ନୂଆଦିଲ୍ଲୀ,୦୭/୦୯: ଜି-୨୦ ଡିନର କାର୍ଡରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯିବାକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଆଜି ‘ପ୍ରାଇମ୍ ମିନିଷ୍ଟର ଅଫ୍ ଭାରତ’ ଲେଖାଯିବାକୁ ନେଇ ପୁଣି ତମ୍ବିତୋଫାନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ ବାବଦରେ ଜାରି ଏକ ନୋଟ୍ରେ ‘ପ୍ରାଇମ୍ ମିନିଷ୍ଟର୍ ଅଫ୍ ଭାରତ’ ଉଲ୍ଲେଖ କରାଯାଇଛି । ୨୦ତମ ଆସିଆନ-ଭାରତ ସମ୍ମିଳନୀ ଓ ୧୮ତମ ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ଗସ୍ତ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ସୂଚନା ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିବା ସହ ପ୍ରାଇମ୍ ମିନିଷ୍ଟର୍ ଅଫ୍ ଭାରତ ଲେଖା ଥିବା ଉକ୍ତ ନୋଟ୍ ବି ପୋଷ୍ଟ କରିଛନ୍ତି । ଫଳରେ ଭାରତ-ଇଣ୍ଡିଆକୁ ନେଇ ଜାରି ରହିଥିବା ବିବାଦକୁ ନୂଆ ଇନ୍ଧନ ମିଳିଛି । ଏହାକୁ କଂଗ୍ରେସ ପକ୍ଷରୁ ଜୋରଦାର ସମାଲୋଚନା କରାଯାଇଛି ।
କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଦେଖ ମୋଦି ସରକାର କେତେ ଦ୍ୱନ୍ଦ୍ୱରେ ଅଛନ୍ତି । ୨୦ତମ ଆସିଆନ-ଭାରତ ସମ୍ମିଳନୀରେ ‘ପ୍ରାଇମ୍ ମିନିଷ୍ଟର ଅଫ୍ ଭାରତ’ ଯୋଗଦେବା କଥା କୁହାଯାଇଛି । ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ନିଜ ମେଣ୍ଟ ନାମ ‘ଇଣ୍ଡିଆ’ ରଖିବାରୁ ଏତେ ପାଲା ହେଉଛି । ସେହିଭଳି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ସରକାରଙ୍କୁ ଯଦି ବ୍ରିଟିଶ ଶାସନ ସହ କୌଣସି ସମସ୍ୟା ରହିଛି, ତେବେ ତୁରନ୍ତ ରାଷ୍ଟ୍ରପତି ଭବନ ଛାଡ଼ିଦେବା ଉଚିତ । ସ୍ୱାଧୀନତା ପୂର୍ବରୁ ଏହା ଭାଇସରୟ ହାଉସ ଥିଲା । ନର୍ଥ ବ୍ଲକ ଏବଂ ସାଉଥ ବ୍ଲକକୁ ଛାଡ଼ି ଦିଆଯାଉ । ସବୁ ଖାଲି କରିଦିଅ ଏବଂ ଆବଶ୍ୟକ ପଡ଼ିଲେ ସେସବୁକୁ ଗୋଳାରେ ଉଡ଼ାଇ ଦିଅ । କଂଗ୍ରେସ ନେତା ଶଶୀ ଥରୁର ଟ୍ୱିଟ୍ କରି କହିଛନ୍ତି, ଆମେ ବି ନିଜ ମେଣ୍ଟକୁ ‘ଆଲାଏନ୍ସ ଫର୍ ବେଟର୍ମେଣ୍ଟ, ହାର୍ମୋନି ଆଣ୍ଡ୍ ରେସ୍ପନ୍ସିବଲ୍ ଆଡ୍ଭାନ୍ସମେଣ୍ଟ ଫର୍ ଟୁମରୋ (ଭାରତ)’ କହିପାରିବୁ ।
ଅପର ପକ୍ଷରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ‘ଇଣ୍ଡିଆ ଦ୍ୟାଟ୍ ଇଜ୍ ଭାରତ’ ସମ୍ବିଧାନରେ ରହିଛି । ଏହାକୁ ପଢ଼ିବା ପାଇଁ ମୁଁ ପ୍ରତ୍ୟେକ ଲୋକଙ୍କୁ କହିବାକୁ ଚାହିଁବି । ଆପଣ ଯେତେବେଳେ ଭାରତ କହୁଛନ୍ତି, ଏହାର ଅର୍ଥ ବୁଝାପଡୁଛି ଏବଂ ମୁଁ ଭାବୁଛି ଏହା ଆମ ସମ୍ବିଧାନରେ ବି ପ୍ରତିଫଳିତ ହେଉଛି । ଅଭିନେତା ଜ୍ୟାକି ଶ୍ରଫ କହିଛନ୍ତି, ଭାରତକୁ ଭାରତ କୁହାଯାଉଛି, ଏଥିରେ ଖରାପ କଥା କିଛି ନାହିଁ । ନାମ ବଦଳିବା ଦ୍ୱାରା ଆମେ ବଦଳିବା ନାହିଁ । ଭାରତୀୟ ହକି ଟିମ୍ର ଗୋଲକିପର ପି ଆର ଶ୍ରୀଜେଶ କହିଛନ୍ତି, ଆମେ ସବୁବେଳେ ‘ଭାରତ ମାତା କୀ ଜୟ’ କହୁଛୁ । ଭାରତ ତ ସବୁବେଳେ ରହିଛି ।