ନୂଆଦିଲ୍ଲୀ ୦୭/୦୫: ଗୁଜରାଟର ଦାହୋଦ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟ ପରୀକ୍ଷା ଫଳରେ ସଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହାକୁ ନେଇ ବିବାଦ ଉପୁଜିଛି । ଶିକ୍ଷା ପଦ୍ଧତିକୁ ନେଇ ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ଜିଲ୍ଲାର ଝଲୋଦ ତାଲୁକା ସ୍ଥିତ ଖରସାନା ଗାଁର ପ୍ରାଥମିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ର ବଂଶୀବେନ୍ ମନିଷଭାଇ । ତାଙ୍କ ମାର୍କସିଟ୍ରେ ଗୁଜରାଟୀ ଓ ଗଣିତ ବିଷୟରେ ଉଲ୍ଲେଖ ହୋଇଥିବା ଅଙ୍କ ଚର୍ଚ୍ଚାର ବିଷୟ ହୋଇଛି । ଗୁଜରାଟୀ ବିଷୟରେ ତାଙ୍କୁ ୨୦୦ ମାର୍କରୁ ୨୧୧ ମାର୍କ ମିଳିଛି ।
ଗଣିତରେ ୨୦୦ ମାର୍କରୁ ୨୧୨ ମାର୍କ ମିଳିଛି । ତ୍ରୁଟିପୂର୍ଣ୍ଣ ମାର୍କସିଟ୍କୁ ନେଇ ଚର୍ଚ୍ଚା ହେବା ପରେ ତା’ର ସଂଶୋଧନ କରାଯାଇ ପୁଣି ଥରେ ମାର୍କସିଟ୍ ଜାରି କରାଗଲା । ଗୁଜରାଟୀରେ ୨୦୦ରୁ ୧୯୧ ମାର୍କ ଏବଂ ଗଣିତରେ ୨୦୦ରୁ ୧୯୦ ମାର୍କ କରାଗଲା । ସଂଶୋଧିତ ପରୀକ୍ଷା ଫଳରେ ବଂଶୀବେନ୍ ୧୦୦୦ ମାର୍କରୁ ମୋଟ୍ ୯୩୪ ମାର୍କ ରଖିଛନ୍ତି । ବଂଶୀବେନ୍ ଗର୍ବର ସହ ପରୀକ୍ଷା ଫଳକୁ ପରିବାରକୁ ଦେଖାଇବା ପରେ ଏହି ତ୍ରୁଟିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାର ପ୍ରତିକ୍ରିୟାରେ ଜିଲ୍ଲା ଶିକ୍ଷା ବିଭାଗ ଯାଞ୍ଚ୍ର ନିର୍ଦ୍ଦେଶ ଦେଇଛି । ଏ ପ୍ରକାର ତ୍ରୁଟି ଭବିଷ୍ୟତରେ ଯେମିତି ନ ହେବ, ସେଥିପ୍ରତି ପ୍ରତିଶ୍ରୁତି ମଧ୍ୟ ଦେଇଛି ।