ପ୍ରମୂଖ ଖବର

ଭୋଟ୍‌ ହାର ବଢ଼ିବ କେମିତି ?

ଭୁବନେଶ୍ୱର: ଭାରତର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଦେଶରେ ମୋଟ୍‌ ୯୬କୋଟି ୮୮ଲକ୍ଷ ଯୋଗ୍ୟ ଭୋଟର ରହିଛନ୍ତି । ଦେଖାଯାଇଛି ଯେ, ୨୦୧୯ ସାଧାରଣ ନିର୍ବାଚନରେ ୩୦କୋଟି ମତଦାତା ଭୋଟ୍‌ ଦେଇନଥିଲେ । ଏତେବଡ଼ ସଂଖ୍ୟାରେ ମତଦାତା ଭାଟ୍‌ କେନ୍ଦ୍ରକୁ ନଆସିବା ନିର୍ବାଚନ ଆୟୋଗଙ୍କ ପାଇଁ ଚିନ୍ତାର ବିଷୟ । ଦେଶର ମୋଟ୍‌ ୫୪୩ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୨୧୫ଟି ଗ୍ରାମୀଣ ସଂସଦୀୟ କ୍ଷେତ୍ର ଏବଂ ୫୧ଟି ସହରାଞ୍ଚଳ ସଂସଦୀୟ କ୍ଷେତ୍ରରେ ମତଦାନ ହାର ୬୫ରୁ ୭୦ ପ୍ରତିଶତ ମଧ୍ୟରେ ରହୁଥିବା ଆୟୋଗ କହିଛନ୍ତି। ଏହା ଗଣତନ୍ତ୍ର ପାଇଁ କଦାପି ଶୁଭଙ୍କର ନୁହେଁ । ବର୍ତ୍ତମାନ ସୁଦ୍ଧା ଦେଶରେ ଚାରିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହି ଚାରିଟି ଯାକ ପର୍ଯ୍ୟାୟରେ ୬୦ରୁ ୬୭ ପ୍ରତିଶତ ପର୍ଯ୍ୟନ୍ତ ମତଦାନ ହୋଇଛି । 

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶା ସମେତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ୍‌ ନିଆଯାଇଥିଲା । ସେଥିରେ ହାରାହାରି ୬୭.୨୫% ମତଦାନ ହୋଇଛି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୩.୯୭ ପ୍ରତିଶତ ଭୋଟ୍‌ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ, ହାରାହାରି ଦେଶରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ମତଦାନ ହୋଇଛି ଏବଂ ଏପର୍ଯ୍ୟନ୍ତ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୭୯ ସଂସଦୀୟ କ୍ଷେତ୍ରରେ ଭୋଟ୍‌ ସରିଛି ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଭୋଟ୍‌ ହାର ବଢ଼ାଇବା ପାଇଁ ମୁଖ୍ୟତଃ ତିନିଟି କୌଶଳ ଆପଣଇବାକୁ ବିଭିନ୍ନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଥମଟି ହେଲା ଧାଡ଼ି ପରିଚାଳନା । ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ମତଦାତା କେତେ ଶୀଘ୍ର ବୁଥ୍‌ ଭିତରକୁ ଯାଇ ଭୋଟ୍‌ ଦେଇପାରିବ ତା' ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ କୁହାଯାଇଛି । ଖରାପ ପାଗ, ବିଶେଷକରି ଖରାଦିନେ ଭୋଟରମାନେ ବହୁ ସମୟ ଧାଡ଼ିରେ ଛିଡ଼ା ହେବାକୁ ପସନ୍ଦ କରନ୍ତି ନାହିଁ । ଯଦି ଗୋଟିଏ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ମାତ୍ର ଗୋଟିଏ ୟୁନିଟ୍‌ ରହିବ ତେବେ ଧାଡ଼ି ସରିବା ପାଇଁ ବହୁତ ସମୟ ଲାଗିଥାଏ । ଏଣୁ ବୟସ୍କ ନାଗରିକ ତଥା ଭୋଟଦାତାମାନେ ମତଦାନ ପାଇଁ ଉଦାସୀନ ହୋଇପଡ଼ିଥାନ୍ତି ।

ଦ୍ୱିତୀୟ ଉପାୟଟି ହେଲା, କମ୍‌ ମତଦାନ ହେଉଥିବା ଅଞ୍ଚଳରେ ଭୋଟ୍‌ ଦେବାର ଆବଶ୍ୟକତା ଉପରେ ନାଗରିକଙ୍କୁ ବୁଝାଇବାକୁ ପଡ଼ିବ । ଏଥିପାଇଁ ଜନସମ୍ପର୍କ ଓ ବହୁଳ ଭାବେ ପ୍ରଚାର ପ୍ରସାର କରିବାକୁ ପଡ଼ିବ । ପ୍ରଚାରପ୍ରସାର ଯେତେ ଅଧିକ ହେବ ନୂଆ ଭୋଟର୍‌ ଏବଂ ବୟସ୍କ ଭୋଟରମାନଙ୍କ ମଧ୍ୟରେ ମତଦାନ ପାଇଁ ଆଗ୍ରହ ବଢ଼ିବ ।

ନିର୍ବାଚନ କମିଶନ ଦେଶର ସଦ୍ୟ ୧୮ବର୍ଷ ବୟସରେ ପଦାର୍ପଣ କରିଥିବା ଅଳ୍ପ ବୟସର ଭୋଟଦାତାମାନଙ୍କୁ ଆକୃଷ୍ଟ କରିବା ଲାଗି ଦୁଇଟି ଅଭିଯାନ ଚଳାଇଛନ୍ତି । ତାହା ହେଲା- ଟର୍ଣ୍ଣିଂ ଏଇଟିନ୍‌ ଏବଂ ଉଇ ଆର୍‌ ଦି ୱାନ୍‌ । ଏହାଛଡ଼ା ରେଡିଓ ଏବଂ ଟେଲିଭିଜନ ମାଧ୍ୟମରେ ସୁନ୍ଦର ସୁନ୍ଦର ଜିଙ୍ଗଲ୍‌ ପ୍ରଚାର କରାଯାଉଛି । ସଙ୍ଗୀତଭିତ୍ତିକ ବାର୍ତ୍ତାମାନ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଆଶା ।

ତୃତୀୟ ଉପାୟଟି ହେଲା- ପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାମିଲ କରାଇବା । ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧ ବ୍ୟକ୍ତିବିଶେଷ, ପ୍ରଭାବୀ ଯୁବ ବ୍ୟକ୍ତିତ୍ୱ, ସାଂସ୍କୃତିକ ଜଗତରେ ନାମ କରିଥିବା ବ୍ୟକ୍ତି, ଚିତ୍ରତାରକାଙ୍କ ଭଳି ପ୍ରମୁଖ ବ୍ୟକ୍ତିଙ୍କୁ ପ୍ରଚାର କାର୍ଯ୍ୟରେ ସାମିଲ କରାଇଲେ ମତଦାତାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ହଁ-ନାହିଁ ଭାବନା ମଧ୍ୟରେ ଗତି କରୁଥିବା ଉଦାସୀନ ଭୋଟର୍‌ ମତଦାନ ପାଇଁ ମନ ବଳାଇଥାନ୍ତି । ବିଶେଷକରି ଗାଁ ଗହଳରେ ମତଦାତାଙ୍କ ଉପରେ ଏହାର ଭଲ ପ୍ରଭାବ ପଡ଼ିଥାଏ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଲା- ସ୍ଥାନୀୟ ଅଞ୍ଚଳରେ ସାଂସ୍କୃତିକ ଦଳ ମାଧ୍ୟମରେ, ନାଚ-ଗୀତ ଜରିଆରେ ପ୍ରଚାର ହେଲେ ଗ୍ରାମାଞ୍ଚଳ ଭୋଟର ପ୍ରଭାବିତ ହୁଅନ୍ତି ଏବଂ ବହୁସଂଖ୍ୟାରେ ବୁଥ୍‌କୁ ଯାଇଥାନ୍ତି । ଗଣତନ୍ତ୍ରକୁ ସମୃଦ୍ଧ କରିବା ପାଇଁ ପ୍ରତ୍ୟେକ ଭୋଟ୍‌ କେତେ ଜରୁରି ତାହା ବୁଝିପାରୁଥିବା ଗାଁର ଲୋକଟି ନିଶ୍ଚିତ ରୂପେ ଭୋଟ୍‌ ଦେବାକୁ ଯିବ ହିଁ ଯିବ । କେବଳ ସେତିକି ନୁହେଁ, ଯଦି ଜଣେ ଶ୍ରମଜୀବୀ ଭୋଟଦାନର ଗୁରୁତ୍ୱ ବୁଝିବ ତେବେ ସେ ନିଜ ପତ୍ନୀକୁ ମଧ୍ୟ ଭୋଟ୍‌ ଦେବାଲାଗି ପ୍ରବର୍ତ୍ତାଇବ ଏବଂ ବୁଥକୁ ଦୁହେଁ ମିଶିକରି ଯିବେ ।

୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ୩୦କୋଟି ମତଦାତା ଭୋଟ୍‌ ଦେଇନଥିଲେ ସେମାନଙ୍କ ମଧ୍ୟରେ ଥିଲେ ଅଧିକାଂଶ ପ୍ରବାସୀ ଶ୍ରମିକ କର୍ମଚାରୀ । ସେମାନଙ୍କ ପାଇଁ ସହଜରେ ଭୋଟ୍‌ ଦେବାର ବ୍ୟବସ୍ଥା କରାଗଲେ ଏହି ଶ୍ରେଣୀର ମତଦାତାମାନଙ୍କୁ ଶହ ଶହ କିଲୋମିଟର ଦୂରରୁ ନିଜ ଗାଁକୁ ଆସିବାକୁ ପଡ଼ିବ ନାହିଁ ବରଂ ନିଜ କର୍ମସ୍ଥଳୀରେ ରହି କୌଣସି ଆପ୍‌ ମାଧ୍ୟମରେ ହେଉ କିମ୍ବା ବିକଳ୍ପ ବ୍ୟବସ୍ଥା ଜରିଆରେ ମତଦାନ କରିପାରିବେ । ଏଥିପ୍ରତି ମଧ୍ୟ ନିର୍ବାଚନ କମିଶନ ଏଥର ଗୁରୁତ୍ୱର ସହ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।

ଏବେ ଦେଶରେ ଆଇପିଏଲ୍‌ କ୍ରିକେଟ୍‌ ଚାଲୁ ରହିଛି । ଏହି ପ୍ରତିଯୋଗିତା ସମୟରେ ଉପସ୍ଥିତ ଦର୍ଶକମାନଙ୍କୁ ବିଶେଷ କରି ଯୁବଗୋଷ୍ଠୀ ତଥା ନୂଆ ପିଢ଼ିର ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନ ଆୟୋଗ ଏକ ସୃଜନଶୀଳ ଉପାୟ ଅବଲମ୍ବନ କରିଛନ୍ତି । ବିଭିନ୍ନ ମ୍ୟାଚ୍‌ ସମୟରେ ନିର୍ବାଚନ କମିଶନଙ୍କ ରାଷ୍ଟ୍ରୀୟ ଆଇକନ୍‌ ସଚିନ ତେନ୍ଦୁଲକର ଦର୍ଶକମାନଙ୍କୁ ସଂକ୍ଷିପ୍ତ ବାର୍ତ୍ତା ଦେଉଛନ୍ତି । ବାର୍ତ୍ତାଟି ହେଉଛି– ସମସ୍ତେ ବୁଥ୍‌କୁ ଯାଇ ମତଦାନ କରିବେ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବେ । ସେହିପରି ସୁନୀଲ ଗାଭାସ୍କର ଏବଂ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ କମେଣ୍ଟ୍ରି ସମୟରେ ଦର୍ଶକମାନଙ୍କୁ ଭୋଟ୍‌ ଦେବାଲାଗି ଉତ୍ସାହିତ କରୁଛନ୍ତି ।

