ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରାଜଧାନୀରେ ଶିିକ୍ଷିତ ଓ ବଡ଼ବଡ଼ିଆ ଭୋଟ ଦେବାକୁ ଅମଙ୍ଗ, ୨୦୧୯ରେ ଆସିନଥିଲେ ସାଢ଼େ ୪ ଲକ୍ଷ ଭୋଟର

ଭୁବନେଶ୍ୱର, ୨୫/୦୫ : ସର୍ବାଧିକ ଶିକ୍ଷିତ, ବଡ଼ବଡ଼ିଆ ଆଉ ପ୍ରଭାବଶାଳୀ ଲୋକ ରାଜଧାନୀରେ ରୁହନ୍ତି । ରାଜନୀତିର ରଣକୌଶଳ ଓ ସମରସଜ୍ଜା ଏମାନେ ସ୍ଥିର କରନ୍ତି । ସବୁ ପ୍ରସଙ୍ଗ ଏମାନେ ସ୍ଥିର କରନ୍ତି । ରାଜନୈତିକ ଦଳମାନେ ନିଜର ରଣନୀତି ଏଇଠୁ ତିଆରି କରନ୍ତି । ଗଣତନ୍ତ୍ରର ସବୁ ମନ୍ଦିର ଏଇଠି । କିନ୍ତୁ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବରେ ସାମିଲ ହେବାକୁ ରାଜଧାନିଆ ଅମଙ୍ଗ । ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱରର ତିନି ନିର୍ବାଚନୀମଣ୍ଡଳୀର ସାଢ଼େ ୪ ଲକ୍ଷ ଭୋଟର ଭୋଟ୍‌ ଦେବାକୁ ଯାଇନଥିଲେ । ଗଣତନ୍ତ୍ରର ମହାପର୍ବରୁ ନିଜକୁ ଦୂରେଇ ରଖିଥିଲେ । ମଧ୍ୟ ନିର୍ବାଚନମଣ୍ଡଳୀରେ ଭୋଟ୍‌ ହାର ସବୁଠୁ କମ୍‌ ଥିଲା । ଏଠାରେ ଭୋଟ୍‌ ହାର ମାତ୍ର ୪୪% ଥିଲା । ମୋଟ ୨ଲକ୍ଷ ୩୮ ହଜାର ୭୧୦ ଭୋଟରଙ୍କ ଭିତରୁ ମାତ୍ର ୧ଲକ୍ଷ ୩ ହଜାର ୪୩୨ଜଣ ଭୋଟ୍‌ ଦେବାକୁ ଯାଇଥିଲେ । କେବଳ ମଧ୍ୟ ଆସନରେ ୧ଲକ୍ଷ ୩୫ ହଜାର ଭୋଟର ମତଦାନ ପାଇଁ ଯାଇନଥିଲେ । ଏଠାରେ ୫୪ ହଜାର ୯୦୨ ପୁରୁଷ ଓ ୪୮ହଜାର ୩୪୭ ମହିଳା ଭୋଟ୍‌ ଦେଇନଥିଲେ । ଯଦିଓ ୨୦୧୪ ଅପେକ୍ଷା ୨୦୧୯ରେ ଭୋଟ୍‌ ହାର ସାମାନ୍ୟ ବଢ଼ିନଥିଲା ତଥାପି ଏହା ନିରାଶାଜନକ ଥିଲା । 

୨୦୧୪ରେ ମଧ୍ୟ ନିର୍ବାଚନମଣ୍ଡଳୀର ଭୋଟ୍‌ ହାର ମାତ୍ର ୪୨% ଥିଲା । ଭୁବନେଶ୍ୱରର ୩ଟି ଯାକ ନିର୍ବାଚନମଣ୍ଡଳୀର ପରିସଂଖ୍ୟାନକୁ ନଜର ପକାଇଲେ ସବୁଠି ମତଦାନ ହାର ପଛୁଆ । ୨୦୧୯ରେ ଉତ୍ତର ନିର୍ବାଚନମଣ୍ଡଳୀର ଭୋଟ୍‌ ହାର ୪୫.୪୫% ଥିଲା । ମୋଟ ୨ ଲକ୍ଷ ୯୮ ହଜାର ଭୋଟରଙ୍କ ଭିତରୁ ୧ଲକ୍ଷ ୩୫ ହଜାର ୪୪୩ ଭୋଟର ଆସି ଭୋଟ୍‌ ଦେଇଥିଲେ । ୭୨ ହଜାର ୩୯୯ ପୁରୁଷ ଓ ୬୨ହଜାର ୮୯୨ ମହିଳା ଭୋଟ୍‌ ଦେଇଥିଲେ । ୧ଲକ୍ଷ ୬୨ ହଜାର ମତଦାତା ଭୋଟ୍‌ ଦେବାକୁ ଆସିନଥିଲେ । ୨୦୧୪ରେ ଭୋଟ୍‌ ହାର ମାତ୍ର ୪୧.୩୪% ଥିଲା । ଏକାମ୍ର ନିର୍ବାଚନମଣ୍ଡଳୀରେ ୨୦୧୯ରେ ଭୋଟ୍‌ ହାର ୪୭.୬୮% ଥିଲା । ୨ଲକ୍ଷ ୮୧ହଜାର ଭୋଟରଙ୍କ ଭିତରୁ ୧ଲକ୍ଷ ୩୪ହଜାର ଭୋଟର ଯାଇ ଭୋଟ୍‌ ଦେଇଥିଲେ । ଏଠାରେ ୬ଟି ପଞ୍ଚାୟତ ଥିବାରୁ ଭୋଟ୍‌ ହାର ସାମାନ୍ୟ ବଢ଼ିଥିଲା ସତ ହେଲେ ସନ୍ତୋଷଜନକ ନଥିଲା । ୨୦୧୪ରେ ଏକାମ୍ରରେ ଭୋଟିଂ ହାର ୪୬% ଥିଲା । ସାରା ଦେଶରେ ଭୋଟ୍‌ ହାର ବଢ଼ିବାକୁ ନିର୍ବାଚନ କମିଶନ ଅନେକ ପଦକ୍ଷେପ ନେଉଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି । ଭୋଟ୍‌ ଦେବାର ଅର୍ଥ ଦେଶ ଗଢ଼ିବା ବୋଲି ବୁଝାଯାଉଛି । ଭୋଟ୍‌ ଦାନ ପର୍ବରେ ରାଜଧାନୀର ବସ୍ତିବାସିନ୍ଦା ଉତ୍ସାହର ସାମିଲ ହେଉଛନ୍ତି । ହେଲେ ପକ୍କା ଓ ବହୁତଳ ପ୍ରାସାଦରେ ରହୁଥିବା ବଡ଼ବଡ଼ିଆ ବାବୁଙ୍କୁ ଭୋଟ୍‌ ଦେବାକୁ ଗନ୍ଧାଉଛି । 

ରାଜ୍ୟ ତଥା ନିଜ ଅଞ୍ଚଳର ସମସ୍ୟାକୁ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଭାଇରାଲ୍‌ କରୁଥିବା ତଥାକଥିତ ଶିକ୍ଷିତ ଗୋଷ୍ଠୀ ଭୋଟ୍‌ ଦେବା ଅଧିକାରକୁ ଏଡ଼ାଇ ଯାଉଛନ୍ତି । ପଛୁଆ ଓ ଦୁର୍ଗମ ଜିଲ୍ଲା କୁହାଯାଉଥିବା ମାଲକାନଗିରିରେ ୨୦୧୯ ନିର୍ବାଚନରେ ୭୬% ଭୋଟର ମତଦାନ କରିଥିଲେ । କୋରାପୁଟରେ ୭୨% ଓ ଅନୁନ୍ନତ ଚିତ୍ରକୋଣ୍ଡାରେ ୬୮% ଲୋକେ ଭୋଟ୍‌ ଦେଇଥିଲେ । କିନ୍ତୁ ଉଦ୍‌ବେଗର ବିଷୟ, ରାଜଧାନୀରେ ଏତେ ଶିକ୍ଷିତ ଆଉ ସଚେତନ ନାଗରିକ ଥାଇ ବି ମତଦାନ ହାର ୫୦% ଟପୁନି । ଭୋଟ୍‌ ଦିନ ସରକାର ଛୁଟି ବି ଦେଉଛନ୍ତି । ଉଭୟ ସରକାରୀ ଓ ଘରୋଇ ଚାକିରିଆଙ୍କ ପାଇଁ ସ୍ୱତନ୍ତ୍ର ଭୋଟ ଛୁଟି ବ୍ୟବସ୍ଥା ଅଛି । କିନ୍ତୁ ଏହି ଛୁଟିକୁ ଭୋଟ୍‌ ଦେବାକୁ ନୁହେଁ, ଅବସର ବିନୋଦନରେ ଲଗାଉଛନ୍ତି । ରାଜଧାନୀରେ ଅନେକ ପ୍ରସଙ୍ଗ ଅଛି । ସହରୀ ଉତ୍ତାପ, ଜଳବନ୍ଦୀ, ଜବରଦଖଲ, ଡ୍ରେନେଜ୍‌, ସ୍ୱେରେଜ୍‌ ଓ ବିଗୁଡୁଥିବା ଆଇନଶୃଙ୍ଖଳା, ଭଳି ଏକାଧିକ ସମସ୍ୟାରେ ସହରବାସୀ ପେଷି ହେଉଛନ୍ତି । ଏହି ସମସ୍ୟା ସମାଧାନ ପାଇଁ ପ୍ରଥମେ ଶିକ୍ଷିତ ଆଉ ବଡ଼ବଡ଼ିଆମାନେ ହିଁ ସ୍ୱର ଉଠାନ୍ତି । ଗଣମାଧ୍ୟମରେ ଏହାକୁ ପ୍ରସଙ୍ଗ କରନ୍ତି । ହ୍ୟାସ୍‌ଟ୍ୟାଗ ଦେଇ ସୋସିଆଲ ମିଡିଆରେ କ୍ୟାମ୍ପେନ୍‌ ଚଳାନ୍ତି । ସରକାରୀସ୍ତରରେ ଚାପ ପକାନ୍ତି । ହେଲେ ଏମାନେ ଭୋଟ୍‌ ଦେବାକୁ ଯାଆନ୍ତିନି । ନିଜ ନିର୍ବାଚନମଣ୍ଡଳୀର ପ୍ରତିନିଧି କିଏ ହେବ ତାହା ଏମାନେ ନୁହେଁ, ବରଂ ଆମ ସହରର ବସ୍ତିବାସିନ୍ଦା ନିଷ୍ପତ୍ତି ନେଉଛନ୍ତି । ଏଥର ତଥାକଥିତ ଶିକ୍ଷିତ ଗୋଷ୍ଠୀ ଭୋଟ୍‌ ଦେବାକୁ ଓ ନିଜ ନେତା ବାଛିବାକୁ ଆସିବେ ନା ଗତଥର ଭଳି ଛୁଟି କଟାଇବେ, ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.