ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଏକ ସପ୍ତାହ ପାଇଁ ଅସ୍ତ୍ରବିରତି ପରେ ଶୁକ୍ରବାର ପୁଣି ଯୁଦ୍ଧ ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହାମାସ ନେତାମାନଙ୍କୁ ଖୋଜି ଖୋଜି ହତ୍ୟା କରିବା ପାଇଁ ଗୁପ୍ତଚର ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଆମେରିକାର ଖବରକାଗଜ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ନେତାନ୍ୟାହୁ କେବଳ ଗାଜାରେ ନୁହେଁ ସମଗ୍ର ବିଶ୍ୱରେ ହାମାସ ନେତାମାନଙ୍କୁ ଖୋଜିବା ଏବଂ ହତ୍ୟା କରିବା ପାଇଁ ଗୁପ୍ତଚର ସଂସ୍ଥାକୁ କହିଛନ୍ତି ।
ଏହି ଆଦେଶ ପରେ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମାନେ ଏହି ନିର୍ଦ୍ଦେଶ ପୂରଣ କରିବାକୁ ଯୋଜନା କରୁଛନ୍ତି । ଏହାକୁ ସମ୍ପୂର୍ଣ୍ଣ କରିବାକୁ ସେମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ । ତୁର୍କୀ, ଲେବାନନ୍ ଏବଂ କାତାରରେ ହାମାସ ନେତାମାନଙ୍କୁ ହତ୍ୟା କରିବାକୁ ଗୁପ୍ତଚର ସଂସ୍ଥା ଯୋଜନା କରୁଛନ୍ତି ।
ବିଶ୍ୱାସ କରାଯାଉଛି ଯେ, କତାରରେ ଅନେକ ହାମାସ ନେତା ବାସ କରନ୍ତି । ହାମାସର ରାଜନୈତିକ ମୁଖ୍ୟ ଇସମାଇଲ ହନିୟେ, ହାମାସର ମୁଖ୍ୟ ତଥା ଖାନ ୟୁନିସର କସାଇ ଭାବରେ ଜଣାଶୁଣା ୟାହିଆ ସିନୱାର ମଧ୍ୟ କତାରରେ ରୁହନ୍ତି । କତାରରେ ହାମାସର ଏକ ରାଜନୈତିକ କାର୍ଯ୍ୟାଳୟ ମଧ୍ୟ ଅଛି । ଏହି କାର୍ଯ୍ୟାଳୟ ୨୦୧୩ ମସିହାରେ ଖୋଲା ଯାଇଥିଲା । ସେତେବେଳେ ଆମେରିକା ଏହାକୁ ବନ୍ଦ କରିବା ପାଇଁ ସମସ୍ତ ଉଦ୍ୟମ କରିଥିଲା । ଗାଜାରେ ସାତ ଦିନିଆ ଅସ୍ତ୍ରବିରତି କରିବାରେ କତାର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଏହି କାରଣରୁ ହାମାସ ଗାଜାରୁ ୧୦୦ ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିଛି।
ଆମେରିକୀୟ ଖବରକାଗଜ ଲେଖିଛି ଯେ ନେତାନ୍ୟାହୁ ଗୁପ୍ତଚର କାର୍ଯ୍ୟ କରିବାକୁ ଗୁପ୍ତଚର ଅଧିକାରୀମାନଙ୍କୁ କହିଛନ୍ତି । ତେବେ ନଭେମ୍ବର ୨୨ ରେ ନେତାନ୍ୟାହୁ ସର୍ବସାଧାରଣରେ ସମାନ କଥା କହିଥିଲେ। ସେ କହିଛନ୍ତି ଯେ ସେ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦଙ୍କୁ ହମାସର ନେତାମାନଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।