ନୂଆଦିଲ୍ଲୀ,୨୫/୦୯: ଆଜି ଜାମ୍ମୁ ଓ କାଶ୍ମୀରରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। କଡା଼ ସୁରକ୍ଷାରେ ଭୋଟିଂ ଚାଲିଥିବା ବେଳେ ଶହ ଶହ ଭୋଟର ମତଦାନ କେନ୍ଦ୍ରରେ କରୁଛନ୍ତି ମତଦାନ। ତେବେ ୨୬ ବିଧାନସଭା ଆସନରେ ଚାଲିଛି ଭୋଟିଂ। ମୋଟ ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ୨୩୯ ପ୍ରାର୍ଥୀ ଥିବା ବେଳେ ଗନ୍ଦେରବଲ ଆସନରେ ସର୍ବାଧିକ ୧୫ ପ୍ରାର୍ଥୀ ରହିଛନ୍ତି। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି।
ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଭାଗ୍ଯ ପରୀକ୍ଷା କରୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଓମାର ଅବଦୁଲ୍ଲା। ସେ ଗନ୍ଦେରବାଲ ଓ ବୁଦଗାଁରୁ ଲଢୁଛନ୍ତି।ଗନ୍ଦେରବାଲରେ ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ପିଡିପିର ବାସିର ଅହମ୍ମଦ ମୀର। ବୁଦଗାଁରେ ଓମାରଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ପିଡିପିର ଆଗା ସୟିଦ ମୁନ୍ତାଜିର ମେହଦି। ଇଦଗାରେ ଲଢୁଛନ୍ତି ପୂର୍ବତନ ବାଚସ୍ପତି ତଥା ଏନସି ପ୍ରାର୍ଥୀ ମୁବାରକ ଗୁଲ। ସେଣ୍ଟ୍ରାଲ ସାଲଟେଙ୍ଗରେ ଲଢୁଛନ୍ତି ପିସିସି ସଭାପତି ତାରିକ ହମିଦ କାରା। ନୌଶେରାରୁ ଲଢୁଛନ୍ତି ବିଜେପି ସଭାପତି ରବିନ୍ଦର ରାଇନା। ପ୍ରକାଶ ଥାଉକି, ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ଉପତ୍ୟକାରେ ହେଉଛି ବିଧାନସଭା ନିର୍ବାଚନ। ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବାବେଳେ ଭୋଟିଂ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରଥମ ପର୍ଯ୍ୟାୟରେ ୬୧ ପ୍ରତିଶତ ଭୋଟିଂ ହୋଇଥିଲା। ମୋଟ୍ ୩ଟି ଫେଜରେ ହେଉଛି ଏହି ନିର୍ବାଚନ। ଆସନ୍ତା ଅକ୍ଟୋବର ୧ ତାରିଖରେ ଜମ୍ମୁ କଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ପଡିବ।