ଅହମ୍ମଦାବାଦ,୨୪/୦୩: ଗୁଜୁରାଟ ଟାଇଟାନ୍ସର ନୂତନ ଅଧିନାୟକ ଶୁବମନ ଗିଲଙ୍କ ନେତୃତ୍ୱରେ ଆଇପିଏଲ ୨୦୨୪ ସିଜନର ଅଭିଯାନ ବିଜୟରୁ ଆରମ୍ଭ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚଳିତ ସିଜିନର ପଞ୍ଚମ ମ୍ୟାଚରେ ଗୁଜୁରାଟ ଏକ ରୋମାଞ୍ଚକର ମୁକାବିଲାରେ ଶେଷ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ରନ୍ରେ ପରାସ୍ତ କରିଛି। ଶେଷ ଓଭରରେ ୨ଟି ୱିକେଟ୍ ନେଇ ଉମେଶ ଯାଦବ ମୁମ୍ବାଇକୁ ଜିତିବାରୁ ଅଟକାଇଥିଲେ। ସେହିପରି, ମୁମ୍ବାଇ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଯଦିଓ ଏକ ଭଲ ଆରମ୍ଭ କରିଥିଲେ କିନ୍ତୁ ରାହୁଲ ତେଓ୍ବତିଆଙ୍କ କ୍ୟାଚ୍ ତାଙ୍କୁ ପାଭିଲିୟନ ପଠାଇଥିଲା। ଏହିପରି ଭାବେ କ୍ରମାଗତ ୧୧ ଥର ମୁମ୍ବାଇ ପ୍ରତ୍ୟେକ ସିଜିନର ପ୍ରଥମ ମ୍ୟାଚ୍ ଜିତିବାରେ ବିଫଳ ହୋଇଛି।
ଗୁଜୁରାଟ ପକ୍ଷରୁ ଅଧିନାୟକ ଶୁଭମନ ଗିଲ ଏବଂ ରିଦ୍ଧିମାନ ସାହା ଦ୍ରୁତ ଆରମ୍ଭ କରି ମାତ୍ର ୩ ଓଭରରେ ୨୭ ରନ୍ ସଂଗ୍ରହ କରିଥିଲେ, ସେଥିମଧ୍ୟରୁ ୨୦ ରନ୍ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨ ଓଭରରେ ଆସିଥିଲା। ଚତୁର୍ଥ ଓଭରରେ ଯେତେବେଳେ ଜସପ୍ରୀତ ବୁମ୍ରା ପ୍ରଥମ ସଫଳତା ଦେଇଥିଲେ ସେତେବେଳେ ଦଳ କିଛି ମାତ୍ରାରେ ଦିଗକୁ ଫେରିଥିଲା। ୨୦୨୨ ସିଜନ ପରେ ପ୍ରଥମ ଥର ପାଇଁ ଆଇପିଏଲରେ ଖେଳୁଥିବା ବୁମରା ସାହାଙ୍କୁ ତାଙ୍କର ଷଷ୍ଠ ବଲରେ ଆଉଟ କରିଥିଲେ। ଅଧିନାୟକ ଶୁବମାନ ଗିଲ (୩୧) ଦ୍ରୁତ ଇନିଂସ ଖେଳିଥିଲେ କିନ୍ତୁ ପୀୟୁଷ ଚାୱଲା ତାଙ୍କୁ ପାଭିଲିୟନ ପଠାଇଥିଲେ।