ନୂଆଦିଲ୍ଲୀ,୩୦/୮: ଦ୍ୱିତୀୟ ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ା ଜାହାଜ ଭାରତକୁ ମିଳିଛି । ଭାରତୀୟ ନୌସେନାରେ ବିଧିବଦ୍ଧ ଭାବେ ସାମିଲ ହେଲା ଆଇଏନଏସ ଅରିଘାଟ। ଏହାକୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ସାମିଲ କରାଯାଇଛି। ସ୍ୱଦେଶ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଏହି ଆଇଏନଏସ ଅରିଘାଟରେ ଅନେକ ପ୍ରକାରର ନୂତନ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏନଏସ ଅରିଘାଟକୁ ଭାରତୀୟ ନୌସେନାରେ ସାମିଲ କରିଛନ୍ତି।
ତେବେ ଆଣବିକ ଇନ୍ଧନରେ ଚାଲୁଥିବା ଓ ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଏହି ବୁଡ଼ାଜାହାଜ ଅରିହନ୍ତ ଶ୍ରେଣୀର ଏକ ଅତ୍ୟାଧୁନିକ ଏସଏସବିଏନ ଅଟେ। ଏହା ବିଶାଖାପଟନମରେ ଅବସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ତିଆରି ହୋଇଛି। ଏହାର ଓଜନ ପ୍ରାୟ ୬୦୦ ଟନ ହୋଇଥିବା ବେଳେ ଏହାର ଲମ୍ବ ପ୍ରାୟ ୧୧୩ ମିଟର। ଆଇଏନଏସ ଅରିଘାଟର ବିମ୍ ୧୧ ମିଟର ଓ ଡ୍ରାଫ୍ଟ ହେଉଛି ୯.୫ ମିଟର। ଏହା ପାଣି ତଳେ ୯୮୦ରୁ ୧୪୦୦ ଫୁଟ ଗଭୀରକୁ ଯାଇପାରିବ। ଏହାର ରେଞ୍ଜ ଅସୀମିତ। ଆଇଏନଏସ ଅରିଘାଟରେ 12 K15 SLBM ଖଞ୍ଜା ଯାଇଛି। ବୁଡ଼ାଜାହାଜରୁ ଉତକ୍ଷେପଣ ହେବାକୁ ଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସୀମା ୭୫୦ କିମି। ଏଥିରେ ଚାରୋଟି K4 କ୍ଷେପଣାସ୍ତ୍ର ମଧ୍ୟ ଅଛି, ଯାହାର ରେଞ୍ଜ ୩୫୦୦ କିମି। ଏହା ବ୍ୟତୀତ ବୁଡ଼ାଜାହାଜରେ ୨୧ ଇଞ୍ଚର ୬ଟି ଟର୍ପେଡୋ ଖଞ୍ଜା ହୋଇଛି। ସେହିପରି ବୁଡାଜାହାଜ ଭିତରେ ଏକ ଆଣବିକ ରିଆକ୍ଟର ସ୍ଥାପିତ ହୋଇଛି।