କଟକ,୨୫/୦୨: ଜଣେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟାଣିନେଇ ବଳପୂର୍ବକ ଚୁମ୍ବନ କରିବା ଘଟଣାରେ ଜଣେ ଯୁବକକୁ ତିନି ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏନେଇ ରୁଜୁ ମାମଲାର ଶୁଣାଣି କରି କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ବାଙ୍କୀ ଅଞ୍ଚଳର ଅଭିଯୁକ୍ତ ସାଗର ଭୋଇକୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି । ଜରିମାନା ଅନାଦାୟ ଆସାମୀ ଅଧିକ ୬ମାସ ଜେଲ୍ଦଣ୍ଡ ଭୋଗିବେ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
୧୫ବର୍ଷୀୟା ପୀଡ଼ିତାଜଣକ ୨୦୨୧ ସେପ୍ଟେମ୍ବର ୮ ତାରିଖ ଦିନ ୧୦ଟା ବେଳେ ଦୋକାନରୁ ଫେରୁଥିଲାବେଳେ ୨୨ବର୍ଷୀୟ ସାଗର ଭୋଇ ତାଙ୍କୁ ପାଖ ଜଙ୍ଗଲକୁ ଟାଣି ନେଇ ଚୁମ୍ବନ କରିବା ସହ ତାଙ୍କୁ ଗାଲକୁ କାମୁଡ଼ି ଦେଇଥିଲା । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହାର ପରଦିନ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ହୋଇଥିଲା । ଅଦାଲତ ଆସାମୀ ସାଗର ଭୋଇକୁ ପୋକ୍ସୋର ଧାରା ୮ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପିପି ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ।