ଭୁବନେଶ୍ୱର,୨୮/୦୮ : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ସମସ୍ତ ସମ୍ପତ୍ତି ଘରୋଇ ଓ ସହକାରୀ ସହଭାଗିତା (ପିପିପି) ମୋଡରେ ବାଣ୍ଟି ନେଇଛନ୍ତି। ପୂର୍ବ ସରକାର ସମୟରେ ଏଭଳି ହୋଇଛି । ଏହି ସବୁ ଅନିୟମିତତାର ତଦନ୍ତ ହେବ । ତଦନ୍ତ ବେଳେ ଅନିୟମିତା ପ୍ରମାଣିତ ହେଲେ ଚୁକ୍ତି ବାତିଲ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ମଙ୍ଗଳବାର ଗୃହରେ ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନା କରିବା ଅବସରରେ ଶ୍ରମତୀ ପରିଡ଼ା କହିଛନ୍ତି, ଆମ ପାଖରେ ବିସ୍ତୀର୍ଣ୍ଣ ବେଳାଭୂମି ରହିଛି । ବହୁ ପର୍ଯ୍ୟଟନସ୍ଥଳୀ ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି । ତଥାପି ଯଦି ବିକାଶ ହୋଇପାରିନି, ଦୀର୍ଘଦିନ ହେବ କ୍ଷମତାରେ ଥିବା ସରକାର ସେଥିପାଇଁ ଦାୟୀ । ପୂର୍ବ ସରକାରରେ ସିଏମ୍ଓର ଜଣେ ଅଧିକାରୀ ବୁଲି ବୁଲି ନିଜ ପକେଟରୁ ଦେଲା ଭଳି ଟଙ୍କା ବାଣ୍ଟିଥିଲେ । ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବାଣ୍ଟିଲେ । କିନ୍ତୁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ବିଶ୍ୱାସକୁ ନେଲେ ନାହିଁ । ହାତଗଣତି ତିନି ଚାରି ଜଣ ସଚିବ ସବୁ କଲେ । ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ନିଶ୍ଚିତ ଆମ ସରକାର ଏ ସବୁର ତଦନ୍ତ କରିବେ । ପିପିପି ମୋଡ଼ରେ ପର୍ଯ୍ୟଟନ ଭିତ୍ତିଭୂମିକୁ କିଏ ବିକିଥିଲା ତାହାର ତଦନ୍ତ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
ରାଜ୍ୟରେ ଗତବର୍ଷ ବଜେଟରେ ପର୍ଯ୍ୟଟନ ପାଇଁ ୭୫୨ କୋଟି ବ୍ୟୟବରାଦ ହୋଇଥିଲା । ମାତ୍ର ଚଳିତବର୍ଷ ଏହାକୁ ୮୧୭ କୋଟି ୯୬ ଲକ୍ଷକୁ ବୃଦ୍ଧି କରାଯାଇଛି । ବିଶେଷ କରି ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୪୪୧.୨୮ କୋଟି ଟଙ୍କା ରହିଛି । ଏହି ଅର୍ଥରେ ବୋଟ୍ କ୍ଲବ, ନିମନ୍ତ୍ରଣ ରେଷ୍ଟୁରାଣ୍ଟ୍, ଇକୋ ରିଟ୍ରିଟ୍, ବେଳାଭୂମି ଉନ୍ନତିକରଣ, ଫୁଡ୍ କୋର୍ଟ, କାରାଭାନ୍, କ୍ରୁଜ୍ ଭଳି ବିଭିନ୍ନ ନୂଆ ପଦକ୍ଷେପ ନିଆଯିବ । ସେହିପରି ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ୧୫୭.୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଅର୍ଥରେ ମେଳା, ମହୋତ୍ସବ, ରୋଡ୍ ଶୋ, ଫିଫା, ଏଫ୍ଆଇଏଚ୍ ପାଇଁ ପ୍ରାୟୋଜକ, ପର୍ଯ୍ୟଟନଭିତ୍ତିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବ । ୨୫ କୋଟି ଟଙ୍କା ବ୍ୟୟ କରି ଆବାସିକ କେନ୍ଦ୍ରଗୁଡିକୁ ନବୀକରଣ କରାଯିବ । ତେବେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ପର୍ଯ୍ୟଟନସ୍ଥଳୀର ନିରାପତ୍ତାକୁ ଗୁରୁତ୍ୱ ଦିଆଯିବ । ଏ ନେଇ ଚଳିତ ବଜେଟରେ ୧୫ କୋଟି ବ୍ୟବସ୍ଥା କରାଯାଇଛି । ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ପାଇଁ ଗ୍ରାଣ୍ଟଇନ୍ ସହାୟତା ବାବଦରେ ୪ କୋଟି ରହିଛି । ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଇ-ଶାସନ ପାଇଁ ୪ କୋଟି ଥିବା ବେଳେ ସୂଚନା ଶିକ୍ଷା ଓ ଯୋଗାଯୋଗ ପାଇଁ ୨ କୋଟିର ପ୍ରସ୍ତାବ ରହିଛି ।
ବିଭାଗୀୟ ଅଧିକାରୀଙ୍କ ଦକ୍ଷତା ବିକାଶ, ବିଦେଶୀ ଭାଷା ତାଲିମ, ଟ୍ୟାକ୍ସି ଡ୍ରାଇଭରଙ୍କୁ ତାଲିମ, ଟୁର୍ ଗାଇଡ୍ ଟ୍ରେନିଂ, ପ୍ରକୃତି ଶିବିର ସଦସ୍ୟ ଏବଂ ପର୍ଯ୍ୟଟକ ପୁଲିସଙ୍କୁ ତାଲିମ ଦିଆଯିବ । ସେ ବାବଦରେ ୪ କୋଟି ଖର୍ଚ୍ଚ ହେବ । ଏକ୍ସପୋଜର୍ ଭିଜିଟ୍ ପାଇଁ ୨ କୋଟିର ବ୍ୟୟବରାଦ ରହିଛି । ଏହି ଯୋଜନା ୨୦୨୩ ମେ ୧୫ରୁ ଆରମ୍ଭ ହୋଇଥିବାବେଳେ କର୍ମଚାରୀ ଓ ଜନ ପ୍ରତିନିଧି ଦୁବାଇ ଓ ସିଙ୍ଗାପୁର ଯାଇଥିଲେ । ରାଜ୍ୟ ସରକାର ଏୟାରଲାଇନ୍ସ ସହିତ ଏ ନେଇ ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି । କେନ୍ଦ୍ରୀୟ ଯୋଜନା ସହ ଚାଳ ଦେଇ ରାଜ୍ୟ ସରକାର ଖର୍ଚ୍ଚ କରିବା ପାଇଁ ୫୦ କୋଟି ରହିଛି । ଏହାବାଦ୍ ପର୍ଯ୍ୟଟନ ବିଭାଗର କର୍ମଚାରୀମାନଙ୍କର ବାର୍ଷିକ ଦରମା ସହ ଅନ୍ୟାନ୍ୟ ଭତ୍ତା ବାବଦକୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୧୭.୯୬ କୋଟିର ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉଲ୍ଲେଖ କରିଛନ୍ତି । ଏହି ଆଲେଚନାରେ ଭାଗ ନେଇ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍ ପାନ୍ଥନିବାସଗୁଡିକର ଶୋଚନୀୟ ଅବସ୍ଥା ନେଇ ଉଦ୍ବେଗ ପ୍ରକାଶ କରିଥିଲେ । କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ପର୍ଯ୍ୟଟନସ୍ଥଳୀଗୁଡିକୁ ମନ ଇଚ୍ଛା ଲିଜ୍ ଦେବା ନେଇ କ୍ଷୋଭ ପ୍ରକାଶ କରିବା ସହ ବାତିଲ କରିବାକୁ ନିବେଦନ କରିଥିଲେ । ବିଧାୟକ ଧ୍ରୁବଚରଣ ସାହୁ ସାତକୋଶିଆକୁ ଅଧିକ ବିକାଶ କରିବା ସହିତ ଭଲ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ କରିଥିଲେ ।