଓ ପ୍ରଶାସନ ପାଇଁ କୌଣସି ରାଜା ମହାରାଜା ଅଥବା ସରକାର ନଥିବେ, କିନ୍ତୁ ଲୋକେ ସାଧାରଣ ଜୀବନଟିଏ ବିତାଉଥିବେ । ସେତେବେଳେ ସମାଜ ହୁଏତ ନୈତିକତା, ଧର୍ମବାଣୀ, ଉତ୍ତମ ବିବେକ, ମାନବିକତା ତଥା ପରସ୍ପରକୁ ସମ୍ମାନ, ସାହାଯ୍ୟ ଓ ସହାନୁଭୂତିକୁ ଆଧାର କରି ଚଳୁଥିବେ । କାଳକ୍ରମେ ପ୍ରଶାସନ କାର୍ଯ୍ୟ, ରାଜା ମହାରାଜା ଓ ସରକାରଙ୍କ ଉପରେ ଏହି ଆସ୍ଥା ନେଇ ନ୍ୟସ୍ତ କରାଗଲା ଯେ ସେମାନେ ଏହି ମାନବୀୟ ଗୁଣଗୁଡ଼ିକୁ ଭିତ୍ତି କରି ପ୍ରଶାସନ କାର୍ଯ୍ୟ ନିଷ୍ପାଦନ କରିବେ, ଫଳରେ ସାମାଜିକ ବ୍ୟବସ୍ଥା ଅଧିକ ଶୃଙ୍ଖଳିତ ହେବ ଓ ଲୋକେ ଅଧିକ ସୁଖ ଶାନ୍ତିରେ ବଞ୍ଚିବେ । କୌଣସି ବି ପ୍ରକାରର ଶାସନ ବ୍ୟବସ୍ଥା ଥାଉ କି ନଥାଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ମଣିଷର ମଣିଷ ପ୍ରତି ମନୋବୃତ୍ତି କ'ଣ? କାରଣ ପ୍ରଶାସନ ତାହା ରାଜତନ୍ତ୍ର ହେଉ ଅଥବା ଗଣତନ୍ତ୍ର, ମୂଳ ଲକ୍ଷ୍ୟ ହେଲା ସମାଜରେ ଆଇନର ଶାସନ ଲାଗୁ କରିବା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିନା ପ୍ରଶାସନ ଓ ଅତ୍ୟଧିକ ପ୍ରଶାସନ ଉଭୟ କାରଣରୁ ଲୋକେ ଦୁଃଖ ଦୁର୍ଦ୍ଦଶା ଭୋଗନ୍ତି । ତେଣୁ ନୀତିନିୟମ ପ୍ରଣୟନ ବେଳେ ଓ ପ୍ରଶାସନର ଆଭିମୁଖ୍ୟ ସ୍ଥିର କଲାବେଳେ ଏହା ଦେଖିବାକୁ ପଡ଼ିବ ଯେ କେଉଁଠି ସନ୍ତୁଳନ ରହୁଛି । ଏହି ସନ୍ତୁଳନ ଯଦି ବିଗିଡ଼ିଯାଏ ତେବେ ଲୋକଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣି ଲୋକଙ୍କୁ ସୁଖଶାନ୍ତିର ଏକ ଜୀବନ ଦେବା ସମ୍ଭବ ହେବନାହିଁ ।

ଆମର ରାଜନୈତିକ ଓ ଅର୍ଥନୈତିକ ଢାଞ୍ଚା ଓ କାର୍ଯ୍ୟକଳାପ ଯଦି ସମ୍ପୂର୍ଣ୍ଣ ରୂପେ ରାଜ୍ୟ ଓ ସରକାର ଦ୍ୱାରା ନିୟନ୍ତ୍ରିତ ହେଉଥିବ ତେବେ ସେପରି ଏକ ସମାଜରେ ଆମେ ନିଜକୁ ଅତ୍ୟନ୍ତ ଅସହାୟ ମନେକରିବା ଓ ପ୍ରତି