ଆଉ ଗୋଟିଏ ବଡ଼ କଥା ହେଲା, ଜନସଚେତନତା କାର୍ଯ୍ୟକ୍ରମକୁ କେବଳ ନିର୍ବାଚନ ସମୟ ମଧ୍ୟରେ ସୀମିତ ନରଖିବା । ନିର୍ବାଚନର କିଛିଦିନ ପୂର୍ବରୁ ଜନସଚେତନତା କାର୍ଯ୍ୟ କରି ନିର୍ବାଚନ ପରେ ବନ୍ଦ କରିଦେଲେ ହେବନାହିଁ । ପାଞ୍ଚବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ନିର୍ବାଚନ ହେଉଛି । ଯେମିତିକି– ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ, ବିଧାନସଭା ନିର୍ବାଚନ ଆଦି । ବର୍ଷର ବିଭିନ୍ନ ସମୟରେ ସମୟ ସୁବିଧା ଦେଖି ଭୋଟର ସଚେତନତା ପ୍ରଚାର-ପ୍ରସାର ଅହରହ କରିବାକୁ ପଡ଼ିବ । ନିରବଚ୍ଛିନ୍ନ ପ୍ରଚାରର ମଧ୍ୟ ଏକ ବଡ଼ ପ୍ରଭାବ ପଡ଼ିଥାଏ ଭୋଟଦାତାଙ୍କ ଉପରେ, ଏହାକୁ ଅଭ୍ୟାସଗତ ପରିବର୍ତ୍ତନ କହନ୍ତି । 

ଆଉ ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଗ୍ରୀଷ୍ମପ୍ରବାହ ଆମ ଭାରତରେ ଭୋଟଦାନ ଉପରେ ବିଶେଷ ପ୍ରଭାବ ପକାଉଛି । ମତଦାନ ହାର ବୃଦ୍ଧି ପାଇଁ ଚିନ୍ତା କରିବାବେଳେ ଅନେକ ବିକଳ୍ପ ପ୍ରସ୍ତାବ ମନକୁ ଆସିଥାଏ । ପ୍ରଥମ ବିକଳ୍ପଟି ହେଲା– ମତଦାନ ସମୟ ପରିବର୍ତ୍ତନ । ଭାରତର ନିର୍ବାଚନ ଆୟୋଗ "ଏକ ଶୀତଳ ସମୟ/ଋତୁ' ବାଛିବା ଦରକାର, ଯେଉଁ ସମୟରେ ମତଦାତା ଦିନର ସବୁ ସମୟରେ (ସକାଳ ୭ଟାରୁ ଅପରାହ୍ଣ ୫ଟା/୬ଟା ପର୍ଯ୍ୟନ୍ତ) ଆରାମରେ ବୁଥ୍‌କୁ ଯାଇ ଭୋଟ୍‌ ଦେଇପାରିବେ । ଜାନୁଆରୀର ପ୍ରଥମ ରବିବାରରୁ ଯଦି ସବୁ ରବିବାର ମତଦାନ ହୁଏ, ତେବେ ଫେବ୍ରୁଆରୀ ୨୦ ତାରିଖ ମଧ୍ୟରେ ନିର୍ବାଚନ ଶେଷ ହେବ । ପ୍ରତି ରବିବାରରେ ଯଦି ଭୋଟ୍‌ ହୁଏ ତାହେଲେ ଛୁଟି ଯୋଗୁଁ ଅଧିକ ସଂଖ୍ୟକ ମତଦାତା ଭୋଟ୍‌ ଦେଇପାରିବେ । 

ଆଉ ଏକ ବିକଳ୍ପ ହେଲା– ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ । ଆମେ ଟେକ୍‌ନୋଲୋଜିରେ ଅନେକ ପ୍ରଗତି କଲେଣି । ଏଭଳି ଏକ ଢାଞ୍ଚା ପ୍ରସ୍ତୁତି କରାଯାଉ ଯେଉଁଠି ଲୋକେ ଘରେ ରହି ନିଜର ମତଦାନ କରିପାରିବେ । ଏହା ଏତେ ସହଜ ନୁହେଁ । କିନ୍ତୁ ପ୍ରଣିଧାନଯୋଗ୍ୟ । ହ୍ୟାକିଂ ଭଳି ଏକ ଗୁରୁତର ସମସ୍ୟାକୁ ମଧ୍ୟ ନଜର ଦେବାକୁ ହେବ । କାରଣ ଭାରତ ବିରୋଧୀ ଶକ୍ତିମାନେ ନିର୍ବାଚନକୁ ପ୍ରଭାବିତ ନକରିବେ ବୋଲି କହିହେବ ନାହିଁ ।