କଥାରେ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ସମାଜରେ ଭଲଭାବରେ ଉଧେଇ ପାରିବାନାହିଁ । ଅବଶ୍ୟ ଏହା ସ୍ୱୀକାର୍ଯ୍ୟ ଯେ ସମାଜରେ ସବୁବେଳେ ଏପରି ଅଳ୍ପସଂଖ୍ୟକ ଦୁର୍ବଳ, ଗରିବ ଓ ଶାରୀରିକ ଓ ମାନସିକ ଭାବେ ଭିନ୍ନକ୍ଷମ ରହିବେ, ଯେଉଁମାନଙ୍କୁ ସରକାର ନିଜ ପିଠିରେ ଲାଉ କରିବାକୁ ପଡ଼ିବ ହିଁ ପଡ଼ିବ । କିନ୍ତୁ ସେପରି ଲୋକଙ୍କ ସଂଖ୍ୟା ଖୁବ୍‌ କମ୍‌ ଓ ଅଧିକାଂଶ ଲୋକଙ୍କ ନିଜେ ଚାଲିବାର ସାମର୍ଥ୍ୟ ରହିଛି ।

ନାଗରିକ କୈନ୍ଦ୍ରିକ ପ୍ରଶାସନ ସୁନିଶ୍ଚିତ କରିବା ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ ହେବା ଉଚିତ୍‌ ଓ ସେଥିପାଇଁ ଏକ ଉତ୍କୃଷ୍ଟ ଅର୍ଥନୀତି ଜରୁରୀ । ଅର୍ଥନୀତି ଉତ୍କୃଷ୍ଟ ହେଲେ ରାଜନୀତି ଆପେ ଉତ୍କୃଷ୍ଟ ହୋଇଯିବ । ଏକ ଉତ୍କୃଷ୍ଟ ଅର୍ଥନୀତି ଓ ଉତ୍କୃଷ୍ଟ ରାଜନୀତି ମଧ୍ୟରେ ଅନ୍ତର୍ବିରୋଧ ହେବା ଆବଶ୍ୟକ ନୁହେଁ । ସର୍ବଶ୍ରେଷ୍ଠ ନୀତି ହେଲା ସମାଜରେ ଯେଉଁ ବର୍ଗର ଲୋକଙ୍କୁ ସରକାରଙ୍କ ସବୁଠାରୁ ଅଧିକ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି ସେମାନଙ୍କୁ ସହାୟତା ଦିଆଯାଉ, କାରଣ ସେହି ବର୍ଗର ଲୋକଙ୍କ ବିକାଶ ହେଲେ ସେମାନଙ୍କ ଆର୍ଥିକ କ୍ଷମତାରେ ବୃଦ୍ଧିହେବ ଓ ଜିନିଷପତ୍ର କିଣାକିଣି କରିବାର ସେମାନଙ୍କ କ୍ଷମତା ବଢ଼ିଲେ ପୂରା ଅର୍ଥ ବ୍ୟବସ୍ଥାକୁ ଲାଭ ହେବ ତଥା ତାହାର ରାଜନୈତିକ ପରିଣାମ ମଧ୍ୟ ମିଳିବ । କିନ୍ତୁ ଶସ୍ତା ଲୋକପ୍ରିୟତା ପାଇଁ କାମ କରୁଥିବା ନେତା ଓ ପ୍ରକୃତ ଲୋକପ୍ରିୟ ନେତାଙ୍କ ମଧ୍ୟରେ ଫରକ ରହିଛି । ଲୋକପ୍ରିୟ ନେତା ସିଏ ଅଟନ୍ତି, ଯାହାଙ୍କ ଆଧାର ମଜବୁତ୍‌ ଓ ଆପଣାଛାଏଁ ତାହା ଲୋକଙ୍କ ଦ୍ୱାରା ଆଦୃତ ହୁଏ ।

ନାଗରିକ କୈନ୍ଦ୍ରିକ ପ୍ରଶାସନ ପାଇଁ ଯେଉଁସବୁ କ୍ଷେତ୍ରରେ ସଂସ୍କାର ଆଣିବା ନିହାତି ଜରୁରୀ ସେଗୁଡ଼ିକ ହେଲା ନେତା, ପୋଲିସ, ଡାକ୍ତର, ଇଞ୍ଜିନିୟର ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ । ସାଧାରଣତଃ ଏମାନଙ୍କ ବିଷୟରେ ସବୁବେଳେ ସାମାଜିକ ନିରୀକ୍ଷଣ ଓ ସମୀକ୍ଷା କରାଯାଇଥାଏ । ଏମାନେ ହିଁ ମୁଖ୍ୟତଃ ସମାଜକୁ ନିୟନ୍ତ୍ରିତ କରିଥାଆନ୍ତି ଓ ଏମାନଙ୍କୁ ନେଇ ହିଁ ସମାଜ ଚଳିଥାଏ । ତେଣୁ ଏମାନଙ୍କ ଗତିବିଧି ଉପରେ ଜନତାଙ୍କ ତୀକ୍ଷ୍‌ଣ ଦୃଷ୍ଟି ରହିଥାଏ । ସେମାନେ ହିଁ ପ୍ରଶାସନ ଓ ସମାଜର କର୍ଣ୍ଣଧାର । ଲୋକେ ସରକାରଙ୍କ ମୂଲ୍ୟାୟନ ଏମାନଙ୍କ କର୍ମ ଓ ଆଚରଣରୁ ହିଁ କରିଥାଆନ୍ତି । ତେଣୁ ଏମାନଙ୍କୁ ସୁନିୟନ୍ତ୍ରିତ କରିବାରେ ଯଦି ସରକାର ସଫଳ ହୋଇଗଲେ ତେବେ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହାସଲ ହୋଇଗଲା । ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ସରକାରଙ୍କୁ ପ୍ରଥମେ ପ୍ରଶାସନରେ ଚାଟୁକାରିତାକୁ ପ୍ରୋତ୍ସାହନ ନଦେବା ଉଚିତ୍‌ ହେବ । ଶହ ଶହ ବର୍ଷ ଧରି ପରାଧୀନ ରହିବା କାରଣରୁ ହେଉ ଅଥବା ଅନ୍ୟ କାରଣରୁ ହେଉ ଆମ ଦେଶରେ ଚାଟୁକାରିତାର ଆଦର ବହୁତ ବେଶୀ । ଚାଟୁକରିତାକୁ ପ୍ରୋତ୍ସାହନ ଦେଲେ ଲୋକେ ପ୍ରକୃତରେ ସୁଖ ଶାନ୍ତିରେ ରହୁଛନ୍ତି ନା ନାହିଁ ତାହା ଠିକ୍‌ଭାବେ ଜଣାପଡ଼ିବ ନାହିଁ ଓ ଉପରକୁ ସମୁଦ୍ର ଶାନ୍ତ ଥିବାପରି ମନେହେବ । ଫଳରେ ସରକାରଙ୍କ ହିଁ ଅଧଃପତନ ହେବ । 

ଆମ ଦେଶରେ କେଉଁ ସ୍ତରର ଚାଟୁକାରିତା କରାଯାଏ ତାହାର ଗୋଟିଏ ଦୃଷ୍ଟାନ୍ତ ଦେବା ପ୍ରାସଙ୍ଗିକ ହେବ । ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟର କଥା । ସେହି ସମୟରେ ସରକାର ଏକ ବିଂଶସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ତାହାର ଉପାଦେୟତା ଲୋକଙ୍କୁ ବୁଝାଉଥିଲେ । ସେ ସମୟର ଜଣେ ଅତି ତୁଙ୍ଗନେତା ଏକ ଧର୍ମ ସମାରୋହରେ ବିଂଶସୂତ୍ରୀ କାର୍ଯ୍ୟକ୍ରମ ବିଷୟରେ ତାଙ୍କ ବକ୍ତବ୍ୟ ସାରିବା ପରେ ସେଠାରେ ଉପସ୍ଥିତ ଜଣେ ଶ୍ରୋତା ତାଙ୍କୁ ପ୍ରଶଂସା କରିବାକୁ ଯାଇ କହିଥିଲେ ଯେ, ବିଂଶସୂତ୍ରୀ କାର୍ଯ୍ୟକ୍ରମ ଶ୍ରୀମଦ୍‌ ଭଗବତ ଗୀତାର ୧୯ତମ ଅଧ୍ୟାୟ ଭାବେ ସନ୍ନିବେସିତ ହେବାକୁ ଏକାନ୍ତ ଯୋଗ୍ୟ । ଚାଟୁକାରିତାର ବିପରୀତଧର୍ମୀ ଆଉ ଏକ ଦୃଷ୍ଟାନ୍ତ ହେଲା କିମ୍ବଦନ୍ତୀମତେ ମଧ୍ୟପ୍ରାଚ୍ୟର କୌଣସି ଏକ ଦେଶର ଜଣେ ରାଜା ପ୍ରାୟ ଦେଢ଼ଶହ ବର୍ଷ ତଳେ କିଛି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ, ଯେଉଁମାନଙ୍କ ଏକମାତ୍ର କର୍ତ୍ତବ୍ୟ ହେଲା ସେମାନେ ମହାରାଜାଙ୍କୁ ମଝିରେ ମଝିରେ ମନେ ପକାଇଦେବେ ଯେ ହେ ରାଜନ! ଆପଣଙ୍କର ସିଂହାସନ, ରାଜତ୍ୱ, କ୍ଷମତା, ପ୍ରତିପତ୍ତି, ଯୌବନ, ଶରୀର ସବୁ କିଛି ଦିନେ ନା ଦିନେ ଚାଲିଯିବ ଓ ରହିଯିବ କେବଳ ଆପଣଙ୍କ କର୍ମ ।

ପରିଶେଷରେ ଏହା କୁହାଯାଇପାରେ, ସବୁ କଥାରେ ସରକାର ଅଥବା ଅନ୍ୟାନ୍ୟ ସରକାରୀ ସଂସ୍ଥାକୁ ଦୋଷ ଲଦି ଆମେ ସାଧାରଣ ଜନତା ନିଜକୁ ଗୋଟା ତୁଳସୀ ବୋଲାଇ ପାରିବାନାହିଁ । ପ୍ରକୃତରେ ଦେଖିବାକୁ ଗଲେ ଗଣତନ୍ତ୍ରରେ ଯାହା କିଛି ଭଲ ବା ମନ୍ଦ ହେଉଛି ସେଥିପାଇଁ ଉତ୍ତରଦାୟୀ ଆମେ ସାଧାରଣ ଜନତା । ଯଦି ସମାଜ କଳୁଷିତ ହୁଏ ତେବେ ଆପେ ସରକାର ଓ ସରକାରୀ କଳ କଳୁଷିତ ହେବ । କାରଣ ସେମାନଙ୍କ ସୃଷ୍ଟି ତ ଆମରି ସମାଜରୁ । ସୁତରାଂ ରାମଚନ୍ଦ୍ରଙ୍କ ପରି ପୁତ୍ରଟିଏ ପାଇବାକୁ ହେଲେ ଆମକୁ ଦଶରଥ ପରି ପିତାଟିଏ ହେବାକୁ ପଡ଼ିବ, ଲକ୍ଷ୍ମଣ ପରି ଭାଇଟିଏ ପାଇବାକୁ ହେଲେ ଆମକୁ ରାମଚନ୍ଦ୍ର ପରି ଜଣେ ବଡ଼ଭାଇ ହେବାକୁ ପଡ଼ିବ ଓ ରାମଚନ୍ଦ୍ରଙ୍କ ପରି ରାଜାଟିଏ ପାଇବାକୁ ହେଲେ ଆମକୁ ଅଯୋଧ୍ୟାବାସୀ ପରି ସତ୍‌ଚରିତ୍ର, ରାଜନିଷ୍ଠ ଓ ସତ୍ୟନିଷ୍ଠ ନାଗରିକ ହେବାକୁ ପଡ଼ିବ । ତେବେ ହିଁ ଆମେ ରାମରାଜ୍ୟ ପାଇପାରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.