ତେବେ ଏକ ପାଇଲଟ୍‌ ପ୍ରକଳ୍ପ ଜରିଆରେ କୌଣସି ଏକ ରାଜ୍ୟରୁ ପଞ୍ଚାୟତ ନିର୍ବାଚନରେ ଏଭଳି ଟେକ୍‌ନୋଲୋଜି ପ୍ରୟୋଗ କରି ପରୀକ୍ଷା କରାଯାଇପାରିବ । ଟେକ୍‌ନୋଲୋଜିର ସମ୍ବେଦନଶୀଳ ପ୍ରୟୋଗାତ୍ମକ ଦିଗ ସମ୍ପର୍କରେ ଆଲୋଚନା କରିବାବେଳେ ଏଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଇ-ରୂପି ପାଇଲଟ୍‌ ପ୍ରକଳ୍ପ ବିଷୟ ଉପସ୍ଥାପନା କରାଯାଇପାରେ । ସମ୍ପ୍ରତି ରିଜର୍ଭ ବ୍ୟାଙ୍କ ଓଡ଼ିଶା ସମେତ କେତେକ ବଛା ବଛା ରାଜ୍ୟର ନିର୍ଦ୍ଦିଷ୍ଟ ସହରାଞ୍ଚଳରେ ୭ଟି ବୃହତ ବ୍ୟାଙ୍କ ଜରିଆରେ ଇ-ରୂପି କାରବାର ଆରମ୍ଭ କରିଛନ୍ତି । ଯଦି ଅର୍ଥ କାରବାର ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଟେକ୍‌ନୋଲୋଜି ପ୍ରୟୋଗ ହୋଇପାରୁଛି, ଭାରତର ନିର୍ବାଚନ କମିଶନର ଘରେ ବସି ଜଣେ ନାଗରିକ କିଭଳି ସୁରକ୍ଷିତ ଭୋଟ୍‌ ଦେଇପାରିବ, ତାହା ପୁଣି ଏକ ସୁବ୍ୟବସ୍ଥିତ ଢଙ୍ଗରେ, ସେହି ଢାଞ୍ଚା ସମ୍ପର୍କରେ ବିଚାର କରିବା କଥା । ମତଦାନ ପ୍ରକ୍ରିୟାରେ ପ୍ରଯୁକ୍ତିଗତ ସଂସ୍କାର ଅଣାଗଲେ ଭାରତୀୟ ଗଣତନ୍ତ୍ର ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ଆଲୋକବର୍ତ୍ତିକା ହେବ ।

ଦେଶରେ ଏବେ ଅନେକ ଷ୍ଟାର୍ଟ-ଅପ୍‌ ଜୀବନଧାରଣକୁ ସରଳ କରିବା ପାଇଁ ଆଧୁନିକ ଟେକ୍‌ନୋଲୋଜିର ପ୍ରୟୋଗ ଦିଗରେ କାର୍ଯ୍ୟ କରୁଛନ୍ତି । ନିର୍ବାଚନ କମିଶନର ଷ୍ଟାର୍ଟ-ଅପ୍‌ମାନଙ୍କ ସହଯୋଗରେ ଏକ ଛୋଟ ପାଇଲଟ୍‌ ପ୍ରକଳ୍ପ ମାଧ୍ୟମରେ ପଞ୍ଚାୟତ ସ୍ତରରେ ନୂତନ ମତଦାନ ବ୍ୟବସ୍ଥାର ପରୀକ୍ଷା କରିବା ହେଲା ଆଜିକା ସମୟର ଆହ୍ୱାନ । ଦେଶରେ ଯେଉଁଦିନ ୯୦ ପ୍ରତିଶତରୁ ଅଧିକ ମତଦାନ ହେବ, ସେତେବେଳେ କୁହାଯିବ ଯେ ଭାରତୀୟ ଗଣତନ୍ତ୍ର ସଶକ୍ତ ହେଉଛି ଏବଂ ଲୋକେ ଶାସନତନ୍ତ୍ରର ଭାଗିଦାର ହେବାକୁ ମନ ବଳାଇଛନ୍ତି । ସେତେବେଳେ ଆବ୍ରାହମ୍‌ ଲିଙ୍କନଙ୍କ ପ୍ରବାଦ ବକ୍ତବ୍ୟ ‘ଲୋକତନ୍ତ୍ର ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ ଏବଂ ଲୋକଙ୍କର' କଥାଟି ସତ୍ୟ ଓ ସିଦ୍ଧ ପ୍ରମାଣିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.